News 18 Odia Digital
କଟକ; ଖେଳନା ବନ୍ଧୁକକୁ ହାତରେ ଧରି ଅପରାଧୀମାନଙ୍କ ଷ୍ଟାଇଲରେ ଇନଷ୍ଟାଗ୍ରାମ ରିଲ କରୁ କରୁ ଶେଷରେ ରିୟଲ ଲାଇଫରେ ଅପରାଧୀ ପାଲଟି ଗଲେ କଟକର ୭ ଜଣ ଯୁବକ । କଟକ ସଦର ଅଞ୍ଚଳର ଏକାଧିକ ଡକାୟତୀ ମାମଲାର ତଦନ୍ତ କରୁଥିବା ପୋଲିସ ହାତରେ ଧରାପଡିଛନ୍ତି ରିଲରୁ ରିୟଲ ଲାଇଫରେ ଅପରାଧି ପାଲଟିଥିବା ଗ୍ୟାଙ୍ଗ ।
ଅଭିଯୁକ୍ତଙ୍କ ପାଖରୁ ଗୋଟିଏ କାର, ତିନିଟି ବାଇକ ସହ ବିଭିନ୍ନ ସମୟରେ ଲୁଟ କରିଥିବା ୩୭ ହଜାର ଟଙ୍କା, ଏକ ଲୁହା ରଡ଼, ୩୭ ଗ୍ରାମର ସୁନା ଅଳଙ୍କାର, ୨୦ଟି ଓ୍ବାକି ଟକି, ୧୩ଟି ମୋବାଇଲ ଏବଂ ଏକ ଖେଳନା ବନ୍ଧୁକ ଜବତ ହୋଇଛି । ଯେଉଁ ଖେଳନା ବନ୍ଧୁକକୁ ବ୍ୟବହାର କରି ଏହି ଗୋଷ୍ଠୀର ସଦସ୍ୟମାନେ ଇନଷ୍ଟାଗ୍ରାମରେ ରିଲ ପ୍ରସ୍ତୁତ କରୁଥିଲେ ଶେଷରେ ସେହି ବନ୍ଧୁକକୁ ଦେଖାଇ ଡକାୟତି କରିଛନ୍ତି ଅଭିଯୁକ୍ତ । ଗୋଟିଏ କି ଦୁଇଟି ନୁହେଁ ଗତ ଦୁଇ ମାସ ମଧ୍ୟରେ ସଦର ଥାନା ଅଞ୍ଚଳରେ ୪ଟି ଡକାୟତି ଘଟଣାକୁ ଅଞ୍ଜାମ ଦେଇଛନ୍ତି ଏହି ଅପରାଧୀ ଗୋଷ୍ଠୀ । ରାତି ଅଧରେ ଜାତୀୟ ରାଜପଥରେ ରାହାଜାନୀ କରିବାଠାରୁ ଆରମ୍ଭ କରି ଲୋକଙ୍କ ଘରେ ପଶି ଡକାୟତି କରିବା ଭଳି କାର୍ଯ୍ୟରେ ଏମାନେ ଲିପ୍ତ ଥିବା କହିଛି ପୋଲିସ ।
ଏହି ୭ ଜଣିଆ ଗ୍ୟାଙ୍ଗ ମଧ୍ୟରେ ଜଣେ ନାବାଳକ ରହିଛି । ସଦରଥାନା ଅନ୍ତର୍ଗତ ଉରାଳି ବାସିନ୍ଦା ମଦନ ବେହେରା ସାଜିଥିଲା ସମସ୍ତଙ୍କ ଲିଡର । ମଦନ ନିଜ ଗ୍ୟାଙ୍ଗର ୩ ସଦସ୍ୟଙ୍କୁ କେବଳ ସୂଚନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିଥିଲା । ସୂଚନା ପାଇବା ପରେ ନାବାଳକ ଜଣଙ୍କ ସହ ମଦନ ବେହେରା, ଲକ୍ଷ ମହାରଣା ଓ ସିଦ୍ଧାର୍ଥ ଚୌଧୁରୀଙ୍କୁ ନେଇ ଗଠିତ ୪ ଜଣିଆ ଦଳ ଡକାୟତୀ କରୁଥିଲା । ତେବେ ଏମାନଙ୍କ ନାଁରେ ପୂର୍ବରୁ କଟକର ଏକାଧିକ ଥାନାରେ ମାମଲା ରହିଥିବା କହିଛନ୍ତି କଟକ ଡିସିପି ।
'ଏମାନେ ରାତିରେ ନିଛାଟିଆ ଯାଗା ଦେଖି ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଉଥିଲେ ଏବଂ ନିଜ ପାଖରେ ଥିବା ଖେଳନା ବନ୍ଧୁକ ଦେଖାଇ ଗାଡ଼ିରେ ଥିବା ଲୋକଙ୍କ ପାଖରୁ ଛିନ୍ତାଇ କରୁଥିଲେ । ବର୍ତ୍ତମାନ ସୁଦ୍ଧା ୪ଟି କେସରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଥିବା ସୂଚନା ମିଳିଛି । ଟେକନିକାଲ ଇନଭେଷ୍ଟିକେସନ ଚାଲିଛି । ତେଣୁ ଯଦି ଏମାନେ ଅନ୍ୟ କୌଣସି ସ୍ଥାନରେ ଏହି ଭଳି ଭାବେ ଅପରାଧିକ କାର୍ଯ୍ୟକଳାପ ଘଟାଇଥିବେ ତାହା ଜଣା ପଡ଼ିଯିବ' କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅପଶବ୍ଦ ବ୍ୟବହାର କରିବା ସହ ନିଜକୁ ଗୋଟିଏ ଗୋଟିଏ ଡନ ବୋଲି ପରିଚୟ ଦେଉଥିଲେ ଏହି ଗ୍ୟାଙ୍ଗ । ଏଥିସହ ପ୍ରତିଟି ସଦସ୍ୟଙ୍କ ଗଣ୍ଡାଗଣ୍ଡା ଭିଡ଼ିଓ ଇନଷ୍ଟାଗ୍ରାମରେ ରହିଛି । କିନ୍ତୁ ଏମାନଙ୍କର ଏହି ମାନସିକତା ଯେ ଏମାନଙ୍କୁ ସତରେ ଅପରାଧୀ ସଜାଇ ଦେବ ବୋଧ ହୁଏ ଏକଥା କେବେ କେହି ଭାବି ନଥିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।