ଚଳିତ ବର୍ଷ ଖରିଫ ଋତୁର ୮ ଫସଲ, ରବି ଋତୁର ୯ ଫସଲ ହେବ ବୀମାଭୁକ୍ତ

ଚଳିତ ବର୍ଷ ଖରିଫ ଋତୁର ୮ ଫସଲ, ରବି ଋତୁର ୯ ଫସଲକୁ ବୀମାଭୁକ୍ତ କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଫସଲ ବୀମା ସମନ୍ବୟ କମିଟି ବୈଠକ

ଫସଲ ବୀମା ସମନ୍ବୟ କମିଟି ବୈଠକ

  • Share this:
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁର ୮ ଫସଲ, ରବି ଋତୁର ୯ ଫସଲକୁ ବୀମାଭୁକ୍ତ କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଖରିଫର ଧାନ, ଚିନାବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଏବଂ ହଳଦୀ, ରବିର ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ, ପିଆଜ ଆଦି ରହିଛି।

ଧାନ ଫସଲ ପାଇଁ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ, ଅଣଧାନ ଫସଲ ପାଇଁ ବ୍ଲକକୁ ବୀମା ୟୁନିଟ ଭାବରେ ବିଚାର କରାଯିବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ଫସଲ ବୀମା ପଞ୍ଜୀକରଣର ଶେଷ ତାରିଖ ଭାବରେ ଧାର୍ଯ୍ୟ ହୋଇଛି। ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କ ବୀମା ସଂପୃକ୍ତ ବ୍ୟାଙ୍କ ମାଧ୍ୟମରେ ହେବ। ଯେଉଁମାନେ ଚାଷ ଋଣ ନେଉ ନାହାଁନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର, ସର୍ଭିସ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସଂପୃକ୍ତ ଜିଲ୍ଲା ପାଇଁ ନିର୍ଧାରିତ ଫସଲ ବୀମା କମ୍ପାନିର ଏଜେଣ୍ଟ ଜରିଆରେ ବୀମା କରାଇପାରିବେ।

କୃଷି ନିର୍ଦ୍ଦେଶକ ମୁଥୁ କୁମାର ଜଣାଇଥିଲେ ଯେ, ରାଜ୍ୟର ଶସ୍ୟ ପ୍ରଧାନମନ୍ତ୍ରୀ ଫସଲ ଯୋଜନା ଅନୁସାରେ କରାଯାଉଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି। ବୀମା ପ୍ରିମିୟମର ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି, ଚାଷୀ ୨ ଭାଗ ଦିଅନ୍ତି। ୨୦୨୧ ମସିହା ଖରିଫ ଋତୁରେ ୧୨.୩୦ ଲକ୍ଷ ଚାଷୀଙ୍କ ୧୦.୫୦ ଲକ୍ଷ ହେକ୍ଟର ଚାଷ ବୀମାଭୁକ୍ତ ହୋଇଥିଲା। ଖରିଫ ଓ ରବିରେ ଋଣ ନେଉଥିବା ଅଧିକରୁ ଅଧିକ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସଞ୍ଜୀବ ଚଢ଼ା ଚଳିତ ବର୍ଷ ପାଇଁ ଫସଲ ବୀମା ସମ୍ବନ୍ଧିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ବୀମା ସର୍ତ୍ତ ଅନୁସାରେ ଚାଷୀଙ୍କୁ ତୁରନ୍ତ ବୀମା ରାଶି ଯୋଗାଇ ଦେବା ପାଇଁ ବୀମା କମ୍ପାନିକୁ ନିର୍ଦେଶ ହୋଇଥିଲା। ଶସ୍ୟ ୱାରି ଚାଷ ହୋଇଥିବା କ୍ଷେତର ପରିମାଣ, ଅମଳ ହାର ନିର୍ଧାରଣ ନିମନ୍ତେ ଆଧୁନିକ ସାଟେଲାଇଟ ଗବେଷଣା କୌଶଳଗୁଡ଼ିକ ପ୍ରୟୋଗ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ଏଥିପାଇଁ ସମନ୍ବିତ ବୈଷୟିକ କାର୍ଯ୍ୟନ୍ବୟନ ଯୋଜନା ପ୍ରସ୍ତୁତ ପାଇଁ କୃଷି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାମାଣିତ ହୋଇଥିବା ସାଟେଲାଇଟ୍ କୌଶଳଗୁଡ଼ିକୁ ଓଡ଼ିଶା କୃଷି ଜଳବାୟୁ ଅନୁସାରେ ନବୀକୃତ କରିବାକୁ ଉନ୍ନୟନ କମିସନର ପ୍ରଦୀପ ଜେନା ନିର୍ଦେଶ ଦେଇଥିଲେ। ସାଟେଲାଇଟ୍ ଚିତ୍ର ଏବଂ ତଥ୍ୟଭିତ୍ତିକ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତି ଓ ଫସଲ ବୀମାର ସମ୍ପ୍ରସାରଣରେ ଅଧିକ ସହାୟକ ହେବ ବୋଲି ଶ୍ରୀ ଜେନା କହିଥିଲେ। ଆଗାମୀ ବର୍ଷ ଠାରୁ ସାଟେଲାଇଟ୍ କୌଶଳ ଭିତ୍ତିରେ ରାଜ୍ୟର ସବୁ ଅଞ୍ଚଳରେ ଶସ୍ୟ ଓ୍ବାରି ଚାଷ ହୋଇଥିବା ଜମି ପରିମାଣ ଓ ଅମଳ ହାର ଆକଳନ ପାଇଁ ବୈଠକରେ ସ୍ଥିର ହୋଇଥିଲା।
Published by:Soumya Das
First published: