୩ ଦିନରେ କେବଳ କଟକରୁ ୩୧୫ କେଜି ଗଞ୍ଜେଇ, ୪ କ୍ୱିଣ୍ଟାଲ ଭାଙ୍ଗ ଜବତ; ୧୦ ଜଣ ଗିରଫ

ଗଞ୍ଜେଇ ଚ଼ୋରାଚ଼ାଲାଣ କାରବାରରେ ସମ୍ପୃକ୍ତ ତିନି ଜଣ ବଙ୍ଗୀୟ ମହିଳା ଗିରଫ ହୋଇଛନ୍ତି । ସେମାନେ ଭୁବନେଶ୍ବରର ଏକ ଲଜରେ ରହୁଥିଲେ । ରବିବାର ରାତିରେ ସେମାନେ ୧୦୫ କେଜି ଗଞ୍ଜେଇ ନେଇ ନିର୍ଗୁଣ୍ଡି ଷ୍ଟେସନରେ ପହଞ୍ଚିଥିଲେ ।

ଗଞ୍ଜେଇ ଚ଼ୋରାଚ଼ାଲାଣରେ ସମ୍ପୃକ୍ତ ତିନି ଜଣ ବଙ୍ଗୀୟ ମହିଳା ଗିରଫ ହୋଇଛନ୍ତି ।

ଗଞ୍ଜେଇ ଚ଼ୋରାଚ଼ାଲାଣରେ ସମ୍ପୃକ୍ତ ତିନି ଜଣ ବଙ୍ଗୀୟ ମହିଳା ଗିରଫ ହୋଇଛନ୍ତି ।

  • Share this:
News18 Odia Digital

କଟକ: କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ଗତ ତିନି ଦିନ ମଧ୍ୟରେ ହେଇଥିବା ନିଶା ସାମଗ୍ରୀ ଜବତ ଓ ଗିରଫଦାରୀରୁ ଏହା ସ୍ପଷ୍ଟ ଯେ ଓଡିଶା ଚ଼ୋରା ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଗତ ତିନି ଦିନରେ କେବଳ କଟକରୁ ୩୧୫ କେଜି ଗଞ୍ଜେଇ ସହ ଚ଼ାରି କ୍ୱିଣ୍ଟାଲ ଭାଙ୍ଗ ଜବତ ହେବା ସହ ମୋଟ ୧୦ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଭୋରରୁ କଟକ ନିର୍ଗୁଣ୍ଡି ଷ୍ଟେସନରେ ଚଢ଼ାଉ କରି ୧୦୫ କେଜି ଗଞ୍ଜେଇ ଜବତ କରିଛି । ତା’ ସହ ଗଞ୍ଜେଇ ଚ଼ୋରାଚ଼ାଲାଣ କାରବାରରେ ସମ୍ପୃକ୍ତ ତିନି ଜଣ ବଙ୍ଗୀୟ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

“ଏହି ତିନି ବଙ୍ଗୀୟ ମହିଳା ଭୁବନେଶ୍ବରର ଏକ ନିର୍ଦ୍ଧିଷ୍ଟ ଲଜରେ ରହୁଥିଲେ । ରବିବାର ରାତିରେ ଏମାନେ ୧୦୫ କେଜି ଗଞ୍ଜେଇ ନେଇ ନିର୍ଗୁଣ୍ଡି ଷ୍ଟେସନରେ ପହଞ୍ଚିଥିଲେ । ଅଭିଯୁକ୍ତ ମହିଳାମାନେ ଏହି ଗଞ୍ଜେଇକୁ ଟ୍ରେନ ଯୋଗେ କଲିକତା ନେଇଥାନ୍ତେ । ଏମାନେ କେଉଁ ଠାରୁ ଗଞ୍ଜେଇ ଆଣିଲେ ତା’ର ତଦନ୍ତ ଚାଲିଛି,” କହିଛନ୍ତି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ନିରୀକ୍ଷକ ଜଗଦିଶ ଚନ୍ଦ୍ର ସାମଲ ।

ଏହା ପୂର୍ବରୁ ରବିବାର ସକାଳେ ସେହି ସ୍ଥାନରୁ ୫୦ କେଜି ଗଞ୍ଜେଇ ସହ ଚ଼ାରି କ୍ୟୁଣ୍ଟାଲ ଭାଙ୍ଗ ଜବତ ହୋଇଥିଲା । ଏହି ଅଭିଯୋଗରେ ତିନି ଜଣ ଲୋକ ଗରିଫ ହୋଇଥିଲେ । ଶନିବାର ଦିନ ମଧ୍ୟ ୧୬୦ କେଜି ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଥିଲା ବିଭାଗ ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ବର୍ଷ ଏପ୍ରିଲ ୧ ତାରିଖ ଠାରୁ ୨୦୨୦ ଫ୍ରେବୃଆରୀ ୧୦ ତାରିଖ ମଧ୍ୟରେ ମୋଟ ୧୧ କ୍ୱିଣ୍ଟାଲ ଗଞ୍ଜେଇ ସହ ସାତ କ୍ୱିଣ୍ଟାଲ ଭାଙ୍ଗ ଓ ପ୍ରାୟ ଦୁଇ କେଜି ବ୍ରାଉନ ସୁଗାର ଜବତ ହୋଇଛି । ଏ ସମସ୍ତ ନିଶା ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ।

ଏହି ସମଗ୍ର କାରବାର ମୁଖ୍ୟତଃ ପାଞ୍ଚଟି ସ୍ତର ଦେଇ ଗତି କରୁଛି । ପ୍ରଥମ ସ୍ତରରେ ଥିବା ଲୋକ ଗଞ୍ଜେଇ ଚ଼ାଷ କରୁଥିବା ଲୋକଙ୍କ ଠାରୁ ଏହା କିଣିଥାନ୍ତି । ତା’ ପରେ ଏହି ଗଞ୍ଜେଇକୁ ଆଉ ଏକ ଗୋଷ୍ଠି ସଂଗ୍ରହ କରି ଭୁବନେଶ୍ବର ଆଣନ୍ତି । ତା’ ପରେ ମିଡିଲମ୍ୟାନଙ୍କ ଜରିଆରେ ଏହାକୁ ପଶ୍ଚିମ ବଙ୍ଗ ନିଆଯାଏ । ସେଠାରୁ ଆଉ ଗୋଟିଏ ସ୍ତରରେ ଥିବା ଲୋକ ଏହାକୁ ବାଂଲାଦେଶ ଚ଼ାଲାଣ କରନ୍ତି ଏବଂ ପୁଣି ଆଉ ଏକ ଦଳ ସେଠାରୁ ବିଶ୍ବର ଅନ୍ୟାନ୍ୟ ଦେଶକୁ ଚ଼ାଲାଣ କରନ୍ତି । କିନ୍ତୁ ପ୍ରତି ଥର ମିଡିଲମ୍ୟାନ୍ ବା ଚାଲାଣକାରୀ ହିଁ ଧରା ପଡିଥାନ୍ତି ।

“ଓଡିଶାର ମାଲକାନାଗିରି ଭିଳି ବଣ ଜଙ୍ଗଲଘେରା ଅଞ୍ଚଳରେ ବହୁ ପୂର୍ବରୁ ଗଞ୍ଜେଇ ଚ଼ାଷ ହୋଇଆସୁଥିଲା । କିନ୍ତୁ ୮୦ ଦଶକ ପରେ ମାଓବାଦୀମାନେ ଅର୍ଥ ରୋଜଗାର ପାଇଁ ଏହି କାରବାରକୁ ନିଜର ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରିବାରୁ ଗଞ୍ଜେଇ କାରବାର ବୃଦ୍ଧି ପାଇଥିଲା । ଏନଡିପିଏସ୍ ଆଇନ ଆସିବା ପରେ ଏହି କାରବାର କିଛିଟା କମ ହୋଇଛି ସତ, କିନ୍ତୁ ଏହି କାରବାରକୁ ପ୍ରତିହତ କରିବା ପାଇଁ ଅବକାରୀ ବିଭାଗକୁ ଆଉ ଟିକେ ଅଧିକ କ୍ରିୟାଶୀଳ ହେବାକୁ ପଡିବ,” କହିଛନ୍ତି ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ ।
Published by:Anand Shankar Thankur Das
First published: