News18 Odia Digital
କଟକ: ବିଡ଼ାନାସୀ ଚହଟା ଲେନ ସିରିଜ ଲୁଟ ଘଟଣାରେ ଗିରଫ ହୋଇଛନ୍ତି ୪ କୁଖ୍ୟାତ ଡକାୟତ ଦଳ। ସେମାନଙ୍କ ପାଖରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସାମଗ୍ରୀ । ଦୀର୍ଘ ଦିନ ଧରି ପୋଲିସ ସହ ଛକାପଞ୍ଝା ଖେଳିବା ପରେ ସୋମବାର ଏହି ଗ୍ୟାଙ୍ଗକୁ ଗିରଫ କରିଛି ବିଡ଼ାନସୀ ପୋଲିସ ।
ସୂଚନା ଅନୁସାରେ ମାର୍ଚ୍ଚ ମାସ ୯ ତାରିଖରେ ଚହଟା ନଗର ଲେନ ୧ ର ବାସିନ୍ଦା ସୁବାଷ ଚନ୍ଦ୍ର ଦାସଙ୍କ ସହ ଅନ୍ୟ ସ୍ଥାନୀୟ କିଛି ଜାଗାରେ ଘଟିଥିଲା ଏହି ସିରିଜ ଲୁଟ ଘଟଣା। ଚହଟା ଲେନର ଏକାସଙ୍ଗରେ ୩ଟି ଘରୁ କଳା କନା ବୁଲାଇଥିଲେ ଏହି ଗ୍ୟାଙ୍ଗ। ରୁମରେ କେହି ନଥିଲା ବେଳେ ଝରକା ଭାଙ୍ଗିକି ଘରେ ପଶିଥିଲେ। ଆଉ ଲୁଟ କରିଥିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ତେବେ ଏନେଇ ସ୍ଥାନୀୟ ଥାନାରେ ମାମଲା ହେବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ ।
ପୋଲିସ ମାର୍ଚ୍ଚ ୯ ତାରିଖରେ ଘଟଣା ସ୍ଥଲରେ ଡଗ ସ୍କ୍ୱାର୍ଡ଼ , ସାଇଣ୍ଟିଫିକ ଟିମ ସହ ପହଞ୍ଚି ତମାମ ଦିଗ ଉପରେ ଯାଞ୍ଚ କରିଥିଲା । ଏହାସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଭିଡ଼ିଓକୁ ଯାଞ୍ଚ କରି ଆରମ୍ଭ କରିଥିଲେ ତଦନ୍ତ। ପୋଲିସ ଏହି ସିସିଟିଭି ଭିଡ଼ିଓକୁ ରାଜ୍ୟର ସମସ୍ତ ଥାନା ଓ ଜେଲକୁ ପଠାଇ ଡକାୟତମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ଏପରିକି ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ପ୍ରସାରଣ କରାଯାଇଥିଲା। ଏହାସହ ବିଭିନ୍ନ ଜିଲ୍ଲାକୁ ଯାଇ ତଦନ୍ତ କରିଥିଲା ପୋଲିସର ଏକ ସ୍ୱତନ୍ତ୍ର ଟିମ । ଶେଷରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏହି ଡକାୟତ ଗ୍ୟାଙ୍ଗକୁ ଧରିବାକୁ ସଫଳ ହୋଇଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ।
"ସମସ୍ତ ଦୃବୁର୍ତ୍ତ କେନ୍ଦ୍ରାପଡ଼ାର। ଅଭିଯୁକ୍ତ ମାନେ ହେଲେ ଶେଖ ମୁନା, ସାଜିଦ ଖାନ, ପ୍ରଫୁଲ୍ଲ କୁମାର ଜେନା ଓ ଗୋଲାମ କାଦିର। ଏମାନଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ମାମଲା ରହିଛି। କଟକ ବିଡ଼ାନସୀ ଥାନାରେ ୫ଟି, ଚୌଦ୍ୱାର ଥାନାରେ ୨ଟି, ପାରାଦ୍ବୀପ, ଧର୍ମଶାଳା ଓ ମର୍କତ ନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି," କହିଛନ୍ତି ତଦନ୍ତକାରୀ ଅଧିକାରୀ ନିରଞ୍ଜନ ଭୋଇ।
କଟକ ଡିସିପି ପ୍ରତୀକ ସିଂ,"କହିଛନ୍ତି ଚହଟା ସିରିଜ ଲୁଟ ଓ ଡକାୟତି ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ କରାଯାଇଥିଲା। ଗିରଫ ବେଳେ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ବୋଲେରୋ ଗାଡ଼ି, ଦୁଇଟି ମୋବାଇଲ ଫୋନ, ୧୫୭ ଗ୍ରାମ ସୁନା ଅଳଙ୍କାର ଓ ୧୭୦ ଗ୍ରାମର ରୁପା ଅଳଙ୍କାର ସହ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଛି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।