News18 Odia Digital
କଟକ: ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ଭିଜିଲନ୍ସ ବିଭାଗ ତିନୋଟି ଭିନ୍ନ ଭିନ୍ନ ମାମଲାରେ ଚାରି ଜଣ ସରକାରୀ ବାବୁଙ୍କୁ ଧରିଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗରିଫ କରାଯାଇଥିବା ବେଳେ ଆଉ ଜଣେ ସରକାରୀ ଅଧିକାରୀଙ୍କ ପୋତାଧନର ହିସାବ ଚାଲିଛି।
ସୋମବାର ଭୋରୁ ଭୁବନେଶ୍ବର ସ୍ଥିତ ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ ୧ରେ ସରକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ମାନସ ସାମଲଙ୍କ ଘରେ ଚଢ଼ାଉ କରି ନିଜର ଖାତା ଖୋଲିଥିଲା ଭିଜିଲାନ୍ସ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ନେଇ ହୋଇଥିବା ଏହି ଚଢ଼ାଉ ଭୁବନେଶ୍ବର, କଟକ ଓ ଜଗତସିଂପୁର ଜିଲ୍ଲାରେ ଥିବା ମାନସଙ୍କର ମୋଟ ୬ଟି ଠିକଣାରେ ଏକକାଳିନ ଚାଲିଥିଲା। ଏହି ଚଢ଼ାଉ ବୃହତ ଆକାରର ଥିବାରୁ ଏଥିପାଇଁ ୩ ଜଣ ଡିଏସପି, ୧୧ ଇନ୍ସସପେକ୍ଟର ଓ ୭ ଜଣ ଅଫିସରଙ୍କୁ ସାମିଲ କରାଯାଇଥିଲା।
ଭୋରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ମାନସ ସାମଲଙ୍କ ନାଁରେ ମୋଟ ୧ କୋଟି ୪୬ ଲକ୍ଷ ଟଙ୍କାର ବିମା ଓ ବ୍ୟାଙ୍କ ଜମା ଠାବ ହେବା ସହ ଦୁଇଟି କୋଠା, ଗୋଟିଏ ଫ୍ଲାଟ୍, ଦୁଇଟି ପ୍ଲଟ ସହିତ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଭିଜିଲାନ୍ସ ବିଭାଗର ହାତରେ ଲାଗିଛି। ତେବେ ଏହା ଠାରୁ ବହୁ ଅଧିକ ପରିମାଣର ଆୟ ବର୍ହିୁତ ସମ୍ପତ୍ତିକୁ ମାନସ ଠୁଳ କରିଛନ୍ତି। ସେଗୁଡ଼ିକୁ ଅନେକ ଲୋକଙ୍କ ନାଁରେ ଗଚ୍ଛିତ ରହିଥିବା ସନ୍ଦେହ କରୁଛି ଭିଜିଲାନ୍ସ। ମାନସଙ୍କ ଠାରୁ ସେହି ସମସ୍ତ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ କରାଯାଉଥିବା ଭିଜିଲାନ୍ସି ପକ୍ଷରୁ କୁହାଯାଇଛି।
ସେହିପରି ଦ୍ବିତୀୟ ମାମଲାରେ ନିଜ କିରାଣୀଙ୍କ ଜରିଆରେ ୧୨,୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଜିଲ୍ଲା ନିଯୁକ୍ତି ଅଧିକାରୀ ତାପସ ସ୍ବାଇଁଙ୍କୁ ଧରିଥିଲା ଭିଜିଲାନ୍ସ। ନିଜ କାର୍ଯ୍ୟାଳୟରେ ଲାଗିଥିବା ଏକ ବେସରକାରୀ କାର ଭଡ଼ା ଅର୍ଥ ପ୍ରଦାନ ପାଇଁ ଗାଡ଼ିର ଡ୍ରାଇଭର ଠାରୁ କନିଷ୍ଠ କିରାଣି ଜିତେନ୍ଦ୍ର ସେଠୀଙ୍କ ଜରିଆରେ ଲାଞ୍ଚ ନେଉଥିଲେ ସେ। ତେବେ ଏହି ମାମଲାରେ ଉଭୟ ତାପସ ସ୍ବାଇଁ ଓ ଜିତେନ୍ଦ୍ର ସେଠୀଙ୍କୁ ଗରିଫ କରି କୋର୍ଟ ଚାଲଣ କରିଛି ଭିଜିଲାନ୍ସ ବିଭାଗ।
ତୃତିୟ ମାମଲାରେ MGNREG କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ବକେୟା ଅର୍ଥ ପ୍ରଦାନ ପାଇଁ ୨୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମୟୁରଭଞ୍ଜ ବିଶୋଇ ବ୍ଲକରେ କାର୍ଯ୍ୟରତ ମୃତ୍ତିକା ସଂକ୍ଷକ୍ଷଣ ନିରିକ୍ଷକ ପରିଦର୍ଶକ କିଶୋର ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ। ଏହା ପରେ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।