News 18 Odia Digital
ଭୁବନେଶ୍ୱର: ମୟୂରଭଞ୍ଜର ବିଭିନ୍ନ ପର୍ଯ୍ୟଟନ ଏବଂ ତୀର୍ଥସ୍ଥଳିର ହେବ ପନଃରୁଦ୍ଧାର । ଖିଚିଙ୍ଗ, ଦେବକୁଣ୍ଡ ଏବଂ ଭୀମକୁଣ୍ଡ ହେବ ପ୍ରମୁଖ ଟୁରିଷ୍ଟ ହବ୍ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଏଭଳି ସୂଚନା ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଏହାସହ ଖୁବଶୀଘ୍ର ପଣ୍ଡିତ ରଘୁନାଥ ମୁର୍ମୁ ସମାଧୀ ପୀଠର ପୁନଃରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି ।

5T ସଚିବ ଭି.କେ ପାଣ୍ଡିଆନ୍ ପ୍ରଥମେ ଦେବକୁଣ୍ଡ ଗସ୍ତ କରିଥିଲେ। ଗସ୍ତ ସମୟରେ ପାଣ୍ଡିଆନ୍ଙ୍କ ସହ ପର୍ଯ୍ୟଟନ ବିଭାଗ ACS ସୁରେନ୍ଦ୍ର କୁମାର ମଧ୍ୟ ଉପସ୍ଥିତ ଥିଲେ। ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ଦେବକୁଣ୍ଡର ବିକାଶ ବିଷୟରେ ଉଭୟେ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପରେ ଏହାର ପୁନଃ ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗକୁ ଏକ ପ୍ରସ୍ତାବ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ପାଣ୍ଡିଆନ୍ ଭୀମକୁଣ୍ଡ ପରିଦର୍ଶନ କରି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ଭିତ୍ତିଭୂମିର ଉନ୍ନତି ତଥା ପର୍ଯ୍ୟଟକଙ୍କ ପାଇଁ ସୁବିଧା ଯୋଗାଇଦେବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ କହିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ପରେ 5T ସଚିବ ସୁକୁରୁଲି ବ୍ଲକର ଖିଚିଙ୍ଗକୁ ଯାଇ ମାଆ ଖିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେବାୟତ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ଏବଂ ସଂଗ୍ରହାଳୟର ବିଭିନ୍ନ ଦିଗ ଉପରେ ପରାମର୍ଶ ନେଇଥିଲେ। ଏହାପରେ ସେ ଜଶିପୁର ପରିଦର୍ଶନ କରିଥିଲେ ଯେଉଁଠାରେ ସେ ପ୍ରସ୍ତାବିତ ଖଇରୀ-ବନ୍ଧନ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ପ୍ରକଳ୍ପ ଜଶିପୁର, ସୁକୁରୁଲି ଏବଂ ରାରୁଆନ୍ ବ୍ଳକରେ ୯ ହଜାର ୪୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇବ ।

ପରେ ରାଇରଙ୍ଗପୁରର ପଣ୍ଡିତ ରଘୁନାଥ ମୁର୍ମଙ୍କ ସମାଧୀପୀଠ ପରିଦର୍ଶନ କରି ସନ୍ଥ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସ୍ଥାନୀୟ ଲୋକଙ୍କ ଚାହିଦା ଅନୁସାରେ ଏହାର ପୁନଃରୁଦ୍ଧାର ହେବ ବୋଲି 5T ସଚିବ ଆଶ୍ବାସନା ଦେଇଛନ୍ତି ।

ଶେଷରେ, ସେ ରାଇରଙ୍ଗପୁର ପୌରପାଳିକାର ବଡ଼ ବନ୍ଧ ପରିଦର୍ଶନ କରି ସେଠାରେ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ପୋଖରୀର ବିକାଶ ପାଇଁ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ସେ ପୌରପାଳିକା ଅଧିକାରୀଙ୍କୁ କହିଥିଲେ । ସନ୍ଧ୍ୟାରେ ରାୟରଙ୍ଗପୁର ଓ କରଞ୍ଜିଆ ଅଂଚଳର ଏକାଧିକ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।