ଗୋଟିଏ ପଞ୍ଚାୟତ ସହ ୩ଟି ଗାଁ ବ୍ରହ୍ମପୁର ସହରରେ ମିଶିବ; ନିର୍ଦ୍ଦେଶନାମା ଜାରି

ବ୍ରହ୍ମପୁରରେ ମିଶିବ ଗୋଟିଏ ପଞ୍ଚାୟତ ସହ ୩ଟି ଗାଁ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରୀ ।

ଗୋଟିଏ ପଞ୍ଚାୟତ ସହ ୩ଟି ଗାଁ ବ୍ରହ୍ମପୁର ସହରରେ ମିଶିବ; ନିର୍ଦ୍ଦେଶନାମା ଜାରି

ଗୋଟିଏ ପଞ୍ଚାୟତ ସହ ୩ଟି ଗାଁ ବ୍ରହ୍ମପୁର ସହରରେ ମିଶିବ; ନିର୍ଦ୍ଦେଶନାମା ଜାରି

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର ; ଖୁବଶୀଘ୍ର ଗୋଟିଏ ପଞ୍ଚାୟତ ସହ ୩ଟି ଗାଁ ବ୍ରହ୍ମପୁର ସହରରେ ମିଶିବାକୁ ଯାଉଛି । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହାସହିତ ଯଦି ଏଥିରେ କାହାର ଅଭିଯୋଗ ରହିଛି ତେବେ ସେମାନେ ଏକ ମାସ ମଧ୍ୟରେ ବିଭାଗକୁ ଜଣାଇ ପାରିବେ । ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସହରତଳୀ ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି ଗାଁ ଓ ପଞ୍ଚାୟତକୁ ବାଦ ଦେଲେ ପୂର୍ବରୁ ଦାବି କରାଯାଇଥିବା ବଳକା ୧୪ଟି ପଞ୍ଚାୟତକୁ ବ୍ରହ୍ମପୁର ସହରରେ ଖୁବଶୀଘ୍ର ମିଶାଇବା ନେଇ ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।



ବ୍ରହ୍ମପୁର ସହରକୁ ଲାଗି ରହିଥିବା ଗାଁ ଓ ପଞ୍ଚାୟତକୁ ସହରରେ ମିଶାଇବା ସହ ଏକ ଗ୍ରେଟର ବ୍ରହ୍ମପୁର ପାଇଁ ଯୋଜନା କରିଥିଲେ ସରକାର । କିନ୍ତୁ ତାହା ଦୀର୍ଘ ବର୍ଷ ଧରି ଯୋଜନାରେ ହିଁ ରହି ଯାଇଥିଲା । ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହରରେ ମୋଟ ୧୮ଟି ପଞ୍ଚାୟତକୁ ସାମିଲ କରିବା ନେଇ ବାରମ୍ବାର ଦାବି ହୋଇଥିଲା । " ବର୍ତ୍ତମାନ ସରକାର ଗୋଟିଏ ପଞ୍ଚାୟତ ସହ ତିନୋଟି ଗାଁକୁ ବ୍ରହ୍ମପୁରରେ ସାମିଲ କରିବା ନେଇ ପଦକ୍ଷେପ ନେଇଛନ୍ତି । ଏଥିମଧ୍ୟରେ ରହିଛି ଲୋଚାପଡା ପଞ୍ଚାୟତ, ବଡକୁସସ୍ଥଳୀ ପଞ୍ଚାୟତର ସାନକୁସସ୍ଥଳୀ ଗ୍ରାମ, ଗଉଞ୍ଜୁ ପଞ୍ଚାୟତର ବ୍ରହ୍ମାପଲ୍ଲୀ ଗ୍ରାମ ଓ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଗ୍ରାମ ।



୩୦ ଦିନର ମହଲତ ମଧ୍ୟରେ ଯଦି କୌଣସି ଅଭିଯୋଗ ଆସେ ସେ ନେଇ ସରକାର ଆଲୋଚନା କରିବେ । ଏହାପରେ ସରକାରଙ୍କ ପକ୍ଷରୁ ସହରରେ ଗାଁ ଓ ପଞ୍ଚାୟତକୁ ସାମିଲ କରିବାର ପ୍ରକ୍ରିୟା ଆଗକୁ ବଢିପାରିବ ବୋଲି କହିଛନ୍ତି, "ବ୍ରହ୍ମପୁର କମିଶନର ଜେ.ସୋନାଲ । ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମୂଳ ମାମଲାରେ ୨୦୦୮ ମସିହା ଗେଜେଟ ନୋଟିଫିକେସନ ଅନୁଯାୟୀ ମହାନଗର ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବିଏମସିରେ ସାମିଲ କରିବା ନେଇ ହାଇ କୋର୍ଟରେ ରିଟ୍ ଫାଇଲ କରାଯାଇଥିଲା । ମାମଲାର ଶୁଣାଣି କରି ହାଇକୋର୍ଟ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ପାଇଁ ଇଚ୍ଛା ପ୍ରକାଶ କରି ସଂକଳ୍ପ ପାସ ଓ ଜିଲ୍ଲାପାଳଙ୍କ ଅନୁମୋଦନ ଲାଭ କରିଥିବା ପଞ୍ଚାୟତ ଏବଂ ଗ୍ରାମକୁ ତିନି ମାସ ମଧ୍ୟରେ ମହାନଗର ନିଗମରେ ସାମିଲ କରିବା ନେଇ ପଦକ୍ଷେପ ଗ୍ରହଣ କରି ପ୍ରକ୍ରିୟା ସାରିବାକୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ । " ପୌର ପ୍ରଶାସନ ସେ ସମୟ ସୀମା ଭିତରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ କ୍ରିୟାନୁଷ୍ଠାନ କମିଟି ତରଫରୁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା । ଅଦାଲତ ଅବମାନନା ମାମଲାର ବିଚାର କରି ହାଇକୋର୍ଟ ନିର୍ଦ୍ଦେଶକ ପୌର ପ୍ରଶାସକଙ୍କୁ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏକ ମାସ ମଧ୍ୟରେ ସାମିଲ ନେଇ ପଦକ୍ଷେପ ଗ୍ରହଣ କରି ପକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କହିଥିଲେ । ତଦନୁଯାୟୀ ପୌର ପ୍ରଶାସକ ପଦକ୍ଷେପ ଗ୍ରହଣ କରି ପକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି, ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜିବ କୁମାର ପଟ୍ଟନାୟକ ।

"ସହରକୁ ଲାଗି ରହିଥିବା ବେଳେ ଏହି ତିନୋଟି ଗାଁ ଓ ପଞ୍ଚାୟତରେ ଅନେକ ସମସ୍ୟା ରହିଛି । ପରିମଳଠାରୁ ଆରମ୍ଭ କରି ରାସ୍ତା ଏବଂ ନର୍ଦ୍ଦମା ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ । ବର୍ତ୍ତମାନ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବେଶ ଆଶ୍ବସ୍ତ ହୋଇଛନ୍ତି । ଖୁବଶୀଘ୍ର ନିଜର ନିର୍ଦ୍ଦେଶନାମାକୁ ସରକାର ପାଳନ କରିବେ ଆଉ ଏହି ସମସ୍ୟାରୁ ସବୁଦିନ ପାଇଁ ଦୂର କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି," ଲୋଚାପଡା ବାସିନ୍ଦା ରାଧାଚରଣ ସାବତ । ଦୀର୍ଘ ବର୍ଷର ଦାବି ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରାମବାସୀ ମାନେ ସ୍ବାଗତ କରିଥିବା ବେଳେ ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେଉଛି ଏବେ ତାହାକୁ ହିଁ ଅପେକ୍ଷା ।
Published by:Soubhagya Mishra
First published: