News18 Odia Digital
ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଥର ପାଇଁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ବକପ୍। ପ୍ରସ୍ତୁତି ଜୋରଦାର ଚାଲିଛି। ସ୍ମାର୍ଟସିଟିର ରାସ୍ତାଘାଟ, କାନ୍ଥବାଡ, ପାର୍କ ଓ ଓପନ ସ୍ପେସ୍ ସବୁକିଛି ଚମକୁଛି।
ବିଏମସି ଓ ବିଡିଏର ନଜର ଏବେ ସହରର ବିଭିନ୍ନ ଜଳାଶୟ ଓ ବସ୍ତି ଉପରେ। ସିଟି ଆକ୍ଟିଭେସନ ଅଭିଯାନରୁ ଯେମିତି କେଉଁଟା ବି ବାଦ୍ ପଡ଼ିବନି ସେଥିପ୍ରତି ଦିଆଯାଉଛି ଗୁରୁତ୍ତ୍ବ।
ବିଶ୍ବକପ୍ ପୂର୍ବରୁ ସହରକୁ ସଜେଇବାରେ ବ୍ୟସ୍ତ ପ୍ରଶାସନ। ରାସ୍ତାଘାଟ, ପାର୍କ, ଓପନ ସ୍ପେସ୍, ପ୍ରାଚୀର ପରେ ଏବେ ବିଏମସି ଓ ବିଡିଏର ନଜର ବିଭିନ୍ନ ଜଳାଶୟ ଓ ବସ୍ତି ଉପରେ। ମୁକ୍ତା ଯୋଜନାରେ ପାର୍କ ଓ ଓପନ ସ୍ପେସ୍ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ବିଶ୍ବକପ୍ ଆୟୋଜନ ପାଇଁ ଅର୍ଥର ଅଭାବ ନଥିବା ବେଳେ ବିଭିନ୍ନ ଯୋଜନାରେ ହାତକୁ ନିଆଯାଇଛି ଅନେକ ପ୍ରକଳ୍ପ।
ଘାଟିକିଆ ତରିଆ ପୋଖରୀ ଏହାର ଅନ୍ୟଏକ ଉଦାହରଣ। ୩ ଏକର ବିସ୍ତୀର୍ଣ୍ଣ ଜମିରେ ଥିବା ଏହି ପୁରୁଣା ପୋଖରୀରେ ଅଢ଼େଇ କୋଟି ଟଙ୍କା ବିନିଯୋଗ କରି ପୁନଃରୁଦ୍ଧାର କରାଯାଇଛି।

ବିଏମସି ଟାର୍ଗେଟରେ ୪୩୬ ବସ୍ତି
ଯାହା ଏବେ ଏକ ସୁଇମିଂ ପୁଲର ଭ୍ରମ ସୃଷ୍ଟି କରୁଛି। ଅଞ୍ଚଳବାସୀଙ୍କ ଏହା ଦ୍ବାରା ଉପକୃତ ହେଉଥିବା ବେଳେ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି। ସେପଟେ ବସ୍ତି ବି ବାଦ ପଡ଼ିନି ସିଟି ଆକ୍ଟିଭେସନ ଅଭିଯାନରୁ। ଜାଗା ମିଶନ ଜରିଆରେ ସୌନ୍ଦର୍ଯ୍ୟକରଣ ପରେ ସମଗ୍ର ସହର ପାଇଁ ତପୋବନ ବିଜୁ ଆଦର୍ଶ କଲୋନୀ ପାଲଟିଛି ଉଦାହରଣ। କଲୋନୀର ସମସ୍ତ ଘର ରଙ୍ଗୀନ ହୋଇଥିବା ବେଳେ ରାସ୍ତାଘାଟ ଓ ପାନୀୟ ଜଳ ସହ ବିଦ୍ୟୁତୀକରଣ ସବୁକିଛି ବଦଳିଯାଇଛି।
ବିଶ୍ବକପ୍ ହକି ସମୟରେ ସହରକୁ ଦେଶ ବିଦେଶକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିବ। ସହରର ସବୁ କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି। ବସ୍ତି ହେଉ କି ସହରାଞ୍ଚଳ ସବୁଠି ଯେଭଳି ବିକାଶର ଚିତ୍ର ପରିଲକ୍ଷିତ ହେବ। କେବଳ ଘାଟିକିଆର ତରିଆ ପୋଖରୀ କିମ୍ବା ତପୋବନ ବିଜୁ ଆଦର୍ଶ କଲୋନୀ ନୁହେଁ ସହରର ସବୁ ଏରିଆ ଉପରେ ଦିଆଯାଉଛି ଫୋକସ।
୪୩୬ ବସ୍ତିକୁ ନୂଆ ରୂପ ଦିଆଯିବ। ବିଶେଷ କରି ଘର କାନ୍ଥରେ ପାରମ୍ପରିକ ଝୋଟି ଚିତା ସହ ପରିମଳ ରଖିବାକୁ ବୁଝାଯଉଛି ବସ୍ତି ବାସିନ୍ଦାଙ୍କ। ଏହା ସହ ନିଜ ଘର ଠୁ ୫ ମିଟର ରାଡ଼ିଆନ୍ସର ପରିମଳ ବ୍ୟବସ୍ଥା ମଧ୍ୟ ସେମାନେ ନେବେ ସେଥିପାଇଁ ସଚେତନ କରାଯାଉଛି।
ବିଜୁ ଆଦର୍ଶ କଲୋନୀରେ ରୁପାନ୍ତରିତ ହେବ ସମସ୍ତ ବସ୍ତି। ଲୋକଙ୍କୁ ଦିଆଯିବ ସର୍ବନିମ୍ନ ଅତ୍ୟାବଶ୍ୟକ ମୌଳିକ ସୁବିଧା। ଲୋକଙ୍କ ସହଭାଗିତାରେ ନିଜ ନିଜ ଅଞ୍ଚଳର ସ୍ବଚ୍ଛତା ନିଜେ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।