Panchayat Election: ଯାଜପୁରର ନଗଡାରେ ୮୩% ଓ ନିୟମଗିରିରେ ୮୦% ମତଦାନ ହୋଇଛି

ଯାଜପୁରର ନଗଡାରେ ୮୩% ଓ କଳାହାଣ୍ଡିର ନିୟମଗିରିରେ ୮୦% ଭୋଟିଂ ହୋଇଛି। ୨୦ବର୍ଷ ପରେ ଭୋଟ ଦେଇଛନ୍ତି ଅପହଞ୍ଚ ଇଲାକାର ଭୋଟର। ଯାହାର ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି (ପ୍ରତୀକାତ୍ମକ ଛବି)

ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଦିନ ରାଜ୍ୟରେ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକର ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମୋଟ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧,୨୫୪ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ 1୭,୦୮୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ଯାଜପୁରର ନଗଡାରେ ୮୩% ଓ କଳାହାଣ୍ଡିର ନିୟମଗିରିରେ ୮୦% ଭୋଟିଂ ହୋଇଛି। ୨୦ବର୍ଷ ପରେ ଭୋଟ ଦେଇଛନ୍ତି ଅପହଞ୍ଚ ଇଲାକାର ଭୋଟର। ଯାହାର ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

ଏହି ପର୍ଯ୍ୟାୟରେ ମୋଟ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୩% ମତଦାନ ହୋଇଛି। ଚାରି ପାଞ୍ଚଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୬୬ ବ୍ଳକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଅଛି। ଏହି ସବୁ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗରୁମରେରେ ସୁରକ୍ଷିତ ଭାବେ ରଖାଯାଇଅଛି । ଷ୍ଟ୍ରଙ୍ଗରୁମ ପାଇଁ ସିସିଟିଭି, ୨୪ ଘଣ୍ଟା ବିଜୁଳି ସହିତ ପାୱାର ବ୍ୟାକଅପ୍ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଵା କମିଶନଙ୍କ କହିଛନ୍ତି। ଭୋଟ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗରୁମ ନ ଖୋଲିବା ପାଇଁ କହିଛନ୍ତି। ସେହିପରି ସାନି ମତଦାନରେ ବ୍ୟବହୃତ ହୋଇଥିବା ଭୋଟ ବାକ୍ସ ଗୁଡିକୁ ଅଲଗା ଜାଗାରେ ସୁରକ୍ଷିତ ରଖୁବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭୋଟ ଗଣତି ଦିନ ସମସ୍ତ କାଉଣ୍ଟିଙ୍ଗ ଏଜେଣ୍ଟ ଓ ଭୋଟ ଗଣନା ପାଇଁ ନିୟୋଜିତ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ ଯେପରି କେହି କାଉଣ୍ଟିଙ୍ଗ ହଲ ଭିତରକୁ ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଡିଭାଇସ, କୌଣସି ପ୍ରକାର ସିଲ କିମ୍ବା ଷ୍ଟାମ୍ପପେଡ, ସ୍ପାଇ ଓ ସେହି ପ୍ରକାରର ଜିନିଷ ନେଇ ଯାଇ ପାରିବେ ନାହିଁ ବୋଲି କମିଶନ କହିଛନ୍ତି।

ଗୋଟିଏ ପଟେ କମିଶନ ମୁକ୍ତ ଅବାଧ ନିରପେକ୍ଷ ନିର୍ବାଚନ କଥା କହୁଥିବା ବେଳେ ଅଭିଯୋଗର ଲମ୍ବା ଫର୍ଦ ଲମ୍ବି ଚାଲିଛି। ପ୍ରତ୍ୟେକ ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଉଛନ୍ତି ରାଜନୈତିକ ଦଳ।

ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡିର ଏକ ପ୍ରତିନିଧି ଦଳ। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ‘‘ନିର୍ବାଚନର ଆସନ ପରାଜୟ ଭୟରେ ନିଜ ରକ୍ତ ଚରିତ୍ର ଦେଖାଇଛି ବିଜେପି। । ଧାମନଗର ଅଞ୍ଚଳରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ହତ୍ୟା କରାଯାଇଛି। ବିଜେପିର ପୂର୍ବତନ ମନ୍ତ୍ରୀ ଓ ଶୀର୍ଷ ନେତୃତ୍ବ ଏହି ହତ୍ୟା କରିଛନ୍ତି। ମନମୋହନ ସାମଲଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରରଚନାରେ ଏହି ହତ୍ୟାକାଣ୍ଡ ହୋଇଛି। ସୋମବାର ରାତି ୯ଟା ବେଳେ ମନମୋହନ ସାମଲ ଓ ତାଙ୍କର କିଛି ସହକର୍ମୀ ଯେଉଁମାନେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ତାଙ୍କୁ ଧମକ ଦିଆଯାଇଥିଲା ପ୍ରଚାର ନକରିବା ପାଇଁ। ଧମକ ପରେ ତାଙ୍କୁ ଗୋଡାଇ ଗୋଡାଇ ମାଡ଼ ମରାଯାଇଛି। ନିର୍ବାଚନ ଆସିବ ଯିବ କିନ୍ତୁ କର୍ମୀଙ୍କୁ ହତ୍ୟା କରିବା ପାଇଁ ବିଜେପି ରାଜ୍ୟ ଶାଖା ରକ୍ତମୁଖା ହୋଇପଡ଼ିଛି। ଏହା ହେଉଛି ପ୍ରଥମ ରାଜନୈତିକ ହତ୍ୟା । ଆମେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରୁ ଆଶା ରଖୁଛୁ ମନମୋହନ ସାମଲ ଓ ତାଙ୍କ ସହକର୍ମୀମାନେ ଯେଉଁମାନେ ହତ୍ୟାରେ ସମ୍ପୃକ୍ତ ସେମାନଙ୍କୁ ଗିରଫ କରାଯାଉ।’’

ନିରପେକ୍ଷ ନିର୍ବାଚନ ତୁଲାଇବାରେ ସଫଳ ନୁହଁନ୍ତି କମିଶନ ବୋଲି ବିଜେପି ଅଭିଯୋଗ କରିଛି। ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୄତ୍ବରେ ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି।

ମୁଖପାତ୍ର ଠାକୁର ରଞ୍ଜିତ କହିଛନ୍ତି, "ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେଲାଣି। କିନ୍ତୁ ବୁଥରେ ମୁଖ୍ୟ ମନ୍ତ୍ରୀଙ୍କ ପୋଷ୍ଟର ହଟିନି। ଏ ସମ୍ପର୍କରେ ନିର୍ବାଚନ ପୂର୍ବରୁ କମିଶନଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ବାର ବାର ଅଭିଯୋଗ କରିଥିଲେ ସୁଦ୍ଧା ବିଭିନ୍ନ ଯୋଜନାର ମୁଖ୍ୟ ମନ୍ତ୍ରୀଙ୍କ ପୋଷ୍ଟର ହଟାଇ ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ ଇ. ବିଶ୍ୱେଶ୍ୱର ଟୁଡୁ ଏକ ବୁଥକୁ ଭୋଟ ଦେବାକୁଯାଇଥିବା ବେଳେ ବୁଥ ଭିତରେ ମୁଖ୍ୟ ମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିବା ନଜରକୁ ଆସିଥିଲା। ଏ ସମ୍ପର୍କରେ ବିଜେପିର ଏକ ଟିମ ନିର୍ବାଚନ କମିଶନଙ୍କୁ ଅବଗତ କରାଇବାକୁ ଆସିଥିଲା। ଏଥୁରୁ ସ୍ପଷ୍ଟ ହୋଇଛି ନିରପେକ୍ଷ ନିର୍ବାଚନ କରାଇବାରେ କମିଶନ କେତେ ସଫଳ ହୋଇଛନ୍ତି ତାହା ରାଜ୍ୟ ବାସୀ ଜାଣନ୍ତୁ।’’

ବିଜେଡି କର୍ମଙ୍କୁ ହତ୍ୟା ପ୍ରସଙ୍ଗରେ ବିଜେପି ନେତା ମନମୋହନ ସାମଲ ସମ୍ପୃକ୍ତି ଥିବା ପ୍ରସଙ୍ଗରେ ବିଜେପି ମୁଖପାତ୍ର କହିଛନ୍ତି ଯେ ମଦ ପିଇ ମୃତ୍ୟୁ ହୋଇଥିବା ଘଟଣାକୁ ବିଜେପି ନେତାଙ୍କ ଉପରେ ଅଠା ଲଗାଉଛି ଶାସକ ଦଳ। ଗାଁ ଗହଳିରେ ମଦ ବିକ୍ରି ହେଉଛି। ନିଜେ କର୍ମୀଙ୍କୁ ମଦ ଯୋଗାଉଛନ୍ତି ଆଉ କିଛି ଘଟିଲେ ତାକୁ ହତ୍ୟାର ବୋଲି କହୁଛନ୍ତି ଏହାଠାରୁ ନିନ୍ଦନୀୟ କିଛି ନାହିଁ। ବିଜେଡି ହୀନ ରାଜନୀତି କରୁଛି। ରାଜ୍ୟରେ ବିଭିନ୍ନ ଜାଗାରେ ହିଂସାକାଣ୍ଡ ଘଟୁଛି। ଏହି ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଜାଣିଶୁଣି ଏମିତି ମିଥ୍ୟା ଆରୋପ ଲଗାଉଛନ୍ତି ଶାସକ ଦଳ ମୁଖପାତ୍ର ମାନେ। କେବଳ ସ୍ଵାଂଗ ଓ ଡ୍ରାମା କରୁଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କୁ କଂଗ୍ରେସର ପ୍ରତିନିଧି ଦଳ ଭେଟି ଅଭିଯୋଗ ପତ୍ର ଦାଖଲ କରିଛି। କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର କହିଛନ୍ତି, "ଢ଼ିଙ୍କିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେଉଛି। ସାଶକ ଦଳର ଲୋକେ ଭୋଟରଙ୍କୁ ଧମକାଉଛନ୍ତି। ଭୋଟ କେନ୍ଦ୍ରକୁ ଆସିବାକୁ ଦେଉ ନାହାଁନ୍ତି। ତେଣୁ ଭୋଟରମାନଙ୍କ ନିଜ ଅଞ୍ଚଳରେ ଅର୍ଥାତ୍ ସେହି ଗାଁରେ ମତଦାନ କେନ୍ଦ୍ର ଖୋଲିବାକୁ କଂଗ୍ରେସର ଦାବି।

ସାମ୍ବାଦିକ ଉପରେ ହେଉଥିବା ଆକ୍ରମଣ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଭଦ୍ରକ ଚାନ୍ଦବାଲି ଘଟଣାରେ ଜଣେ ବି ଦୋଷୀଙ୍କୁ ଧରା ଯାଇ ନଥିବାରୁ ତୁରନ୍ତ ସମସ୍ତଙ୍କୁ ଧରିବା ପାଇଁ କଂଗ୍ରେସର ଦାବିସାଲେପୁର ବିଇଓ ସାଶକ ଦଳ ପାଇଁ ପ୍ରଚାର କରୁଥିବା ଭିଡ଼ିଓ ଭାଇରାଲ ହେଉଥିବାରୁ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସର ଦାବି କରିଛି।
Published by:Lipina Das
First published: