କଟକ: ଫାଇନାନ୍ସ ସଂସ୍ଥା IIFLରେ ଲୁଟ୍ କରିଥିଲେ କର୍ମଚାରୀମାନେ; ନାଳରେ ଲୁଚାଇଥିଲେ ସୁନା
IIFL ବ୍ୟାଙ୍କରୁ ସୁନା ଲୁଟ୍ କାଣ୍ଡର ମାଷ୍ଟରମାଇଣ୍ଡ କଟକ କିଶୋରନଗର ବାସିନ୍ଦା ଲାଲା ଅମ୍ରିତ ରାୟ ପାଞ୍ଚ ବର୍ଷ ଧରି ସେଠାରେ ମୂଲ୍ୟାୟନ ଅଧିକାରୀ ଭାବେ କାମ କରୁଥିଲା । ତା’ ସମେତ ସାତ ଜଣ ଗିରଫ ହୋଇଛନ୍ତି ଓ ୪ କେଜି ସୁନା ଜବତ ହୋଇଛି ।

ନଭେମ୍ବର ୧୯ ତାରିଖରେ ଏହି ଲୁଟ୍ କାଣ୍ଡ ହୋଇଥିଲା ।
- News18 Odia
- Last Updated: November 24, 2020, 7:09 PM IST
କଟକ: କଟକର ଫାଇନାନ୍ସ ସଂସ୍ଥା ଆଇଆଇଏଫଏଲରୁ (IIFL) ପାଞ୍ଚ ଦିନ ତଳେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଆଉ କେହି ନୁହେଁ, ବରଂ ସେହି ସଂସ୍ଥାର କର୍ମଚାରୀମାନେ ହିଁ ଥିଲେ ଏହି ଡକାୟତି ଘଟଣାର ମାଷ୍ଟରମାଇଣ୍ଡ । ଏହି ମାମଲାରେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଚାରି ଜଣ ଲୁଟେରାଙ୍କ ସମେତ ମୋଟ ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ଚାରି କେଜି ଓଜନର ସୁନା ଜବତ କରିଛି ।
ପୋଲିସ ମଙ୍ଗଳବାର ଦିନ ଲାଲାକୁ ସାଥିରେ ଧରି ସିଡିଏ ସେକ୍ଟର ୯ରେ ଥିବା ଏକ ନାଳ ମଧ୍ୟରେ ସେ ଲୁଚାଇ ରଖିଥିବା ପ୍ରାୟ ଦୁଇ କେଜି ଓଜନର ସୁନାକୁ ଜବତ କରିଛି । ଅପରାହ୍ଣ ସୁଦ୍ଧା ଅନ୍ୟ ଅଭିଯୁକ୍ତମାନଙ୍କୁ ନେଇ ସହରର ବିଭିନ୍ନ ସ୍ଥାନରେ ସୁନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲାଲା ଅମ୍ରିତ ରାୟ, ରଞ୍ଜନ ରାୟ (ଲାଲାର ଭାଇ), ବାପୁ ଓରଫ ରଞ୍ଜନ ବେହେରା, ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା ଓ ବାପି ଓରଫ ସନ୍ତୋଷ ଭୋଇ । ଗରଫଦାରୀ ପରେ ସେମାନଙ୍କ ଠାରୁ ପ୍ରଥମେ ଦୁଇ କେଜି ଓଜନର ସୁନା ଅଳଙ୍କାରକୁ ପୋଲିସ ଜବତ କରିଥିଲା । ଫାଇନାନ୍ସ ସଂସ୍ଥାରେ ଚାଲିଥିବା ଏକ ବଡ଼ ଧରଣର ହେରଫେରକୁ ଲୁଚାଇବା ପାଇଁ ଡକାୟତିର ଏହି ଷଡ଼ଯନ୍ତ୍ର ରଚନା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ ।

ପୋଲିସ କମିଶନର ସୁଧାଶୁଂ ଷଢ଼ଙ୍ଗୀ
“ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ପ୍ରଥମ କିଛି ସମୟର ପଚରାଉଚରାରୁ ହିଁ ଏହି ଘଟଣାରେ ସଂସ୍ଥାର କର୍ମଚାରୀମାନେ ସାମିଲ ଥିବା ସନ୍ଦେହ ହେଉଥିଲା । ଏହା ବ୍ୟତିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲାଲାର ପୁରୁଣା ରେକର୍ଡ଼ ଦେଖି ତା’ ଉପରେ ଆମର ସନ୍ଦେହ ଆହୁରି ବଢ଼ିଥିଲା । ଏହି ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସର ୧୩ ଜଣ ଅଫିସର ଏବଂ ହାଇଦ୍ରାବାଦ ପୋଲିସର ଜଣେ ଅଧିକାରୀଙ୍କ ସହଯୋଗ ନିଆଯାଇଥିଲା । ସମସ୍ତଙ୍କ ଉଦ୍ୟମ ଫଳରେ ମାତ୍ର ଛଅ ଦିନରେ ଏହି ଘଟଣାର ଆମେ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛୁ,” କହିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଶୁଂ ଷଢଙ୍ଗୀ ।
ଏହି ଲୁଟ କାଣ୍ଡରେ କେତେ ଲୋକଙ୍କ ସମ୍ପୃକ୍ତି ରହିଛି ଓ ବାସ୍ତବିକ ବ୍ୟାଙ୍କ କେତେ ସୁନା ଥିଲା ଓ କେତେ ଲୁଟ ହୋଇଛି ସେ ବାବଦରେ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।
ଆଇଆଇଏଫଏଲ ବ୍ୟାଙ୍କରେ ପାଞ୍ଚ ବର୍ଷ ଧରି ମୂଲ୍ୟାୟନ ଅଧିକାରୀ ଭାବେ କାମ କରୁଥିବା ଲାଲା ଅମ୍ରିତ ରାୟ ମୁଳତଃ କଟକ କିଶୋରନଗର ବାସିନ୍ଦା । ଲାଲା ସେଠାରେ ଏକ ବଡ଼ ଧରଣର ଘୋଟାଲା କରିଥିଲା । ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ନିଜ ବ୍ୟାଙ୍କରେ ବନ୍ଧକ ଥିବା ସୁନା ଅଳଙ୍କାରକୁ ସେ ବେଆଇନ ଭାବେ ବିଭିନ୍ନ ବ୍ୟାଙ୍କରେ ବନ୍ଧକ ରଖି ଲକ୍ଷାଧିକ ଟଙ୍କାର କମିଶନ ପାଉଥିଲା । ପୂର୍ବରୁ ଅଡିଟ୍ରେ ଆସୁଥିବା ଅଧିକାରୀମାନଙ୍କୁ ହାତ କରି ଲାଲା ଏହି କାର୍ଯ୍ୟ ଜାରି ରଖିଥିବା ବେଳେ କିଛି ଦିନ ତଳେ ଜଣେ ନୂଆ ଅଡିଟର ଆସିବା ଫଳରେ ଗୁମର ଖୋଲିଯିବା ଭୟରେ ନିଜର ସାଙ୍ଗମାନଙ୍କ ସହ ମିଶି ଗତ ୧୯ ତାରିଖ ଦିନ ନିଜ ବ୍ୟାଙ୍କକୁ ନିଜେ ଲୁଟ୍ କରିଥିଲା ସେ।

ସିସିଟିଭି ଫୁଟେଜରୁ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା ।
ଲାଲା ଓ ତା’ ଭାଇ ରଞ୍ଜନ ପୂର୍ବରୁ ମଙ୍ଗଳାବାଗର ଏକ ବ୍ୟାଙ୍କରୁ ସୁନା ଲୁଟ ଘଟଣା ସାମିଲ ଥିବା କଥା ଜଣା ପଡ଼ିବା ପରେ ପୋଲିସର ତା’ ଉପରେ ସନ୍ଦେହ ବଢିଥିଲା । ଜେରା ସମୟରେ ପୋଲିସ ଆଗରେ ସବୁ କଥା ଓଗାଳିଥିଲା ଲାଲା । ଏହି ଘଟଣା ପରେ ବ୍ୟାଙ୍କର ଆର୍ଥିକ କାରବାର ଓ ସୁନା ବନ୍ଧକ ରଖିବା ପ୍ରକ୍ରିୟା ଉପରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଛି । ଲାଲା ଭଳି ବ୍ୟାଙ୍କର ଅନେକ କର୍ମଚାରୀ ଅର୍ଥ ହେରଫେର ପ୍ରତ୍ୟକ୍ଷ ଭାବେ ସାମିଲ ଅଛନ୍ତି ଓ ଅନେକ ମିଛ ଗ୍ରାହକ ତିଆରି କରି ବ୍ୟାଙ୍କରେ ସୁନା ବନ୍ଧକ ରଖାଯାଉଥିବା ମଧ୍ୟ ପୋଲିସର ସନ୍ଦେହ ଘେରକୁ ଆସିଛି ।
ଓଡ଼ିଶାରେ IIFL ଫିନାନ୍ସ ସଂସ୍ଥା ବା ବ୍ୟାଙ୍କର ୬୧ଟି ଶାଖା ଥିବା ବେଳେ ଅନ୍ୟ ଶାଖାଗୁଡ଼ିକରେ ମଧ୍ୟ ବନ୍ଧକ ସୁନା ହେରଫେର ଭଳି ସମାନ ଅବ୍ୟବସ୍ଥା ଥିବା ଆଶଙ୍କା ଏବେ ଦୃଢ଼ୀଭୁତ ହୋଇଛି । ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ମୁହଁ ଖୋଲିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
“ଏହି ଲୁଟ ଘଟଣାରେ ଆମ କର୍ମଚାରୀ ସାମିଲ ହେବା ଦୁର୍ଭାଗ୍ୟର ବିଷୟ । ମାତ୍ର ଛଅ ଦିନ ମଧ୍ୟରେ ଏହି ଘଟଣା ଉପରୁ ପରଦା ହଟାଇଥିବାରୁ ମୁଁ ପୋଲିସକୁ ଧନ୍ୟବାଦ ଦେଉଛି । ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି,” କହିଛନ୍ତି ଆଇଆଇଏଫଏଲ ବ୍ୟାଙ୍କର ଏରିଆ ମ୍ୟାନେଜର ଅହିଂସା ରୟ ।
କଟକ ସହରରେ ବଢ଼ୁଥିବା ଲୁଟ୍ କାଣ୍ଡ ଓ ଅନ୍ୟ ଅପରାଧର ମୁକାବିଲା ପାଇଁ ପ୍ରସ୍ତାବିତ ୧୪ କୋଟି ଟଙ୍କାର ସିସିଟିଭି ପ୍ରକଳ୍ପକୁ ତ୍ବରାନ୍ବିତ କରିବା, ଡାଏଲ ୧୦୦ ନମ୍ବରକୁ ଅଧିକ କ୍ରିୟାଶିଳ କରିବା ଏବଂ ପିସିଆର ଗାଡ଼ିଗୁଡ଼ିକରେ ଜିପିଆରଏସ ଲାଗାଇବା ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।