ଏଟିଏମ ଲୁଟ ଘଟଣାରେ ବାଂଲାଦେଶୀ ଗ୍ୟାଙ୍ଗ; ଗିରଫ ହେଲେ ୨ ଜଣ, ୪ ଜଣ ଫେରାର

ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣା ପଛରେ ରହିଛି ବାଂଲାଦେଶୀ ଗ୍ୟାଙ୍ଗ । ବେଙ୍ଗାଲୁରରୁ ଦୁଇ ଲୁଟେରା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି ।

ଏଟିଏମ ଲୁଟ ଘଟଣାରେ ବାଂଲାଦେଶୀ ଗ୍ୟାଙ୍ଗ ରହିଛି (ପ୍ରତୀକାତ୍ମକ ଛବି)

ଏଟିଏମ ଲୁଟ ଘଟଣାରେ ବାଂଲାଦେଶୀ ଗ୍ୟାଙ୍ଗ ରହିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣାର ହୋଇଛି ପର୍ଦ୍ଦାଫାଶ। ଏଟିଏମ ଲୁଟ ପଛରେ ରହିଛି ବାଂଲାଦେଶୀ ଗ୍ୟାଙ୍ଗ । ବେଙ୍ଗାଲୁରରୁ ଦୁଇ ଲୁଟେରା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି । ଆହୁରି ୪ ଲୁଟେରା ଏବେବି ଫେରାର ଅଛନ୍ତି । ଦୁଇ ଲୁଟେରା ଗିରଫ ହୋଇଥିଲେ ମଧ୍ୟ ଲୁଟ ଟଙ୍କାକୁ ଜବତ କରିପାରିନି ପୋଲିସ ।

ଏହି ଗ୍ୟାଙ୍ଗକୁ ଧରିବା ପାଇଁ କମିଶନରେଟ ପୋଲିସ 'ଇମ୍ପସିବୁଲ' ଅପରେସନ ଆରମ୍ଭ କରିଥିଲା। ଗତ ୫ ତାରିଖରେ ଲିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି । ଏଟିଏମ ନେଇ ପଳାଇଥିବା ଦୁଇ ଲୁଟେରାଙ୍କୁ ବେଙ୍ଗାଲୁରରୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ ।  ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ଖୋକନ ମୋଲ୍ଲା (୩୫)ଓ ମୀରାଜୁଲା ରେହେମାନ ମୋଲ୍ଲା(୩୯)।

"ଏଭଳି ଲୁଟ ଭୁବନେଶ୍ୱରରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ପୂର୍ବରୁ ଗ୍ୟାସ କଟର ହେଉ ଅବା ଭିନ୍ନ ତରିକାରେ ଏଟିଏମରୁ ଟଙ୍କା ଲୁଟ ହେଉଥିଲା । ହେଲେ ସମ୍ପୂର୍ଣ୍ଣ ଏଟିଏମକୁ ଉଠାଇ ନେବା ପ୍ରଥମ ଘଟଣା । ତେଣୁ ଆମେ ନେଟରେ ଏଭଳି ଲୁଟ ସମ୍ବନ୍ଧୀୟ ତଥ୍ୟ ଖୋଜିଥିଲୁ । ପରେ ଜାଣିବାକୁ ପାଇଲୁ, ଦିଲ୍ଲୀ ପୋଲିସ ଏଭଳି ଏକ ବାଂଲାଦେଶୀ ଗ୍ୟାଙ୍ଗକୁ କାବୁ କରିଛି । ତେଣୁ ଆମେ ଆରମ୍ଭ କରିଥିଲୁ ମିସନ ଇମ୍ପସିବୁଲ । ଏଟିଏମର ସିସିଟିଭିକୁ ଧରି ରାଜଧାନୀର ବିଭିନ୍ନ ହୋଟେଲଗୁଡିକୁ ଯାଞ୍ଚ କରିବା ପରେ ସାର୍ଟ ହିଁ ଏହି ଲୁଟେରାଙ୍କ ସୁରାକ ଦେଇଥିଲା," କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ତଦନ୍ତ ବେଳେ ଜଣା ପଡ଼ିଛି ଏହି ଗ୍ୟାଙ୍ଗ ଲୁଟ କରିବା ପରେ ୬ ତାରିଖରେ ବସ ଯୋଗେ ବିଶାଖାପାଟଣା ପରେ ବିଜୟୱାଡା ଦେଇ ବେଙ୍ଗାଲୁର ପଳାଇଥିଲେ। ସେଠି ଲୁଟ ଟଙ୍କାକୁ ଦଲାଲ ଜରିଆରେ ବାଂଲାଦେଶ ପଠାଇ ଦେଇଥିଲେ । ପୋଲିସ ଲୁଟେରାଙ୍କୁ ଖୋଜି ଖୋଜି ପ୍ରାୟ ୩୦ଟି ହୋଟେଲ ଯାଞ୍ଚ କରିବା ପରେ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା । ବିଭିନ୍ନ ହୋଟେଲର  ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ  ଅପରାଧିଙ୍କୁ ଧରିବାରେ ସଫଳ ହୋଇଥିଲା।  ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ ।

"ତଦନ୍ତ ବେଳେ ଆମେ ଜାଣିବାକୁ ପାଇଛୁ, ଲୁଟେରା ମାନେ ୨୦ଦିନ ଧରି ଭୁବନେଶ୍ୱରରେ ରହିଥିଲେ । ଏଥିପାଇଁ ୪ରୁ ୫ଟି ହୋଟେଲରେ ଜାଲ କାଗଜପତ୍ର ଦେଇ ରହିଥିଲେ । ଲୁଟେରା ରହିଥିବା ସରାଇ ଆପ ଜରିଆରେ ଦାଖଲ ନ କରିବାରୁ ଦୁଇଟି ହୋଟେଲର ମ୍ୟାନେଜର କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ସେହିପରି ଅନ୍ୟ ହୋଟେଲ ଗୁଡ଼ିକ ସ୍କାନରରେ ଅଛି," କହିଛନ୍ତି ଭୁବନେଶ୍ୱର ଡିସିପିଉମା ଶଙ୍କର ଦାଶ୍ ।
Published by:Soumya Das
First published: