News18 Odia Digital
ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା କରିବା ସହ ଯୋଜନାର କାର୍ଯ୍ୟକାରିତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯାଇଛି।
ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀମାନଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ଏବଂ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦେଉଛନ୍ତି ସରକାର।
ବର୍ତ୍ତମାନ ସୁଦ୍ଧା ୫୦୦ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି ଏବଂ ସେଥିମଧ୍ୟରୁ ୯୮ଟି ହସ୍ପିଟାଲ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟ ବାହାରେ ଥିବା ହସ୍ପିଟାଲ ଗୁଡିକ ମଧ୍ୟରେ ରହିଛି ଟାଟା ମେମୋରିଆଲ ହସ୍ପିଟାଲ, ସିଏମସି ଭେଲୋର, ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ବେଙ୍ଗାଲୁରୁ, ନାରାୟଣ ହୃଦୟାଳୟ ହସ୍ପିଟାଲ, ଫର୍ଟିସ ହସ୍ପିଟାଲ, ଆପୋଲ ହସ୍ପିଟାଲ ଇତ୍ୟାଦି।
୧୭ଟି ରାଜ୍ୟରେ ଏହି ହସ୍ପିଟାଲ ଗୁଡିକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇ ଦେଉଛନ୍ତି। ସିଏମସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସ୍ପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି। କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସମ୍ପର୍କରେ ବହୁତ ଭଲ ଫିଡବ୍ୟାକ୍ ମିଳିଛି।
ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
୨୦୨୧ ସେପ୍ଟେମ୍ବର ୧ରେ ଏହି ଯୋଜନା ଆରମ୍ଭ ହେବା ଠାରୁ ବୁଧବାର ପର୍ଯ୍ୟନ୍ତ ୫,୪୫,୩୩୯ ଜଣ ହିତାଧିକାରୀ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏଥିମଧ୍ୟରୁ ରାଜ୍ୟ ବାହାର ହସ୍ପିଟାଲ ଗୁଡିକରେ ୨୩,୧୧୯ ଜଣ ହିତାଧିକାରୀ ୬୪.୨୫ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି।
ଘରୋଇ ହସ୍ପିଟାଲ ଗୁଡିକର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରୁଛନ୍ତି। ମୋଟ ୫,୪୫,୩୩୯ ହିତାଧିକାରୀଙ୍କ ମଧ୍ୟରୁ ଅଢ଼େଇ ଲକ୍ଷ ହିତାଧିକାରୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇଥିବା ବେଳେ ୨୨୫ ଜଣ ମହିଳା ରୋଗୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କାରୁ ଅଧିକ ଚିକିତ୍ସା ସୁବିଧା ପାଇଛନ୍ତି।
୨୭ ଜଣ ମହିଳା ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଗ୍ରହଣ କରିଛନ୍ତି। ବର୍ତ୍ତମାନ ମାସକୁ ପ୍ରାୟ ୭୩ ହଜାର ରୋଗୀ ତାଲିକାଭୁକ୍ତ ହସ୍ପିଟାଲ ଗୁଡିକରେ ଚିକିତ୍ସା ପାଉଥିବା ବେଳେ, ଏଥିପାଇଁ ରାଜ୍ୟ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି।
ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ହିତାଧିକାରୀମାନଙ୍କ ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି। ରୋଗୀଙ୍କ ସନ୍ତୋଷ ହାର ୯୭ ପ୍ରତିଶତ ରହିଛି ବୋଲି ଜଣାପଡ଼ିଛି। ଏହାସହିତ ରୋଗୀମାନଙ୍କ ଆଡମିଶନ ତଥା ଅନ୍ୟାନ୍ୟ ସହାୟତା ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ରଖାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।