News18 Odia Digital
କଟକ: ରାଜ୍ୟର ବ୍ରାଉନ ସୁଗାର ଚୋରା ଚାଲାଣର ପେଣ୍ଠସ୍ଥଳ ପାଲଟିଥିବା ଜଳେଶ୍ଵରରୁ ପୁଣି ୪ କେଜି ୨୫ ଗ୍ରାମ ଓଜନ ବାଉନ ଜବତ ହୋଇଛି । ଜଳେଶ୍ବର ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରି ଏସ.ଟି.ଏଫ. ଏହି ବ୍ରାଉନ ସୁଗାରକୁ ଜବତ କରିଥିବା ବେଳେ ଏହି କାରବାର କିରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗରିଫ କରିଛି । ୪ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହେବା ଚଳିତ ବର୍ଷର ଦ୍ବିତୀୟ ଘଟଣା ।
ବଡ଼ କଥା ହେଲା ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କ୍ରାଇମ ବ୍ରାଞ୍ଚର ଏସ.ଟି.ଏଫ. ରାଜ୍ୟରେ ବ୍ରାଉନ ସୁଗାର କାରବାର ନେଇ ମୋଟ ୨୨ଟି ମାମାଲା ରୁଜୁ କରିଛି । ଏହି ୨୨ଟି ମାମାଲାରେ ଜବତ ହୋଇଥିବା ବ୍ରାଉନ ସୁଗାର ମୋଟ ଓଜନ ହେଉଛି ୨୦ କେଜି ୭୩୬ ଗ୍ରାମ । ଏହା ଗତ ୮ ବର୍ଷରେ ଓଡ଼ିଶା ପୋଲିସ ଜବତ କରିଥିବା ମୋଟ ବ୍ରାଉନ ସୁଗାର ପରିମାଣ ଠାରୁ ଅଧିକ । ଅର୍ଥାତ ଗତ ୮ ବର୍ଷରେ ରାଜ୍ୟରେ ଯେତିକି ବ୍ରାଉନ ସୁଗାର ଜବତ ହୋଇ ନ ଥିଲା ତାହା ଠାରୁ ଅଧିକ ପରିମାଣର ବ୍ରାଉନ ସୁଗାର ଏହି ବର୍ଷର ୮ ମାସ ମଧ୍ୟରେ ଜବତ ହୋଇ ସାରିଲାଣି । ଏହି ୮ ମାସ ମଧ୍ୟରେ ଏହି ନିଶା କାରବାର କରିବା ଅଭିଯୋଗରେ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୪୩ ରେ ପହଞ୍ଚିଛି । କ୍ରାଇମ ବ୍ରାଞ୍ଚ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।
‘‘ଏହି ବ୍ରାଉନ ସୁଗାର ଜବତ ଘଟଣାର ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଏହାର ଅନ୍ୟ ଲିଙ୍କ୍ ମଧ୍ୟ ଖୋଜା ଚାଲିଛି । ରାଜ୍ୟରେ ନିଶା କାରବାର ରୋକିବା ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ । ଏହା ଫଳରେ ବ୍ରାଉନ ସୁଗାର ଜବତ କରିବାରେ ପୋଲିସକୁ ସଫଳତା ମିଳୁଛି । ଓଡ଼ିଶାକୁ ଆସୁଥିବା ବ୍ରାଉନ ସୁଗାର ମୁଖ୍ୟତଃ ପଶ୍ଚିମ ବଙ୍ଗ ଦେଇ ଜଳେଶ୍ବରକୁ ଆସୁଛି । କିନ୍ତୁ ଏହା କେଉଁଠି ତିଆରି ହେଉଛି ଏବଂ ପଶ୍ଚିମ ବଙ୍ଗକୁ କେମିତି ଆସୁଛି ତାହା ଆମେ ଏ ପର୍ଯ୍ୟନ୍ତ ଜାଣି ପାରିନାହୁଁ,’’ କହିଛନ୍ତି ପୋଲିସ ଡିଜି ଅଭୟ।

ଡିଜିପି ଅଭୟ (ବାମ) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ।
ଓଡ଼ିଶାରେ ହେଉଥିବା ବ୍ରାଉନ ସୁଗାର କାରବାରରେ ପାକିସ୍ତାନ ଲିଙ୍କ ଓ ଏଥିରେ ମାଫିଆ ଡନ ଦାଉଦ ଇବ୍ରାହିମର ହାତ ରହିଛି କି ବୋଲି ଏକ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ ଡିଜିପି । ‘‘ଏହି ଲିଙ୍କ ଆମ ତଦନ୍ତରୁ ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ । ହେଲେ ଏହି କାରବାରରେ ବିଦେଶୀ ଲିଙ୍କ ଥିବା ନେଇ ଆମେ ତଦନ୍ତ କରୁଛୁ । ଓଡ଼ିଶାରୁ ଗଞ୍ଜେଇ ଓ ବ୍ରାଉନ ସୁଗାର କାରବାରକୁ ରୋକିବା ପାଇଁ ୯୯ ପ୍ରତିଶତ ପୋଲିସ କର୍ମଚାରୀ ପ୍ରତିବଦ୍ଧ ଅଛନ୍ତି । ବହୁତ କମ ସଂଖ୍ୟକ ପୋଲିସ କର୍ମଚାରୀ ଏହି କାରବାର ସହିତ ଜଡ଼ିତ ଥାଇପାରନ୍ତି । ଯଦି ସେମିତି କେହି ବାହାରୁଛନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ କରୁଛୁ,’’ ସେ କହିଛନ୍ତି ।
୭୦ ଦଶକରେ କଟକକୁ ଲାଗି କରିଥିବା ଯାଜପୁର ଜିଲ୍ଳାର ଛତିଆ ବ୍ରାଉନ ସୁଗାର କାରବାର ଅନ୍ୟତମ ପେଣ୍ଠସ୍ଥଳ ଥିଲା । ପ୍ରାୟ ଚାରି ଦଶନ୍ଧି ଧରି ଛତିଆ ଅଞ୍ଚଳ ଏହି କାରବାର ପାଇଁ ସମଗ୍ର ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିଲା । କିନ୍ତୁ ସେତେ ବେଳେ ଛତିଆରେ ଚାଲିଥିବା ବ୍ରାଉନ ସୁଗାର କାରବାରକୁ ସମୁଳେ ଧ୍ୱଂସ କରିବା ପାଇଁ ପୋଲିସ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିଲା । ଫଳ ସ୍ବରୂପ ୯୦ ଦଶକରେ ପାଖାପାଖି ତିନି ବର୍ଷ ଧରି ଚାଲିଥିବା ପୋଲିସର ଏହି ଅଭିଯାନ ପରେ ଛତିଆରୁ ଏହି କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା ।
ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍ଏହା ବି ପଢ଼ନ୍ତୁ | ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ‘‘ଆମେ ପୂର୍ବରୁ ବ୍ରାଉନ ସୁଗାର କାରବାରର ଖୋଳତାଡ଼ କରୁ ନଥିଲୁ । କିଛି ମାସ ହେଲା ଆମେ ଏହି କାରବାରକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛୁ । ସେଥିରେ ସଫଳ ମଧ୍ୟ ହେଉଛୁ । ଛତିଆ ତ ଗୋଟିଏ ଛୋଟ ଜାଗା ଥିଲା । ଛତିଆକୁ ବ୍ରାଉନ ସୁଗାର ମୁକ୍ତ କରିବା ପାଇଁ ଆମକୁ ୩ ବର୍ଷ ସମୟ ଲାଗିଥିଲା । ହେଲେ ଜଳେଶ୍ବର ଏକ ବଡ଼ ଅଞ୍ଚଳ । ପଶ୍ଚିମ ବଙ୍ଗକୁ ଲାଗି କରି ରହିଛି । ଜଳେଶ୍ବରରୁ ହିଁ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ବ୍ରାଉନ ସୁଗାର ଚାଲାଣ ହେଉଛି । ଆମେ ନିଜ ଯୋଜନା ଅନୁସାରେ କାମ କରୁଛୁ । ଦିନେ ଦୁଇ ଦିନ ଭିତରେ ବ୍ରାଉନ ସୁଗାର କାରବାର ଆଉ ଗୋଟିଏ ରାକେଟର ପର୍ଦ୍ଦାଫାଶ କରିବୁ,’’ କହିଛନ୍ତି କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ।
ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜଳେଶ୍ବର ଅଞ୍ଚଳରେ ଗତ କିଛି ବର୍ଷ ହେଲା ଜୋରଦାର ରେଡ ପରେ ଏବେ ଏହି ବ୍ୟବସାୟର ଶାଖା ପ୍ରଶାଖା ରାଜ୍ୟର ବିଭିନ୍ନ ସ୍ଥାନକୁ ମେଲି ସାରିଛି । ଭଦ୍ରକର କିଛି ଅଞ୍ଚଳ ସହିତ କଟକର ଗ୍ରାମାଞ୍ଚଳ ଓ କେନ୍ଦ୍ରାପଡା ଜିଲ୍ଲାକୁ ମଧ୍ୟ ଏହା ବ୍ୟାପି ସାରିଛି । ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ପୁରୀରେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ ଜାରି ରହିଥିବା ବେଳେ ଏବେ ମଧ୍ୟ ସେଠାକାର କିଛି କିଛି ଅଞ୍ଚଳରେ ବେଧଡ଼କ ଭାବେ ଏହି କାରବାର ଚାଲିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।