News 18 Odia Digital
ସମ୍ୱଲପୁର; ହୀରାକୁଦରେ ୩୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ଏବେ ୮ଟି ଗେଟକୁ ବନ୍ଦ କରାଯାଇଛି । ଫଳରେ ତଳିଆ ଅଞ୍ଚଳର ଲୋକେ ବନ୍ୟା ଭୟରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । ବର୍ତ୍ତମାନ ଡ୍ୟାମର ୨୬ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି ।
ଶନିବାର ଦିନ ହୀରାକୁଦରେ ୩୪ଟି ଗେଟ୍ ଖୋଲିବା ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ମନରେ ଛନକା ପସିଥିଲା । କ୍ରମାଗତ ଭାବରେ ମହାନଦୀ ଓ ଶାଖାନଦୀ ଗୁଡ଼ିକ ଫୁଲିବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ମୁଣ୍ଡଳୀରେ ଆଜି ୧୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆଶଙ୍କା କରାଯାଉଛି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀ ଜଳଭଣ୍ଡାରରେ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ସେପଟେ ଗତକାଲି ଆସିଥିବା ରିପୋର୍ଟ ଅନୁସାରେ ଛତିଶଗଡ଼ ଓଡ଼ିଶାକୁ ଅନୁରୋଧ କରିଥିଲା ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ । କିନ୍ତୁ ଓଡ଼ିଶା ଆବଶ୍ୟକତା ଅନୁଯାୟୀ ଗେଟ୍ ଖୋଲିବା ଓ ବନ୍ଦ କରିବାକୁ ନିଷ୍ପତି ନେଇଛି । ମହାନଦୀରେ ବନ୍ୟା ଆସିବା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ସମ୍ୱଲପୁର, କଟକ, ଜଗତସିଂହପୁରର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ଅନେକ ରାସ୍ତାରେ ଆଣ୍ଠୁଏ ପାଣି ଜମାହୋଇ ରହିଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆସନ୍ତା ୧୭ ତାରିଖରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଯଦି ଅଧିକ ବର୍ଷା ହୁଏ ତେବେ ଜଳ ଭଣ୍ଡାରରେ ଆହୁରି ଅଧିକ ଜଳ ପ୍ରବେଶ କରିବା ସହ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।