ରାଜଧାନୀରେ ୨୪ ଘଣ୍ଟାରେ ନୂଆ ୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ; ବସ୍ତିକୁ ଅଣଦେଖା ହେଉଥିବା ନେଇ ଅଭିଯୋଗ

ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛନ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ଯା । କିନ୍ତୁ ବି.ଏମ.ସି. ବସ୍ତି ଅଞ୍ଚଳଗୁଡ଼ିକରେ ସଠିକ ଭାବେ ପ୍ରତିକାର ବ୍ଯବସ୍ଥା କରୁନଥିବାର ନେଇ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।

ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ଯା (ପ୍ରତୀକାତ୍ମକ ଛବି)

ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ଯା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ କରୋନା ମହାମାରୀରେ ବିଭୀଷିକା ଲାଗି ରହିଥିବା ବେଳେ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ୨୪ ଘଣ୍ଟାରେ ରାଜଧାନୀରେ ନୂଆ ୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ଯା ୭୧୪କୁ ବୃଦ୍ଧି ପାଇଛି ।

ପ୍ରତିଦିନ ନୂଆ ନୂଆ ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ଏହା ବି.ଏମ.ସି. ପାଇଁ ଏକ ଚ୍ଯାଲେଞ୍ଜ ଭାବେ ଠିଆ ହୋଇଛି । ଧୀରେ ଧୀରେ ବସ୍ତି ଉପରେ ବି ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବି.ଏମ.ସି. ଫଗିଂ, ବୁଷ କଟିଂ, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ ବସ୍ତି ଅଞ୍ଚଳରେ କୌଣସି ପ୍ରତିକାର ବ୍ଯବସ୍ଥା କରାଯାଉ ନାହିଁ ବୋଲି ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ। ବସ୍ତିଗୁଡ଼ିକରେ ନଜର ନ ଦେଲେ ଆଗକୁ ଡେଙ୍ଗୁ ସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ବସ୍ତିବାସିନ୍ଦା।

"ବି.ଏମ.ସି. ରାସ୍ତା ଉପରରେ ଓ ୱାର୍ଡ଼ ବୁଲି ମଶା ଧୂଆଁ, ତେଲ ପକାଉଛି। କିନ୍ତୁ କୌଣସି ବସ୍ତିରେ ପ୍ରତିକାର କରାଯାଉ ନାହିଁ । ଏହାକୁ ନେଇ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ବସ୍ତି ବାସିନ୍ଦା । ବି.ଏମ.ସି. କର୍ତ୍ତୃପକ୍ଷଙ୍କୁ ଏହାର ଜବାବ ଦେବାକୁ ହେବ," କହିଛନ୍ତି ବସ୍ତି ସୁରକ୍ଷା ମଞ୍ଚର ସଭାପତି ଅଞ୍ଜନ ନାଥ ।

ଡେଙ୍ଗୁ ରୋକିବା ପାଇଁ ବି.ଏମ.ସି. ସଫେଇ ଓ ସଚେତନତା କାର୍ଯ୍ଯକ୍ରମ ବ୍ଯାପକ କରିଛି । ବି.ଏମ.ସି. ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି। ଦିନକ ଭିତରେ ୬ ହଜାରରୁ ଅଧିକ ଘର ବୁଲି ୨୫ ହଜାର ୯ ଶହରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଛି ।

"ଡେଙ୍ଗୁ ରୋଗର ପ୍ରତିହତ ପାଇଁ ଆମେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛୁ ଯେଉଁଥିରେ ବି.ଏମ.ସି. ଅଧିକାରୀଙ୍କ ସହ ଅର୍ବାନ ହେଲଥ ଅଫିସର, ଡ଼ି.ଏମ.ଓ, ୩୬ ଜଣ ମେଡ଼ିକାଲ ଅଫିସର ଅଛନ୍ତି। ଡେଙ୍ଗୁ ରୋଗ ବ୍ଯାପୁଥିବା ସବୁ ସୋର୍ସ ନଷ୍ଟ କରିହେବ ଓ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିହେବ ସେ ନେଇ ବୈଠକ ହୋଇଛି," କହିଛନ୍ତି ବି.ଏମ.ସି. ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି ।

୨୯୯୯ ଟି ସାମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୮୧୫ଟି ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ସୂଚନା ଦେଇଛି ବି.ଏମ. ସି.। ଏହା ସହ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ସହ ଟେଷ୍ଟିଂ ଓ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଛି।
Published by:Soumya Das
First published: