ସ୍ୱପ୍ନ ସତ ହେଲା: ଗଞ୍ଜାମରେ ସଫଳ ହୃଦୟ ସର୍ଜରୀ ପରେ ସୁସ୍ଥ ହୋଇ ଫେରିଲେ ୩୮ ଜଣ ଶିଶୁ
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଶିଶୁମାନଙ୍କର ରାଜ୍ୟ ବାହାରେ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା । ସେମାନଙ୍କ ରହିବା-ଖାଇବା ଆଦି ସେବା ମଧ୍ୟ ମାଗଣାରେ ଯୋଗାଇ ଦିଆଯାଇଥିଲା ।

ସଫଳ ହୃଦୟ ଅସ୍ତ୍ରୋପଚାର ପରେ ଘରକୁ ଫେରିଥିବେ କେତେକ ଶିଶୁ
- News18 Odia
- Last Updated: March 13, 2021, 11:55 PM IST
ବ୍ରହ୍ମପୁର: ଜଣେ ନୁହେଁ କି ଦୁଇ ଜଣ ନୁହେଁ, ବରଂ ଏକା ଥରକେ ୩୮ ଜଣ ଶିଶୁ ପାଇଛନ୍ତି ନୂଆ ଜୀବନ । ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଷ୍ଠାବାନ ପଦକ୍ଷେପ ଯୋଗୁଁ ଦୀର୍ଘ ଦିନ ହେଲା ହୃଦୟଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଏହି ୩୮ ଜଣ ଶିଶୁ ନିଜ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିପାରିବେ ।
ସବୁ ୩୮ ଜଣ ଶିଶୁଙ୍କୁ ଗୁଜରାଟର ରାଜକୋଟ ସ୍ଥିତ ଶ୍ରୀ ସତ୍ୟସାଇ ହସପିଟାଲ ଓ ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରେ ସେମାନଙ୍କର ସଫଳ ହୃଦୟ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ୩୮ ଜଣ ଯାକ ଶିଶୁ ଫେରିଆସିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଶିଶୁମାନଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବା ସହ ସେମାନଙ୍କ ରହିବା-ଖାଇବା ଭଳି ଅନ୍ୟାନ୍ୟ ସେବା ମଧ୍ୟ ମାଗଣାରେ ଯୋଗାଇ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ଏହି ଶିଶୁମାନଙ୍କ ପରିବାର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର
‘‘ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଳକ୍ ସମେତ ସହରରେ ରହିଥିବା ହୃଦୟଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଇଥିଲା । ଜାନୁୟାରୀରୁ ଫେବୃଆରୀ ଦୁଇ ମାସ ମଧ୍ୟରେ ଏମିତି ୩୮ ଜଣ ଶିଶୁ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ରାଜ୍ୟ ବାହାରର ଦୁଇଟି ଉନ୍ନତ ହସପିଟାଲକୁ ପଠାଯାଇଥିଲା । ଅସ୍ତ୍ରୋପଚାର ପରେ ସେମାନେ ଏବେ ସୁସ୍ଥ ଅଛନ୍ତି,’’ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମା ଶଙ୍କର ମିଶ୍ର ।
ଏହା ବି ପଢ଼ନ୍ତୁ | IND Vs ENG: ଇଂଲଣ୍ଡ ଠାରୁ ଭାରତର ଲଜ୍ଜାଜନକ ପରାଜୟ; ୨୭ଟି ବଲ୍ ବାକି ଥିଲା; ଇଂଲଣ୍ଡ ଜିତିଗଲା
ଶିଶୁମାନଙ୍କର ଅସ୍ତ୍ରୋପଚାର ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତଥା ଆର୍.ବି.ଏସ୍.କେ. ପକ୍ଷରୁ ସବୁ ପ୍ରକାର ସେବାକୁ ମାଗଣାରେ ଯୋଗାଇ ଦିଆଯାଇଥିଲା । ‘‘ଅସ୍ତ୍ରୋପଚାର ଠାରୁ ଆରମ୍ଭ କରି ରୋଗୀ ଓ ରୋଗୀର ସମ୍ପର୍କୀୟମାନଙ୍କର ରହିବା-ଖାଇବା ଭଳି ସବୁ ସେବା ମାଗଣାରେ ଯୋଗାଇ ଦେଇଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଏମିତି ଆଉ ୩୦ ଜଣ ଶିଶୁଙ୍କର ବି ମାଗଣାରେ ହୃଦୟ ଅସ୍ତ୍ରୋପଚାର ପାଇଁ ଆସନ୍ତା ମାସ ପଦକ୍ଷେପ ନିଆଯିବ,’’ କହିଛନ୍ତି ଡଃ ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ…
‘‘ଜନ୍ମ ହେବା ପରେ କେତେକ ଶିଶୁଙ୍କଠାରେ ହୃଦୟ ଜନିତ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟାର ସମାଧାନ କେବଳ ହୃଦୟରର ଅସ୍ତ୍ରୋପଚାର ଦ୍ବାରା ହିଁ ହୋଇଥାଏ । ବର୍ତ୍ତମାନ ତାହା ସମ୍ଭବ ହୋଇପାରିଛି । ଏହି ୩୮ ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ବି ସେମାନଙ୍କର ଧ୍ୟାନ ନେବ ଆର୍.ବି.ଏସ୍.କେ. ଟିମ୍ । ପ୍ରତି ତିନି ମାସରେ ଶିଶୁମାନଙ୍କର ସ୍ବାସ୍ଥ୍ୟବସ୍ଥା କିଭଳି ରହିଛି ସେ ନେଇ ବିଭିନ୍ନ ପରୀକ୍ଷା କରାଯିବ,’’ କହିଛନ୍ତି ଆର୍.ବି.ଏସ୍.କେ.ର ମ୍ୟାନେଜର୍ ସନ୍ଦୀପ କୁମାର ତ୍ରିପାଠୀ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମା ଶଙ୍କର ମିଶ୍ର
ହୃଦୟ ରୋଗରେ ପୀଡ଼ିତ ଥିବା ଓ ଏବେ ଅସ୍ତ୍ରୋପଚାର ପରେ ଠିକ୍ ହୋଇଯାଇଥିବା ଜଣେ ଶିଶୁର ମା’ ଆର୍. ପୁଷ୍ପା କହିଛନ୍ତି ଯେ ସରକାରୀ ସହାୟତା ବିନା ନିଜ ଶିଶୁମାନଙ୍କୁ ସୁସ୍ଥ କରାଇବା ତାଙ୍କ ପରିବାର ପାଇଁ ଅସମ୍ଭ ହୋଇଥା’ନ୍ତା । ‘‘ଆମେ ସମସ୍ତେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର । ଅନେକ ହସପିଟାଲରେ ଚିକିତ୍ସା କରାଇବା ସହ ଲକ୍ଷ ଲକ୍ଷ ଟଙ୍କା ଆମେ ଖର୍ଚ୍ଚ କରିସାରିଥିଲୁ । କିନ୍ତୁ ଶିଶୁମାନଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଉ ନ ଥିଲା । ତେଣୁ ଖୁବ୍ ଚିନ୍ତାରେ ଥିଲୁ ଆମେ । ଏବେ ଆମ ଚିନ୍ତା ଦୂର ହୋଇଛି,’’ କହିଛନ୍ତି ପୁଷ୍ପା ।
ଏହା ବି ପଢ଼ନ୍ତୁ | ନିଜ ବୟଫ୍ରେଣ୍ଡକୁ ସୁପାରୀ ଦେଇ ହତ୍ୟା କରାଇଲା; ହତ୍ୟାକାରୀକୁ କହିଲା ସେ ପାଇବ ₹୧.୫ ଲକ୍ଷ ଓ ସେକ୍ସ
‘‘ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମକୁ ସବୁ ସୁବିଧା ମାଗଣାରେ ଯୋଗାଇ ଦିଆଯାଇଥିଲା । ହୃଦୟ ଅସ୍ତ୍ରୋପଚାର ହେବା ପରେ ଏବେ ସବୁ ଶିଶୁ ଭଲ ଅଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟିଛି । ଆମେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଅଶେଷ ଧନ୍ୟବାଦ ଦେଉଛୁଁ,’’ କହିଛନ୍ତି ହୃଦୟ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଥିବା ଅନ୍ୟ ଜଣେ ଶିଶୁର ବାପା ରାମଚନ୍ଦ୍ର ରାଓ ।
ରାଜକୋଟ୍ ଓ ବେଙ୍ଗାଲୁରରୁ ସୁସ୍ଥ ହୋଇ ଫେରିଥିବା ୩୮ ଜଣ ଶିଶୁ ଓ ତାଙ୍କ ପରିବାର ଲୋକଙ୍କୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଆଇସିୟୁ ହଲରେ ଏକାଠି କରି ଶିଶୁମାନଙ୍କ ପରିବାର ଲୋକଙ୍କୁ ଅସ୍ତ୍ରୋପଚାର ପରେ କେମିତି ସେମାନଙ୍କ ଯତ୍ନ ନେବାକୁ ହେବ ସେ ନେଇ ପରାମର୍ଶ ଦେଇଥିଲେ ସି.ଡି.ଏମ୍.ଓ., ଆର୍.ବି.ଏସ୍.କେ. ମ୍ୟାନେଜର୍ ଓ ଡି.ପି.ଏମ୍. ।