ଶିକ୍ଷକତା ଏକ ଚାକିରି ନୁହେଁ, ଏକ ସଂକଳ୍ପ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗ ଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ । ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗ ଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ (ପ୍ରତୀକାତ୍ମକ ଛବି)

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗ ଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି ।  ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାରରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।  ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି,"ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ। ଦେଶର ଭବିଷ୍ୟତ ପିଢ଼ିକୁ ଗଢିବାର ପବିତ୍ର ଦାୟିତ୍ବ  ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ"।

ସରକାରଙ୍କ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ ।  ସ୍ବଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍‌ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର । ସ୍କୁଲ ରୂପାନ୍ତର ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି,  ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ।

ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍‌ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ। ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି। ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ବ ଆପଣ ମାନଙ୍କର।। ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ  ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି କହିଛନ୍ତି ସିଏମ।

କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଓ ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଓ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ରୂପାନ୍ତର ପାଇଁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇ ଏ ଗୁରୁଦାୟିତ୍ବକୁ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁଲାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।
Published by:Soumya Das
First published: