ଷ୍ଟ୍ରିଟ କ୍ରାଇମକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ; ବନ୍ଧା ହେଲେ ୯ ମୋବାଇଲ ଲୁଟେରା

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ସ୍ନାଚିଂ କରି ଫେରାର ହେଉଥିବା ଅପରାଧୀଙ୍କୁ ଧରିବାକୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଲଗାତାର ଦୁଇଦିନ ଅପରାଧୀଙ୍କୁ ଟ୍ରାକ କରି ୫ ଥାନା ଅଞ୍ଚଳରୁ ୯ ଅପରାଧୀଙ୍କୁ ଧରିଛି ପୋଲିସ ।

ବନ୍ଧା ହେଲେ ୯ ମୋବାଇଲ ଲୁଟେରା (ପ୍ରତୀକାତ୍ମକ ଛବି)

ବନ୍ଧା ହେଲେ ୯ ମୋବାଇଲ ଲୁଟେରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ଛକ ହେଉ ଅବା ଗଳିକନ୍ଦି । ରାଜରାସ୍ତା ହେଉ ଅବା ହାଟ ବଜାର । ସବୁଠି  ଆଖି ପିଛୁଳାକେ ମୋବାଇଲ ଝାମ୍ପି ନେଉଥିଲେ  ଅପରାଧୀ । ରାସ୍ତାରେ ଯିବା ଆସିବା ହେଉ ବା ହାଟ ବଜାର ହେଉ ସବୁଠି ଏମାନଙ୍କ ଦୌରାତ୍ମ ବୃଦ୍ଧି ପାଇଥିଲା ।  ରାଜଧାନୀର ବିଭିନ୍ନ‌ ଥାନା ଅଞ୍ଚଳରେ ସ୍ନାଚିଂ କରି ଫେରାର ହେଉଥିବା ଅପରାଧୀଙ୍କୁ ଧରିବାକୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଲଗାତାର ଦୁଇଦିନ ଅପରାଧୀଙ୍କୁ ଟ୍ରାକ କରି ୫ ଥାନା ଅଞ୍ଚଳରୁ ୯ ଅପରାଧୀଙ୍କୁ ଧରିଛି କମିଶନରେଟ୍ପୋଲିସ ।

କମିଶନରେଟ ପୋଲିସ ସୂଚନା ଅନୁସାରେ, ଅପରାଧୀମାନେ ସହରର ବିଭିନ୍ନ ଛକ ଓ ଗଳି ଇ ସପିଂ ମଲ ସାଇଡ଼ରେ ଛକି ରହୁଥିଲେ । ସୁବିଧା ସୁଯୋଗ ଦେଖି ମୋବାଇଲ ଝାମ୍ପି ଫେରାର ହେଉଥିଲେ । ଗିରଫ ମଧ୍ୟରେ ଅଛନ୍ତି ଚନ୍ଦ୍ରଶେଖରପୁର ଥାନାରୁ ଜଣେ, ଭରତପୁରରୁ ଜଣେ, ସହିଦନଗର ଥାନା ଅଞ୍ଚଳରୁ ୨ଜଣ, ଖାରବେଳ ନଗର ଥାନା ଅଞ୍ଚଳରୁ ୨ ଜଣ ସହ ଖଣ୍ଡଗିରି ଅଞ୍ଚଳରୁ ଦୁଇ ଜଣଙ୍କୁ ଗରଫ କରିଛି କମିଶନରେଟ ପୋଲିସ।

"ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି । ଗତ ଦୁଇଦିନରେ ରାଜଧାନୀରୁ ଗିରଫ ହୋଇଛନ୍ତି କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ବିଭିନ୍ନ ଥାନା ଅଧିନରୁ ୯ ଅଭ୍ୟାସଗତ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଲୁଟେରାମାନେ ଦୀର୍ଘଦିନ ଧରି ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ଚୋରି, ଲୁଟ୍‌, ଛିନତାଇ କରୁଥିଲେ । ଲୁଟ୍ କରିବାକୁ ଲୁଟେରାମାନେ ଚୋରି ଗାଡ଼ି ବ୍ୟବହାର କରୁଥିଲେ । ସେମାନଙ୍କଠାରୁ ୩୬ଟି ନାମୀଦାମୀ ମୋବାଇଲ ସମେତ ଏକ ସ୍କୁଟି ଜବତ କରାଯାଇଛି । ସେହିଭଳି ଖଣ୍ଡଗିରି ଥାନା ପୋଲିସ ମଧ୍ୟ ଦୁଇ କୁଖ୍ୟାତ ଲୁଟେରାକୁ ଗିରିଫ କରିଛି । ଦୁଇ ଲୁଟେରା ବିଜୟ କୁମାର ପ୍ରଧାନ ଓ ଜୟକୃଷ୍ଣ ପ୍ରଧାନ । ସେମାନଙ୍କ ଠାରୁ ୧୦ଟି ମୋବାଇଲ ସହ ଗୋଟିଏ ପଲସର ଟୁ ଟ୍ବେଣ୍ଟି ବାଇକ୍ ଜବତ କରାଯାଇଛି " କହିଛନ୍ତି ଭୁବନେଶ୍ୱର ଡ଼ିସିପି  ପ୍ରତୀକ ସିଂ  ।

ସୂଚନାଯୋଗ୍ୟ, ଖଣ୍ଡଗିରିରୁ ଧରାପଡ଼ିଥିବା ଦୁଇ ଅପରାଧୀ ପ୍ରଥମେ ଇନଫୋସିଟି ଥାନା ଅଞ୍ଚଳରୁ ଗୋଟିଏ ମୋବାଇଲ ଝାମ୍ପିଲେ ପରେ ଚନ୍ଦ୍ରଶେଖରପୁର ଗୋଟିଏ ପରେ ନୟାପଲ୍ଲୀ ଥାନା ଅଞ୍ଚଳରୁ ୨ଟି ଓ ଖଣ୍ଡଗିରି ଅଞ୍ଚଳରୁ ଗୋଟିଏ ମୋବାଇଲ ଝାମ୍ପି ଥିଲେ ।  ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଓ ବିଭିନ୍ନ ଥାନାର  ପିଓପିଡି ଟିମ ଲୁଟେରାଙ୍କ ପିଛା କରିଥିଲେ ।  ଶେଷରେ ତମାଣ୍ଡୋ ପାଖରୁ ୨ ଜଣଙ୍କୁ କାବୁ କରିବା ପରେ ତାଙ୍କଠୁ ୧୫ଟି ମୋବାଇଲ ଜବତ ହୋଇଥିଲା ।
Published by:Soumya Das
First published: