୩ବର୍ଷରେ ବଦଳି ହେଲେଣି ୩ଟ୍ରାଫିକ ଡ଼ିସିପି (ପ୍ରତିକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯୋଜନା କରୁଛି କମିଶନରେଟ ପୋଲିସ । ଏହି ବ୍ୟବସ୍ଥାର ସୁଧାର ଦାୟିତ୍ବ ବହନ କରୁଥିବା ଅଧିକାରୀ ହଠାତ୍ ବଦଳି ହୋଇଯାଉଛନ୍ତି। ୩ ବର୍ଷ ଭିତରେ ୩ ଜଣ ଟ୍ରାଫିକ୍ ଡିସିପି ବଦଳି ଥିବାରୁ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ଜଣା ପଡ଼ିଛି ।
ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ ୨୦୧୯ ମସିହାରେ ଯୁବ ଆଇପିଏସ୍ ସାଗରିକା ନାଥଙ୍କୁ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ବ ଦିଆଗଲା। ରାଜଧାନୀର ଅସଜଡ଼ା ଟ୍ରାଫିକ୍ ବ୍ୟବସ୍ଥାରେ ଏକ ନୂଆ ରୂପ ଦେଲେ। ଲେନ୍ ଡ୍ରାଇଭ୍ ଠାରୁ ଆରମ୍ଭ କରି ହେଲମେଟ୍ ପିନ୍ଧିବା ଓ ସିଟବେଲ୍ଟ ବାନ୍ଧିବା କଡ଼ାକଡ଼ି କରାଯାଇଥିଲା। ଟ୍ରାଫିକ୍ ଛକରେ ଜେବ୍ରା କ୍ରସିଂ ନିୟମ କଡ଼ାକଡ଼ି କରାଯାଇଥିଲା। ଲୋକେ ଟ୍ରାଫିକ୍ ନିୟମ ସହ ଅଭ୍ୟସ୍ତ ହେବା ପୂର୍ବରୁ ଡିସିପି ସାଗରିକାଙ୍କୁ ୨୦୨୦ ମସିହାରେ ସୁନ୍ଦରଗଡ଼ ଏସପି ଭାବେ ବଦଳି କରାଗଲା ।
ସାଗରିକା ନାଥ ବଦଳି ପରେ ଆଇପିଏସ୍ ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେ ବି ବେଶି ଦିନ ରହିଲେ ନାହିଁ। ଅଳ୍ପ ଦିନରେ ନିଜର କ୍ୟାଡ଼ର୍ ପରିବର୍ତ୍ତନ କରି ୨୦୨୧ ଫେବ୍ରୁଆରିରେ ସେ ପଞ୍ଜାବ ଚାଲିଗଲେ। ଏହାପରେ ପୁଣି କିଛିଦିନ ଟ୍ରାଫିକ ଡିସିପି ପଦବୀ ଖାଲି ପଡ଼ିଥିଲା। ଗତବର୍ଷ ଯୁବ ଆଇପିଏସ ତଥା ତତ୍କାଳୀନ କେସିଙ୍ଗା ଏସଡ଼ିପିଓ ଏସ.ସୁଶ୍ରୀଙ୍କୁ ଭୁବନେଶ୍ୱର ବଦଳି କରି ଟ୍ରାଫିକ ଡିସିପି ଭାବେ ଅବସ୍ଥାପିତ କରାଯାଇଥିଲା । ସେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ କିଛି ଯୋଜନା ଆରମ୍ଭ କରିଥିଲେ। ହେଲା ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ତାଙ୍କର ନବରଙ୍ଗପୁର ଏସପି ଭାବେ ବଦଳି ହୋଇଯାଇଛି।
"ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ଯୋଜନା କରାଯାଇଥିଲା । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ବି ହୋଇଛି । ହେଲେ ଯୋଜନା ଗୁଡ଼ିକ ସବୁ କାଗଜ କଲମରେ ସୀମିତ ରହିଛି। ଯୋଜନା କରିବା ଅପେକ୍ଷା ଏହାକୁ କାର୍ଯ୍ୟକାରୀ କରିବା ଉଚିତ। ସବୁ ବିଭାଗର ବିଶେଷଜ୍ଞ ଟିମ ସହ ଅଲୋଚନା କରି କାମ କରିବା ଉଚିତ। ତାହାଲେ ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ," କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ମୁକବୁଲ ଅଲ୍ଲୀ ।
ସୂଚନାଯୋଗ୍ୟ, ବଢୁଛି ରାଜଧାନୀର ଲୋକସଂଖ୍ୟା। ରାଜଧାନୀରେ ବୃଦ୍ଧି ପାଉଛି ଗାଡ଼ି ମଟର । ଯାହାଦ୍ୱାରା ଟ୍ରାଫିକ ସମସ୍ୟାରେ ଛନ୍ଦି ହୋଇ ଅଣନିଶ୍ୱାସି ହୋଇପଡୁଛନ୍ତି ସାଧାରଣ ଲୋକେ। ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୋଲିସ ପ୍ରଶାସନ ଅନେକ ଯୋଜନା କରୁଛି ହେଲେ ଯୋଜନା ଗୁଡ଼ିକ କାଗଜ କଲମରେ ସୀମିତ ରହୁଥବା ଚର୍ଚ୍ଚା ହେଉଛି ।
Published by:Soumya Das
First published: