News18 Odia Digital
ଓଡ଼ିଶା: ଚଳିତ ବର୍ଷରୁ ରାଜ୍ୟରେ ୧୦୬ ହାଇସ୍କୁଲରେ ( High School ) ଖୋଲିବ ଦ୍ୱାଦଶ ଶ୍ରେଣୀ । ସେପଟେ ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲ ( School ) ଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ( department of school and mass education ) ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼ାଯିବାକୁ ଥିବାବେଳେ ଅବଶିଷ୍ଟ ୧୦୦ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ପାଠ ପଢିବେ।
ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼ାଯିବ। ସେହିପରି ପ୍ରତ୍ୟେକ ସ୍କୁଲ୍ରେ କଳା ପାଇଁ ୬ଟି ପିଜିଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବାବେଳେ ୬୪୨ ଜଣ ପିଜିଟି ନୂଆ ନିଯୁକ୍ତି ପାଇବେ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅଫଲାଇନ୍ ଏବଂ ଅନ୍ଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ।
ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି। ନୂଆ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସ୍ରେ କିପରି ଜୁନିଅର କଲେଜ ଚାଲିବ ସେଥିପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।
ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ୍ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍ ଯାଏଁ ହାଇସ୍କୁଲ ଚାଲିବ। ଯୁକ୍ତ ଦୁଇରେ ଦୁଇଟି ସେକସନ୍ ହେବାକୁ ଥିବାବେଳେ ପ୍ରତି ସେକସନ୍ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର । 5T ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ଆଜି ୫ଟି ଜିଲ୍ଲାର ୩୨୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ସର୍ବାଧିକ ୧୦୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ ହୋଇଛି ହେବ । ସେହିପରି ନବରଙ୍ଗପୁରର ୭୮, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାର ୬୨ଟି ଲେଖାଏଁ ଏବଂ ବୌଦ୍ଧର ୨୩ଟି ସ୍କୁଲର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପଢନ୍ତୁ ଏହି ଖବର :
Business Idea: ୧୦ ହଜାର ବିନିଯୋଗ କରି ବ୍ୟବସାୟ କରନ୍ତୁ... ମାସିକ ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।