News 18 Odia Digital
ବ୍ରହ୍ମପୁର; ରୋଗୀ ବେଶରେ ମେଡିକାଲରେ ଭର୍ତ୍ତି ହେଲେ ପୋଲିସ । ଏହାପରେ ଚିକିତ୍ସା ସେବାକୁ ନେଇ ଅସନ୍ତୋଷର ନାଟକ କଲେ । ଦଲାଲ ପାଖକୁ ଆସିବା ପରେ ୭ ଜଣକୁ ବାନ୍ଧିଲା ପୋଲିସ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଏମକେସିଜି ମେଡିକାଲରେ ।
ଏମକେସିଜି ମେଡିକାଲରେ ଦୀର୍ଘ ଦିନ ହେଲା ଦଲାଲ ରାଜ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଦଲାଲମାନଙ୍କୁ ଗିରଫ କରିବା ପାଇଁ ଆରମ୍ଭ କରିଥିଲା ଯୋଜନା । ଆଜି ପୋଲିସର ୧୫ ଜଣିଆ ଟିମ ମେଡିକାଲର ବିଭିନ୍ନ ୱାର୍ଡରେ ରୋଗୀ ବେଶରେ ଚିକିତ୍ସିତ ହେବାର ନାଟକ କରିଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସା ସେବା ଭଲ ମିଳୁନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୟରେ କିଛି ଦଲାଲମାନେ ରୋଗୀଙ୍କ ନିକଟରେ ପହଞ୍ଚିଥିଲେ । ରୋଗୀଙ୍କୁ ପ୍ରଲୋଭିତ କରି ଘରୋଇ ମେଡିକାଲ ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ରୋଗୀ ବେଶରେ ୱାର୍ଡରେ ରହିଥିବା ପୋଲିସ କର୍ମଚାରୀମାନେ ଦଲାଲମାନଙ୍କୁ କାବୁ କରିଥିଲେ । ଆଜି ମେଡିକାଲର ବିଭିନ୍ନ ୱାର୍ଡରୁ ମୋଟ ୭ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।
'' ଏହି ଦଲାଲ ମାନେ ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନଙ୍କୁ ବିଭିନ୍ନ ବିଷୟକୁ ନେଇ ପ୍ରଲୋଭିତ କରୁଥିଲେ । ରୋଗୀମାନଙ୍କୁ ମେଡିକାଲରେ ଦିଆଯାଉଥିବା ମାଗଣା ଚିକିତ୍ସା ଓ ମେଡିସିନ ଉପରେ ବିଶ୍ୱାସ ନ କରିବାକୁ କହୁଥିଲେ । କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟ ମଧ୍ୟରେ ଚିକିତ୍ସା ପାଇବାର ପ୍ରତିଶ୍ରୁତି ଦେଇ ଘରୋଇ ମେଡ଼ିକାଲକୁ ନେଇ ଯାଉଥିଲେ । ଘରୋଇ ମେଡିକାଲରେ ରୋଗୀମାନଙ୍କ ଠାରୁ ହଜାର ହଜାର ଟଙ୍କା ନେଇ ଯାଉଥିଲେ । ଆଜି ଗୋଟିଏ ଦିନରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି,'' ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ।
''ଦୀର୍ଘ ଦିନ ପରେ ପୋଲିସର ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ । ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ଦଲାଲମାନେ ଲୁଟି ନେଉଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିସିନଠାରୁ ଆରମ୍ଭ କରି ପରୀକ୍ଷା ଓ ଚିକିତ୍ସା ସେବା ଏମକେସିଜି ମେଡିକାଲରେ ମାଗାଣାରେ ଯୋଗାଇ ଦିଆଯାଉଛି । ତଥାପି ମଧ୍ୟ ରୋଗୀ ଏହାର ସୁବିଧା ପାଇବା ପୂର୍ବରୁ ହିଁ ଦଲାଲ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପ୍ରଲୋଭିତ କରାଇ ଘରୋଇ ମେଡ଼ିକାଲକୁ ନେଇ ଯାଉଛନ୍ତି । ଏଭଳି ଦଲାଲ ମାନଙ୍କୁ ଗିରଫ କରାଯିବା ପ୍ରକିୟା ଜାରୁ ରହୁ ବୋଲି ଅନୁରୋଧ କରିଛନ୍ତି,'' ବ୍ରହ୍ମପୁର ବାସିନ୍ଦା ଭଗବାନ ସାହୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।