News 18 Odia Digital
ଭୁବନେଶ୍ୱର; ବିଜୁ ଜନତା ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି । ନିର୍ବାଚନ ପୂର୍ବରୁ ଦଳ ସଙ୍ଗଠନର ନବକଳେବର କରୁଥିବା ବେଳେ ଏହି କ୍ରମରେ ପୁରୁଣା ତାଲିକାକୁ ବାଦ୍ ଦେଇ ନୂଆ ତାଲିକା ଘୋଷଣା କରିଛି । କିଛି ନାମ ଅପରିବର୍ତ୍ତିତ ରହିଥିବା ବେଳେ କିଛି ନୂଆ ଚେହେରାକୁ ସାମିଲ କରାଯାଇଛି । ୬ ଜଣଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଆଉ କିଛି ନେତାଙ୍କୁ ଦୁଇ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।
ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ପଡିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ, ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥି ବେହେରା, କଟକ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତ ରାୟ । ସେହିପରି ଈଶ୍ୱର ପାଣିଗ୍ରାହୀ ଓ ସୌଭାଗ୍ୟ ନାୟକ ନୂଆ ମୁହଁ ଭାବେ ସାମିଲ କରାଯାଇଛି । ମନ୍ତ୍ରୀ ଟୁକୁନି ସାହୁ , ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପଦ୍ମନାଭ ବେହେରା, ବିଧାୟକ ସାରଦା ନାୟକଙ୍କୁ ନୂଆ କରି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।
ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଖୋର୍ଦ୍ଧା ସହ ଢେଙ୍କାନାଳ ଅତିରିକ୍ତ ଦାୟିତ୍ୱ ମିଳିଛି । ପ୍ରମିଳାଙ୍କ ବ୍ୟତୀତ ବିଧାୟକ ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦୁଇ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ଏହି ଜିଲ୍ଲା ଦାୟିତ୍ୱରେ ଥିବା ବେଳେ ତାଙ୍କୁ ପୁନର୍ବାର ସେହି ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
ପୂର୍ବ ପରି ମନ୍ତ୍ରୀପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଜିଲ୍ଲାରେ ପର୍ଯ୍ୟବେକ୍ଷକ ରଖାଯାଇଛି । ସୁଧୀର କୁମାର ସାମଲଙ୍କୁ ବରଗଡ଼, ପ୍ରଣବ କୁମାର ବଳବନ୍ତରାୟଙ୍କୁ ଭଦ୍ରକ ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଓ ଦେବଗଡ଼ । ମନ୍ତ୍ରୀ ଉଷା ଦେବୀଙ୍କୁ କଟକ , ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୁରଭଞ୍ଜ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି , ଈଶ୍ୱର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରାଙ୍କୁ ନୟାଗଡ଼, ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂଆପଡ଼ା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁରୀ, ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସୁନ୍ଦରଗଡ଼, ମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି, ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା ଓ ମନ୍ତ୍ରୀରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି ।
ଦଳ ଏକ ସନ୍ତୁଳିତ ଟିମ୍ କରିଥିବା ବେଳେ ଆଗକୁ ଏହି ଟିମ୍ ଉପରେ ବଡ ଦାୟିତ୍ବ ରହିବ । ତେବେ ତାଲିକାରୁ ବାଦ ପଡ଼ିଥିବା ନେତା ସୁବାସ ସିଂ କହିଛନ୍ତି ଦଳର ସୁପ୍ରିମୋ ଯେଉଁ ଦାୟିତ୍ବ ଯେତେବେଳେ ଦେଇଛନ୍ତି ସୁଚାରୁ ରୂପେ ପାଳନ କରିଛି । ପୂର୍ବରୁ ବି ଅନେକ ଗୁରୁତ୍ୱପୂର୍ଣ ଦାୟିତ୍ବ ସମ୍ଭଳିଥିବା ବେଳେ ଏବେ ବି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ରହିଛି । ଦଳ ଯାହା ନିଷ୍ପତି ନେଇଛି ତାକୁ ମାନି କାମ କରିବି ବୋଲି ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।