News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ରାତି ଅଧିଆ ଗୁଣ୍ଡାରାଜ ଘଟଣାରେ ୩୪ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଗିରଫ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି ଏକ ବସ। ଯେଉଁ ବସରେ ଅଭିଯୁକ୍ତମାନେ ଆସି ଆତଙ୍କ ଖେଳାଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସ ସୂଚନା ଅନୁସାରେ, ଗତ ୮ ତାରିଖରେ ଅଭିଯୋଗକାରୀ ଶ୍ରୀକାନ୍ତ ଭୋଇଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା। ଚନ୍ଦ୍ରଶେଖରପୁର ଥାନା ପୋଲିସ ମାମଲାର ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ଭୁବନେଶ୍ୱର ଜୋନ-୬ ଏସିପି କହିଛନ୍ତି ଯେ ଅଭିଯୋଗକାରୀ ଶ୍ରୀକାନ୍ତ ଭୋଇ ଏମ୍ବାସି ବାର ଆଣ୍ଡ ରେଷ୍ଟୁରାଣ୍ଟର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ଘଟଣା ଦିନ ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ସଞ୍ଜୀବ ସ୍ଵାଇଁ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଉକ୍ତ ବାରକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଗେଟ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାତି ଅଧିକ ହୋଇଯାଇଥିବାରୁ ସେ ଗେଟ ଖୋଲିପାରିବେନି ବୋଲି ଅସମର୍ଥ ପ୍ରକାଶ କରିବାରୁ, ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା।

ରାଜ୍ୟ ରାଜଧାନୀରେ ରାତି ଅଧିଆ ଗୁଣ୍ଡାରାଜ ଘଟଣାରେ ୩୪ ଜଣ ଗିରଫ
ପରେ ବାରର କର୍ମଚାରୀମାନେ ସେଠାରେ ପହଞ୍ଚି ସଞ୍ଜୀବଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହି ସମୟରେ ସଞ୍ଜୀବ ବରମୁଣ୍ଡା ବସଷ୍ଟାଣ୍ଡରେ ତାଙ୍କୁ ଅପେକ୍ଷା କରିଥିବା ତାଙ୍କର ସାଥୀମାନଙ୍କୁ ଫୋନ କରି ଡ଼ାକିଥିଲେ। ତାଙ୍କ ନିକଟରୁ ଫୋନ କଲ ପାଇ ଦେବକୁଣ୍ଡ ଅଭିମୁଖେ ପିକନିକ ପାଇଁ ବାହାରିଥିବା ସାଥୀମାନେ ଏକତ୍ର ହୋଇ OR-19-H-1111 ନମ୍ବର ବିଶିଷ୍ଟ ବସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ବାରର କର୍ମଚାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମୁନିଆ ପଥର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ବାରର ସମସ୍ତ ଆସବାବ ପତ୍ର ସବୁକୁ ବାଡ଼େଇ ଭାଙ୍ଗି ଦେଇଥିଲେ।
ଘଟଣାର ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ କରିବା ସହିତ ନିମ୍ନୋକ୍ତ ୩୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଉପରୋକ୍ତ ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିବା କଥା ସ୍ଵୀକାର କରିଥିଲେ। ତଦନ୍ତ ଶେଷରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବାବେଳେ ସଞ୍ଜୀବ ସ୍ଵାଇଁଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।