News18 Odia Digital
ବାଲେଶ୍ୱର: ଅଶୁଭ ଶନିବାର । ବସ ଦୁର୍ଘଟଣାରେ ଏକଥରରେ ଚାଲିଗଲା ବର୍ଷକର ଶିଶୁ ସମେତ ୬ ଜଣଙ୍କର ପ୍ରାଣ । ଦୁର୍ଘଟଣାରେ ୩୧ ଆହତ ୮ ଗୁରୁତର ହୋଇଛନ୍ତି। ସେପଟେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ ବସ୍ ପଛରୁ ଧକା ଦେଇଥିଲା ଟ୍ରକ । ଉଦୁଳା ଅଞ୍ଚଳର ମାଣିତ୍ରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଘରୋଇ ବସ ବିଦୁ ଛକ ନିକଟରେ ଠିଆ ହୋଇଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଧକା ଦେଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଓଲଟି ପଡିଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଏକ ୧ ବର୍ଷର ଶିଶୁ ରହିଛି । ସେହିପରି ଭାବରେ ମୋଟ ଉପରେ ସେହିପରି ଦୁର୍ଘଟଣା ରେ ୩୧ ଜଣ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ଅନ୍ୟ ୨୩ ଜଣ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
"ଆମେ ଛିଡ଼ା ହେଇଥିଲୁ ହଠାତ ଟ୍ରକଟି ଆସି ପଛରୁ ପିଟିଲା। ଜୋରରେ ଶବ୍ଦ ହେଲା ଆଉ ମୁଁ ମୋ ପୁଅକୁ ଧରି ସିଟ ତଳେ ବସି ପଡ଼ିଲି । ମୋ ପାଖରେ ବସିଥିବା ଲୋକଙ୍କ ଜୀବନ ଚାଲିଗଲା,"କହିଛନ୍ତି ଵସରେ ଥିବା ଜଣେ ଯାତ୍ରୀ ବସୁ କୁମାର ବିନ୍ଧାଣି।
"ଖବର ପାଇବା ପରେ ସଂଗେ ସଂଗେ ମେଡିକାଲ କତ୍ତୃପକ୍ଷଙ୍କୁ ପ୍ରସ୍ତୁତ କରାଯାଇଛି। ସେହିପରି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ବାଲେଶ୍ୱର ଓ ୨୩ ଜଣ ସୋରରେ ଚିକିତ୍ସା ହେଉଛନ୍ତି । ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ," କହିଛନ୍ତି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ।
"ଖବର ପାଇବା ପରେ ମୁଁ ମୋ ସହଯୋଗୀଙ୍କ ସହିତ ତୁରନ୍ତ ମେଡିକାଲରେ ପହଞ୍ଚି ଲୋକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ବ୍ୟବସ୍ଥା କରିଥିଲୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ସାହାଯ୍ୟ ଯୋଗାଇ ଦେଇଛନ୍ତି," କହିଛନ୍ତି ସ୍ଥାନୀୟ ବିଧାୟକ ସ୍ବରୂପ ଦାସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।