News18 Odia Digital
ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ। ପୂର୍ବରୁ କିଲୋ ପିଛା ୧ ଟଙ୍କା ଦେବାକୁ ପଡୁଥିବା ବେଳେ ଏଣିକି ବିନା ମୂଲ୍ୟରେ ମିଳିବ ମୁଣ୍ଡ ପିଛା ୫ କେଜି ଚାଉଳ। ଜାତୀୟ ଖାଦ୍ୟ ସୁରକ୍ଷା ବନାମ ରାଜ୍ୟ ଖାଦ୍ୟ ସୁରକ୍ଷା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇବେ କେନ୍ଦ୍ର ସରକାର।
ସମାନ ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବି ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଚାଉଳ ଦେବେ ରାଜ୍ୟ ସରକାର। ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ଯୋଗାଇବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ନିର୍ବାଚନ ପୂର୍ବରୁ ମାଗଣା ଚାଉଳକୁ ନେଇ ଜୋର୍ ଧରିଛି ରାଜନୀତି। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟର ମାଗଣା ଚାଉଳ ଘୋଷଣାକୁ ନେଇ ରାଜନୀତି ତେଜିଛି।
ବିଜେପି ଅଭିଯୋଗ କରିଛି କେବଳ ଶ୍ରେୟ ନେବାକୁ କେନ୍ଦ୍ରର ଘୋଷଣା ପରେ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେବାକୁ ଥିବା ବେଳେ ରାଜ୍ୟ ଯୋଜନାର କଣ ଆବଶ୍ୟକତା ଅଛି ବୋଲି ପ୍ରଶ୍ନ କରିଛି ବିଜେପି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ରର ଭାଗ ୨୭ ଟଙ୍କା ରହିଛି। ତେବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ କରିବା ସହ ହିତାଧିକାରୀଙ୍କ ତଥ୍ୟ ରଖିବାକୁ ବିଜେପି ଦାବି କରିଛି। କଂଗ୍ରେସ କହିଛି ରାଜ୍ୟ ସରକାରଙ୍କ ମିଛ ଧରା ପଡ଼ିଛି। କଂଗ୍ରେସ ସରକାରଙ୍କ ସମୟରୁ ଚାଉଳ ଯୋଗାଇ ଦିଆଯାଉଛି। ହେଲେ ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ କେବଳ ଧୁଆଁବାଣ ବୋଲି ଅଭିଯୋଗ କରିଛି କଂଗ୍ରେସ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେଜି ପିଛା ୧ ଟଙ୍କାରେ ଚାଉଳ ପାଉଥିଲେ ହିତାଧିକାରୀ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବି ହିତାଧିକାରୀଙ୍କୁ ମିଳୁଥିଲା ଟଙ୍କିକିଆ ଚାଉଳ। କୋଭିଡ ସମୟରେ ଉଭୟ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଚାଉଳ ଯୋଗାଇ ଦେଉଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ମାଗଣା ଚାଉଳ ପ୍ରସଙ୍ଗରେ ବିରୋଧୀଙ୍କୁ କାଉଣ୍ଟର କରି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି କୋଭିଡ଼ ସମୟରେ ବି ମାଗଣା ଚାଉଳ ଯୋଗାଇ ଦେଉଥିଲେ ରାଜ୍ୟ ସରକାର।
ବର୍ତ୍ତମାନ ସମୟର ଆବଶ୍ୟକତା ଦେଖି ମୁଖ୍ୟମନ୍ତ୍ରୀ ପୁଣି ଥରେ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲ ରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ। କୌଣସି ମାଇଲେଜ୍ ପାଇଁ ନୁହେଁ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର।
୨୦୦୯ ମସିହାରେ ୨ ଟଙ୍କିଆ ଚାଉଳ ସ୍କିମ୍ ଆରମ୍ଭ କରିଥିଲେ ରାଜ୍ୟ ସରକାର। ୨୦୧୪ରେ ଆରମ୍ଭ ହୋଇଥିଲା ଟଙ୍କିକିଆ ଯୋଜନା। କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ୨୦୧୮ରୁ ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ନିର୍ବାଚନ ପୂର୍ବରୁ ମାଗଣା ଚାଉଳ ଯୋଗାଣକୁ ନେଇ ଏବେ ରାଜନୀତି ଉଷ୍ମ ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।