ପୁରୀ ବଣ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପାଇଲଟ ପ୍ରକଳ୍ପ; ଲଗାଯିବ ୩୦ ହଜାର ତାଳ ଗଛ

ମହାପ୍ରଭୁଙ୍କ ରଥଯାତ୍ରାରେ ଖାଲି ରଥ କାଠର ଅଭାବ ନୁହେଁ ରଥଯାତ୍ରାରେ ବ୍ୟବହୃତ ତାଳ କାଠର ମଧ୍ୟ ଆଗାମୀ ଦିନରେ ଅଭାବ ପରିଲକ୍ଷିତ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ବଣ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପାଇଲଟ ପ୍ରକଳ୍ପ ଭାବେ ଲଗାଯିବ ୩୦ ହଜାର ତାଳ ଗଛ।

ପୁରୀ ବଣ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପାଇଲଟ ପ୍ରକଳ୍ପ

ପୁରୀ ବଣ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପାଇଲଟ ପ୍ରକଳ୍ପ

  • News18 Odia
  • Last Updated :
  • Odisha (Orissa) | Purihasa
  • Share this:
News18 Odia Digital

ପୁରୀ: କୋଣାର୍କ ମେରାଇନ ରାସ୍ତାକଡ଼ରେ ରୋପଣ ହେବ ତିନି ଥାକିଆ ତାଳ ଗଛ। ପୁଣି ପୁରୀର ତାଳବଣିଆ ଅଞ୍ଚଳ ତାଳବଣକୁ ନେଇ ପରିଚିତ ଥିବା ବେଳେ ଏବେ ସେଠାରେ ଜଙ୍ଗଲ ଅବକ୍ଷୟ ତାଳବଣର ପରିଚୟ ହରାଇସାରିଛି। ତେଣୁ ଏହାର ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଳବଣ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ରଥଯାତ୍ରାର ଚାହିଦା ମେଣ୍ଟାଇବା ପାଇଁ ୩୦ ହଜାର ତାଳମଞ୍ଜି ରୋପଣ ପାଇଁ ମୁଖ୍ୟ ବନ ସଂରକ୍ଷକ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାରଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ଆଉ ରଥ ନିର୍ମାଣରେ ନିୟୋଜିତ ଭୋଇ ସର୍ଦ୍ଦାର।

"ପୁଣି ଫେରିବ ତାଳବଣ। କୋଣାର୍କ ମେରାଇନ୍‌ ରାସ୍ତା କଡ଼ରେ ‌ରୋପଣ ହେବ ତିନି ଥାକିଆ ତାଳଗଛ। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜ ପକ୍ଷରୁ ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପୁରୀ ବନ୍ୟପ୍ରାଣୀ ବନଖଣ୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ମହାପ୍ରଭୁଙ୍କ ରଥଯାତ୍ରାରେ ରଥ ଉପରକୁ ଠାକୁରଙ୍କୁ ପହଣ୍ଡି ସମୟରେ ତାଳଗଣ୍ଡିରୁ ପ୍ରସ୍ତୁତ ଚାର ବିଜେ କରିବା ପାଇଁ ବ୍ୟବହୃତ ହୋଇଥାଏ। ତେବେ ବର୍ଷ ବର୍ଷ ଧରି ତାଳବଣିଆ ହିଁ ଏହାର ଚାହିଦା ମେଣ୍ଟାଉଥିଲା। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ପୁରୀ ବନଖଣ୍ଡ ପକ୍ଷରୁ ତାଳ ଚାରା ତଥା ତାଳ ଗଛର ଗଣ୍ଡି ଯୋଗାଇଦିଏ। ମାତ୍ର ଏବେ ତାଳବଣିଆ ତାଳ ଗଛ ଶୂନ୍ୟ ହୋଇଯାଇଥିବାରୁ ଅନ୍ୟ ଅଞ୍ଚଳରୁ ଏହାକୁ ଅଣାଯାଉଛି। ରଥଯାତ୍ରା ସମୀକ୍ଷା ବୈଠକରେ ତାଳ ଗଛର ସୃଷ୍ଟି ନେଇ ମତ ପ୍ରକାଶ ପାଇଥିଲା। ରଥଯାତ୍ରା‌ରେ ଆବଶ୍ୟକତା ମେଣ୍ଟାଇବା ଦୃଷ୍ଟିରୁ ଏହା ଯେତିକି ଉପାଦେୟ, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଜନବସତି ପାଇଁ ଏହା ସେତିକି ଗୁରୁତ୍ବପୂର୍ଣ୍ଣ। ପରିବେଶ ସନ୍ତୁଳନ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସହ ବାଇ ଚଢ଼େଇମାନେ ମଧ୍ୟ ତାଳଗଛର ବରଡ଼ାରେ ବସା ବାନ୍ଧିଥାନ୍ତି। ତାଳ ଗଛ ସୃଷ୍ଟି ପାଇଁ ତାଳ ମଞ୍ଜି ମୁଖ୍ୟ ଆବଶ୍ୟକତା ହୋଇଥିବା ବେଳେ ସଂପ୍ରତି ପାଚିଲା ତାଳ ବହୁ ପରିମାଣରେ ଗଛ ନିକଟରେ ମହଜୁଦ ରହିଛି। ତେଣୁ ଏହାକୁ ସଂଗ୍ରହ କରିବା ସହ ତାଳ ଗଛ ବ୍ୟାପକ ପରିମାଣରେ ରୋପଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକସ୍ଥଳେ ଇକୋ ଡେଭଲପମେଣ୍ଟ କମିଟି (ଇଡିସି)ର ସହାୟତା ନେବାକୁ କୁହାଯାଇଛି। ଆଉ ତାଳ ଚାରା ରୋପଣ ନେଇ ମୁଖ୍ୟ ବନ ସଂରକ୍ଷକ ଏନେଇ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପ୍ରାୟ ୩୦ ହଜାର ତାଳ ଚାରା କୋଣାର୍କ ମେରାଇନ ରାସ୍ତା କଡ଼ରେ ପାଇଲଟ ପ୍ରକଳ୍ପ ଭାବେ ଲଗାଯିବ। ଚିହ୍ନଟ ହୋଇଥିବା ଜମିରେ ତିନି ଥାକିଆ ତାଳ ଚାରା ରୋପଣ ସହ ତାଳବଣିଆରେ ମଧ୍ୟ ରୋପଣ କରାଯିବ,’’ କହିଛନ୍ତି ପୁରୀ ଡିଏଫଓ ରାମା ସ୍ୱାମୀ।

ଲଗାଯିବ ୩୦ ହଜାର ତାଳ ଗଛ


"ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଗର୍ଭଗୃହରେ ରତ୍ନବେଦୀରେ କଳାହାଟ ଦ୍ୱାର ଠାରୁ ସିଂହାସନ ପର୍ଯ୍ୟନ୍ତ ତାଳ କାଠ ବା ମାଲର ବ୍ୟବହାର କରାଯାଏ। ଯେଉଁଥିରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ସହ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହା ବ୍ୟବହାର କରାଯାଏ। ସେପଟେ ରଥରେ ମଧ୍ୟ ଚାରମାଳ ବନ୍ଧା ପାଇଁ ତାଳ କାଠ ବ୍ୟବହାର କରାଯାଏ। ପୂର୍ବରୁ ଏହା ତାଳବଣିଆରୁ ଆସୁଥିବା ବେଳେ ତାଳ କାଠର ଅଭାବ ଯୋଗୁଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଣିବାକୁ ପଡୁଛି,’’ କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ।

ଶ୍ରୀଜଗନ୍ନାଥ ଗବେଷକ ପଦ୍ମନାଭ ତ୍ରିପାଠୀ କହିଛନ୍ତି, ‘‘ତେବେ ପ୍ରଶାସନର ଜଗନ୍ନାଥଙ୍କ ପାଇଁ ତାଳ ଗଛର ରୋପଣ ପ୍ରକ୍ରିୟା ବେଶ ସ୍ୱାଗତ ଯୋଗ୍ୟ। ଆଉ ଆଗାମୀ ଦିନରେ ଏହି ତାଳ ଜଙ୍ଗଲ ରଥଯାତ୍ରାର ଆବଶ୍ୟକତା ପୂରଣ କରିପାରିବ। ବାସ୍ତବରେ ଗୋଟିଏ ତାଳ ଗଛର ଅବଦାନ ଅନେକ, କିନ୍ତୁ ତାଳ ଗଛଟିଏ ବଢ଼ାଇବା ଏତେ କଷ୍ଟ ସାଧ୍ୟ ନୁହେଁ। ତାଳ ମଞ୍ଜି ମାତ୍ର ୬ ରୁ ୯ଇଞ୍ଚ ମାଟି ମଧ୍ୟରେ ରୋପଣ କଲେ ତାହା ବଢ଼ିଥାଏ। ତାଳଗଛ ମାଟି ତଳକୁ ପ୍ରାୟ ୩ ଫୁଟ ଯିବା ପରେ ହିଁ ଗଜା ବାହାରିଥାଏ। ଏଥିରେ ନିୟମିତ ପାଣି ଦେବା ଆବଶ୍ୟକ ପଡ଼େ ନାହିଁ। ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ତାରଜାଲି ଘେରାଇବା ଆବଶ୍ୟକ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କ ପାଇଁ ଖାଲି ବନବିଭାଗ ନୁହେଁ ପ୍ରତିଟି ଜଗନ୍ନାଥ ପ୍ରେମୀ ତାଳ ଗଛ ସହିତ ଅନ୍ୟ ଗଛ ରୋପଣ କରିବାକୁ ଅନୁରୋଧ କରୁଛି।’’

ଛଇତନା ଅଞ୍ଚଳର ୬୭ ବର୍ଷୀୟ ତାଳ ଚାଷୀ ନରହରି ପ୍ରଧାନଙ୍କ କହିବା ଅନୁଯାୟୀ, ‘‘ପୁରୀ ଜିଲ୍ଲା ହେଉଛି ବାତ୍ୟାପ୍ରବଣ ଅଞ୍ଚଳ। ଆଉ ବାତ୍ୟାପ୍ରବଣ ଅଞ୍ଚଳରେ ତାଳ ଗଛ ଅତ୍ୟନ୍ତ ଜରୁରୀ। ବାତ୍ୟା ବେଳେ ଯେତେ ପବନ ହେଲେ ମଧ୍ୟ ତାଳ ଭଳି ଶକ୍ତ ବୃକ୍ଷରାଜି ଏହାକୁ ପ୍ରତିରୋଧ କରିଥାଏ। ପବନର ବେଗକୁ ୫୦ ପ୍ରତିଶତ ପ୍ରତିହତ କରିବାର କ୍ଷମତା ରଖେ। ତେଣୁ ଏହା ଜନବସତିରେ ମାଡ଼ ହେବା ବେଳକୁ ଏହା ଦୁର୍ବଳ ହୋଇଯାଏ। ଘଡ଼ଘଡ଼ି ସମୟରେ ତାଳଗଛ ବିଜୁଳି କରେଣ୍ଟକୁ ମାଟି ତଳକୁ ଆର୍ଥିଂ ଭାବେ ଟାଣି ନେବାରେ ସହାୟକ ମଧ୍ୟ ହୁଏ। ସେପଟେ ତାଳ ଗଛକୁ ନେଇ ଏଠି ଗଢ଼ି ଉଠିଛି ବ୍ୟବସାୟ। କାରଣ ତାଳ ଗଛର ପତ୍ରରେ ଭୋଗେଇ ,ପଟ୍ଟଚିତ୍ର, କଣ୍ଢେଇ, ଖେଳନା, ପୋଥି, ଜାତକ ଆଦି ତିଆରି କରାଯାଏ। ଆଉ ଏହାକୁ ନେଇ କିଛି ଲୋକଙ୍କ ପେଟପାଟଣା ପୋଷିହୁଏ। ଚମାରମାନେ ତାଳ ପତ୍ରରେ ଏସବୁ କରିଥାନ୍ତି। ଆଉ ଏହାକୁ ବିକ୍ରି କରି ଦି ପଇସା ରୋଜଗାର କରନ୍ତି।'’

ତାଳ ଗଛ ରୋପଣ ଖାଲି ସହରରେ ନୁହେଁ ପ୍ରତିଟି ଗାଁ ଗାଁରେ ଲଗାଇଲେ ଏହା ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ସହ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ।
Published by:Lipina Das
First published: