ମହାପ୍ରସାଦ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ପୁରୀ: ଶ୍ରୀମନ୍ଦିରର ମହାପ୍ରସାଦରେ ପିସି କାରବାର। ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ ବିକ୍ରି କରୁଥିବା ୬ଜଣ ଦଲାଲଙ୍କୁ ପୋଲିସ ଧରିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି ଲେଖିଛି ସିଂହଦ୍ବାର ଥାନା।
ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିରକୁମାର ପଣ୍ଡାଙ୍କ କହିବାନୁସାରେ, ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ ଉତ୍ତରଦ୍ବାର ନିକଟରୁ ୬ ଜଣ ଦଲାଲଙ୍କୁ ଗିରଫ କରିଛନ୍ତି। ଆଜି ପୋଲିସର ପଚରାଉଚରା ବେଳେ ଅଟକ ୬ ଜଣ ଦଲାଲ କିଛି ନିର୍ଦ୍ଦିଷ୍ଟ ସୁଆରଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରଦ୍ବାର ନିକଟରେ ମହାପ୍ରସାଦ ଚଢ଼ା ଦରରେ ବିକ୍ରି କରୁଥିବା ସ୍ବୀକାର କରିଛନ୍ତି। ସେହି ସୁଆରଙ୍କୁ ମଧ୍ୟ ପଚରାଉଚରା କରିଛି। ସେମାନେ ମଧ୍ୟ ଏହି ଦଲାଲମାନଙ୍କୁ ନିୟୋଜିତ କରିଥିବା ସ୍ବୀକାର କରିଥିଲେ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି।
ଆନନ୍ଦବଜାରକୁ ଛାଡ଼ିଦେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପୋଲିସ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ଆନନ୍ଦ ବଜାରରେ କେଉଁ ସୁଆର ସେବାୟତ ଓ ସେମାନଙ୍କ ପାଖରେ କେଉଁ ଅଣସେବାୟତମାନେ କାମ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରାଯାଉ। ସୁତରାଂ ଭବିଷ୍ୟତରେ ଆନନ୍ଦ ବଜାରରେ ବିନା ପରିଚୟପତ୍ରଧାରୀ ଅଣସେବାୟତମାନଙ୍କର ପ୍ରବେଶ ରହିବ ନାହିଁ। ଆଗାମୀ ଦିନରେ ଏପରି ସମସ୍ୟା ଦେଖା ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧୀକ୍ଷକ କହିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।