ରାଜରାସ୍ତାରେ ୫୦ ହଜାର ଅଙ୍ଗନବାଡ଼ି କର୍ମୀ; ଚାଲିବ ଅହୋରାତ୍ର ଧାରଣା

୮ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ। ୬୦ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା। କେମିତି ଚାଲିବ ସରକାରୀ କାମ।

ରାଜରାସ୍ତାରେ ୫୦ ହଜାର ଅଙ୍ଗନୱାଡ଼ି କର୍ମୀ (ପ୍ରତୀକାତ୍ମକ ଛବି)

ରାଜରାସ୍ତାରେ ୫୦ ହଜାର ଅଙ୍ଗନୱାଡ଼ି କର୍ମୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ ରାସ୍ତାରେ ଗରଜୁଛନ୍ତି ଅଙ୍ଗନବାଡ଼ି କର୍ମୀ। ନିଜର ହକ ପାଇଁ ଏକାଠି ହୋଇଛନ୍ତି ୫୦ହଜାର ଅଙ୍ଗନବାଡ଼ି କର୍ମଚାରୀ। ଗେରୁଆ ମୟ ହୋଇଛି ଗାନ୍ଧିମାର୍ଗ। ସରକାରଙ୍କ ମିଥ୍ୟା ପ୍ରତିଶୃତିର କଡା ଜବାବ ଦେଇ ସାରା ରାଜ୍ୟର ୬୦ ହଜାର ରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରି ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଚାକିରିରୁ ବହିଷ୍କୃତ କରିବାକୁ ଖୋଲା ଆହ୍ଵାନ ଦେଇଛନ୍ତି ରାଜ୍ୟ ସରକାରଙ୍କୁ। ଏଥର ଦାବି ପୁରଣ ନହେବା ଯାଏଁ କାମ ବନ୍ଦ କରି ଆନ୍ଦୋଳନ କରିବୁ ବୋଲି ଚେତାବନୀ ବି ଦେଇଛନ୍ତି।

ମମତା ଯୋଜନା, କିଶୋରୀ ବାଳିକା ଯୋଜନା, ପରିପୂରକ ଖାଦ୍ୟ ଯୋଜନା, ଟୀକାକରଣ, ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ, ଗାଁ କଲ୍ୟାଣ ସମିତି, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ହରିଶ୍ଚନ୍ଦ୍ର ଯୋଜନା, ବାର୍ଧ୍ୟକ୍ୟ ଭତା ଚିହ୍ନଟ, ଭିନ୍ନକ୍ଷମ ଚିହ୍ନଟ ଭଳି ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନା କୁ ସଫଳ କରୁଛନ୍ତି ଅଙ୍ଗନୱାଡ଼ି କର୍ମୀ। ହେଲେ ସେମାନେ ଆଜି ଅବହେଳିତ। ନା ମିଳୁଛି ସଠିକ୍ ପାରିଶ୍ରମିକ ନା ସରକାରୀ ସୁବିଧା। ପିଲାଙ୍କୁ ଘରୁ ଡାକି ନେଇ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ତାଙ୍କୁ ପୁଷ୍ଟିକର ଖାଦ୍ୟ ଖୁଏଇବା, ତାଙ୍କର ଯତନ ନେବା କାର୍ଯ୍ୟ ବି ପ୍ରତିଦିନ କରନ୍ତି। ବର୍ଷ ବର୍ଷ କାମ କରିବା ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଛି ମାତ୍ର ୭,୫୦୦ ଟଙ୍କା ଆଉ ମିନି ଅଙ୍ଗନୱାଡ଼ି କର୍ମୀ ପାଉଛନ୍ତି ମାତ୍ର ୫,୫୦୦ ଟଙ୍କା। ନାହିଁ ଆନୁଷଙ୍ଗିକ ସୁବିଧା କି ଖରା ଛୁଟି। ବଡ ଦୁଃଖରେ କ୍ଷୋଭ ପ୍ରକାଶ କରିଛନ୍ତି ଅଙ୍ଗନବାଡ଼ି କର୍ମୀ।

ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ଗେରୁଆ ମୟ ହୋଇଥିଲା ପୂରା ପରିବେଶ। ୮ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ସଂଘ। ୨୦୧୮ ମସିହା ଆନ୍ଦୋଳନ ବେଳେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି, ସରକାରୀ ମାନ୍ୟତା ପ୍ରଦାନ, ଯେ ପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ କର୍ମୀଙ୍କୁ ୧୮ହଜାର ଓ ସହାୟିକାଙ୍କୁ ୯ହଜାର ପ୍ରଦାନ, ଇ.ପି.ଏଫ୍, ଇ.ଏସ.ଆଇ.ସି ଓ ଗ୍ରାଚୁଟିରେ ସାମିଲ କରିବା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡ଼ିରେ ସାମିଲ କରିବା, ଅବସରକାଳୀନ ୫ ଲକ୍ଷ ସହାୟତା ସହ ୫ହଜାର ଟଙ୍କା ଦିଆଯାଉ,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଅଙ୍ଗନୱାଡ଼ି ମାନଙ୍କୁ ୫ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ବାଦ ଦେବା, ପୋଷଣ ଟ୍ରାକରେ ଅନଲାଇନ୍ ଲୋକେସନକୁ ବନ୍ଦ କରିବା, ଗ୍ରୀଷ୍ମ କାଳୀନ ଛୁଟି ଲାଗୁ ଭଲି ୮ ଦଫା ଦାବି ନେଇ ଅହୋରାତ୍ର ଧାରଣାରେ ବସିଚନ୍ତି ଅଙ୍ଗନୱାଡ଼ି କର୍ମୀ। ସରକାର ଆଲୋଚନାକୁ ଏ ପର୍ଯ୍ୟନ୍ତ ଡ଼ାକି ନଥିବାବେଲେ ଆଶା ବାନ୍ଧି ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ।

ଆଜିଠୁ ଚାଲିବ ଅହୋରାତ୍ର ଧାରଣା। କି ଖରା କି ଶୀତ କାହାକୁ ଭୃକ୍ଷେପ ନ କରି ବସି ରହିବେ ଧାରଣା ସ୍ଥଲରେ। ତେବେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବା ବାକି ରହିଛି।
Published by:Soumya Das
First published: