News18 Odia Digital
ଓଡ଼ିଶା: ବୟସ ପ୍ରାୟ ପାଖାପାଖି ୭୦ । ଆଖିକୁ ଦିଶୁନି କି ରୋଜଗାର କରିବା ବୟସ ନାହିଁ । ଏଭଳି ସମୟରେ ଦୁଇ ସନ୍ତାନକୁ ଛାଡ଼ି ଚାଲିଗଲେ ପୁଅ ବୋହୂ । କଅଁଳ ବୟସର ଦୁଇ ନାତି ନାତୁଣୀଙ୍କ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି ଜେଜେ ମାଆ । ଏଭଳି ଦୁଃଖରେ ଜୀବନ କାଟୁଛନ୍ତି ରାୟଗଡ଼ା ବିଷମକଟକ ବ୍ଳକ ପଥରଗଡ଼ର ସନାଇ ହିକକଙ୍କ ପରିବାର । ଏନେଇ ନ୍ୟୁଜ 18 ଓଡ଼ିଆ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
କଥା କଥାରେ ଆଖିର ଲୁହ ଆସିଯାଉଥିବା ଏହି ବୃ୍ଦ୍ଧା ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ ପଥରଗଡ଼ର ସନାଇ ହିକକ । ବୟସ ପାଖାପାଖି ୭୦ । ପରିବାର କହିଲେ ପୁଅ ବୋହୂ ଓ ଦୁଇ ନାତି ନାତୁଣୀ । ହେଲେ ଦୁଃଖର କଥ ଦୁଇ ନାତି ନାତୁଣୀଙ୍କୁ ଛାଡ଼ି ପୁଅ ବୋହୂ ଛାଡ଼ି ଚାଲିଯିବା ପରେ ଏବେ ଏହି ଦୁଇ ଶୁଶିଙ୍କ ବୋଝ ପଡ଼ିଛି ଅସହାୟ ବୃଦ୍ଧାଙ୍କ ଉପରେ । ସାନାଇଙ୍କ ଆଖିକୁ ଭଲଭାବେ ଦେଖାଯାଉନି ।
ରୋଜଗାର କହିଲେ ମାସକୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଏବଂ ପିଡିଏସ୍ ଚାଉଳ । ସେଥିରେ ଦୁଇ ଶିଶୁଙ୍କୁ ଦୁଇବୋଳି ରୋଷେଇ କରି ଦିଅନ୍ତି । ଆଖିକୁ ଦେଖାଯାଉ ନଥିବାରୁ ବେଳେବେଳେ ରୋଷେଇରେ କୁନି ନାତି ନାତୁଣୀ ସାହାଯ୍ୟ କରନ୍ତି । ଆଉ ମାସିକ ଭତ୍ତା ଓ ପିଡିଏସ୍ ଚାଉଳ ସରିଗଲେ ପର ଉପରେ ହାତ ପତାନ୍ତି । ସାହି ପଡ଼ୋଶୀ ହାତ ଟେକି ଯାହା ଦିଅନ୍ତି ତାକୁ ଖାଇ ତିନି ପ୍ରାଣୀଙ୍କ ଜୀବନ କଟେ ।
ସନାଇଙ୍କ କାହାଣୀ କିଛି ଫିଲ୍ମଠୁ କମ୍ ନୁହେଁ । ପାଞ୍ଚ ବର୍ଷ ତଳେ ପୁଅ କୌଣସି ଘଟଣାରେ ଜେଲ୍ ଯିବା ପରେ ଆଉ ଘରକୁ ଫେରି ନଥିଲେ । ଏହାପରେ ବୋହୂ ମଧ୍ୟ ଦୁଇ ଶିଶୁଙ୍କୁ ବୃଦ୍ଧା ଶାଶୂଙ୍କ ପାଖରେ ଛାଡ଼ି ଘର ଛାଡ଼ି ପଳାଇଥିଲେ । ଆଉ ସେବେଠାରୁ ଦୁଇ କୋମଳମତୀ ଶିଶୁଙ୍କୁ ଧରି ଜୀବନ କାଟୁଛନ୍ତି ସନାଇ । ଦିନରେ ସୂର୍ଯ୍ୟ କରିଣ ପଡ଼ୁଥିବା ଏହି ଘରେ ସନାଇ ରୁହନ୍ତି । ବର୍ଷାରେ ମୁଣ୍ଡ ଉପରେ କୁଲା ରଖି ଦୁଇ ଶିଶୁଙ୍କୁ ବର୍ଷାରୁ ରକ୍ଷା କରନ୍ତି । ନଚେତ ପଡ଼ୋଶୀ ଘର ବାରଣ୍ଡାକୁ ଚାଲି ଯାଆନ୍ତି ।
ଏନେଇ ଖବର ପାଇବା ପରେ ଗାଁରେ ପହଞ୍ଚି ସନେଇଙ୍କ ଦୁଃଖ ଶୁଣିଥିଲା ନ୍ୟୁଜ 18 ଓଡି଼ଆ ଟିମ୍ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ହସ୍ତକ୍ଷେପ କରି ବିଡ଼ିଓଙ୍କୁ ପଠାଇ ଉକ୍ତ ପରିବାରକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସନାଇଙ୍କ ଏପରି ଅବସ୍ଥା ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାସହ ସହଯୋଗର ହାତ ବଢ଼ାଇ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ ।
ପଢନ୍ତୁ ଏହି ଖବର:
Recharge Plan Offer: ବମ୍ପର ରିଚାର୍ଜ ପ୍ଲାନ୍...ମାଗଣାରେ ପାଆନ୍ତୁ ୫୦ ଜିବି ଡାଟାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।