News18 Odia Digital
ଭୁବନେଶ୍ବର: ଶୁକ୍ରବାର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଜୈବ ବିବିଧତା ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟରେ ବହୁ ବିରଳ ବନ୍ୟପ୍ରାଣୀ ବାସ କରୁଛନ୍ତି।
ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସହଯୋଗର ହାତ ବଢ଼ାଇବା ନିମନ୍ତେ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ପରିବେଶ ପର୍ଯ୍ୟଟନସ୍ଥଳୀ ସ୍ଥାପନ ବିଷୟରେ ଉଲ୍ଲେଖ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ପରିବେଶ ପର୍ଯ୍ୟଟନସ୍ଥଳ ଆଗାମୀ ଦିନରେ ବିକଶିତ କରିବାର ଯୋଜନା ରହିଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଚଳିତ ଆର୍ଥିକ ବର୍ଷଠାରୁ ‘ଅନୁକମ୍ପା’ ପୋର୍ଟାଲ ଜରିଆରେ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତ୍ୱରିତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଏହା ଦ୍ୱାରା ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷକୁ ଅନେକ ମାତ୍ରାରେ ପ୍ରଶମିତ କରାଯାଇପାରିବ। ସେହିପରି ନନ୍ଦନକାନନକୁ ଅନ୍ତର୍ଜାତୀୟ ମାନର ପ୍ରାଣୀ ଉଦ୍ୟାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଛନ୍ତି।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ୨୦୨୧ ଅନୁଯାୟୀ ବିଗତ ଦୁଇ ବର୍ଷରେ ଆମ ରାଜ୍ୟରେ ଥିବା ହେନ୍ତାଳ ବନର ଆୟତନ ୮.୩୪ ବର୍ଗ କିଲୋମିଟର ବୃଦ୍ଧି ଘଟିଛି। ଏହି ବୃଦ୍ଧି ହାର ଦେଶରେ ସର୍ବାଧିକ ବୋଲି ଅମାତ ପ୍ରକାଶ କରିଛନ୍ତି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ମୋନା ଶର୍ମା ତାଙ୍କ ଅଭିଭାଷଣରେ କହିଥିଲେ ଯେ ବନ୍ୟପ୍ରାଣୀ ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସ୍ଥାନୀୟ ଜନସାଧାନଣଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସାମିଲ କରିବା ପାଇଁ ସେ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶୀଲ କୁମାର ପୋପଲି ସ୍ୱାଗତ ଭାଷଣରେ ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ଓ ବନ୍ୟପ୍ରାଣୀ ସଂରକ୍ଷଣ ଓ ସେମାନଙ୍କ ଆବାସସ୍ଥଳୀର ଅଭିବୃଦ୍ଧି ପାଇଁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ଏହି ଉତ୍ସବ ପାଳନ ଅବସରରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା। କୁଇଜ୍, ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା।
ବଲାଙ୍ଗୀରସ୍ଥିତ ସିସ୍କେଲାର ବିକିଜି ନାଗ୍ ଓ ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧର ରବୀନ୍ଦ୍ର ନାଥ ସାହୁଙ୍କୁ ବନ୍ୟପ୍ରାଣୀ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଲାଗି ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ୱାଇଲ୍ଡଲାଇଫ୍ ଓଡ଼ିଶା-୨୦୨୨, ବାର୍ଡସ୍ ଅଫ୍ ଭୁବନେଶ୍ବର, ଶିମିଳିପାଳ-ଦ ଫରେଷ୍ଟ ଅଫ୍ ହଣ୍ଡ୍ରେଣ୍ଡ ଅର୍କିଡ୍’ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।