• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମହାପ୍ରଭୁଙ୍କ ପାଇଁ ଆସିଲା ୩ କ୍ୱିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ; ତାମିଲନାଡ଼ୁରୁ ଆଣିଲା ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁଙ୍କ ପାଇଁ ଆସିଲା ୩ କ୍ୱିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ; ତାମିଲନାଡ଼ୁରୁ ଆଣିଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀଜିଉଙ୍କ ଦୈନିକ ନୀତିକାନ୍ତି ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଲାଗି ହେଉଥିବା ଚନ୍ଦନକାଠ ଜୟପୋଖାଲ ପ୍ରଜାତିର । ପୂର୍ବରୁ ଚନ୍ଦନକାଠ ତାମିଲନାଡ଼ୁରୁ ଅଧିକ ପରିମାଣର ଆସୁଥିଲା । କିନ୍ତୁ ଆଇନଗତ ସମସ୍ୟା ପାଇଁ ଅଟକି ରହିଥିଲା ।

ମହାପ୍ରଭୁଙ୍କ ପାଇଁ ଆସିଲା ୩ କ୍ୱିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ

ମହାପ୍ରଭୁଙ୍କ ପାଇଁ ଆସିଲା ୩ କ୍ୱିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ

  • Share this:
News 18 Odia Digital

ପୁରୀ; ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ସୁଦୂର ତାମିଲନାଡ଼ୁରୁ ଆସିଛି ୩ କ୍ବିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ । ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଟିମ୍ ତାମିଲନାଡ଼ୁ ଗସ୍ତ କରିଥିଲେ । ଏହି ଚନ୍ଦନ କାଠ ବନ ବିଭାଗଠାରୁ କଡ଼ା ସୁରକ୍ଷା ଭିତରେ ଟ୍ରେନ ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ଅଣାଯାଇଛି । ଯାହାର ଦାମ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଶ୍ରୀଜିଉଙ୍କ ଦୈନିକ ନୀତିକାନ୍ତି ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଲାଗି ହେଉଥିବା ଚନ୍ଦନକାଠ ଜୟପୋଖାଲ ପ୍ରଜାତିର । ପୂର୍ବରୁ ଚନ୍ଦନକାଠ ତାମିଲନାଡ଼ୁରୁ ଅଧିକ ପରିମାଣର ଆସୁଥିଲା । କିନ୍ତୁ ଆଇନଗତ ସମସ୍ୟା ପାଇଁ ଅଟକି ରହିଥିଲା । ଏମଧ୍ୟରେ ୩ କ୍ୱିଣ୍ଟାଲ ଚନ୍ଦନ କାଠ ଦେବାକୁ ତାମିଲନାଡ଼ୁ ବନବିଭାଗ ସହମତି ଦେବା ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ତାମିଲନାଡ଼ୁ ଗସ୍ତ କରି ଏହା ଆଣିଛନ୍ତି ।

ବର୍ଷକ ପାଇଁ ଦୈନନ୍ଦିନ ନୀତିକାନ୍ତିରେ ଏହି ଚନ୍ଦନ ବ୍ୟବହାର ହେବ । ସୂଚନାଯୋଗ୍ୟ, ଦୈନିକ ସକାଳଧୂପ, ମଧ୍ୟାହ୍ନଧୂପ, ସଂଧ୍ୟା ଧୂପ ସହ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଯାଇଥାଏ । ଏଥିପାଇଁ ଦୈନିକ ପ୍ରାୟ ୭ଶହ ଗ୍ରାମ ଚନ୍ଦନ ଆବଶ୍ୟକ ପଡ଼ିଥାଏ । ଏହି ଚନ୍ଦନ ମହାପ୍ରଭୁ ଅଧରରେ ଲାଗି ‌ହୁଏ । ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଅଣସର ନୀତି ବେଳେ ଏହି ଚନ୍ଦନକୁ କଢ଼ାଯାଇ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ସଂପୂର୍ଣ୍ଣ ଶରୀରରେ ଚନ୍ଦନ ଲେପ ଦିଆଯାଇଥାଏ । ଏଥିପାଇଁ ୧୬ ସେରେ ଚନ୍ଦନ ଲାଗି ହୋଇଥାଏ । ସେହିଭଳି ଚନ୍ଦନଯାତ୍ରା ନୀତି ବେଳେ ୭ କେଜି ଚନ୍ଦନ ଲାଗି ହୋଇଥାଏ ।

ଗତ ୨୦୨୧ ମସିହା ସେପ୍ଟେମ୍ବର ୨ତାରିଖରେ ଖଲ୍ଲିକୋଟର ଜଣେ ଭକ୍ତ ସକଳେଶ୍ୱର ରଥ ଶ୍ରୀମନ୍ଦିରକୁ ୨ କ୍ବିଣ୍ଟାଲ ଓଜନର ଚନ୍ଦନ କାଠ  ଦାନ କରିଥିଲେ । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ସକଳେଶ୍ୱରଙ୍କ ସମେତ ତାଙ୍କ ପିତା ଶ୍ରୀ ଆରର୍ତ୍ତ୍ରାଣ ରଥ ଏବଂ ସପରିବାର ଆସି ଏହି କାଠକୁ ଦାନ କରିଥିଲେ । ଏଥିରେ ଉକ୍ତ ଗଛର ଗଣ୍ତି ଅଂଶର ୧୭ ଖଣ୍ତ, ଶାଖା ୨୨, ମୂଳ ୯ ଖଣ୍ତ ଏବଂ କାଟିବା ବେଳେ ବାହାରିଥିବା ୩ କିଲୋଗ୍ରାମ ଛେଲି ରହିଥିଲା । ସରକାରୀ ନିୟମ ଅନୁଯାୟୀ ଗଛ କାଟି ଆବଶ୍ୟକୀୟ ମାପଚୁପ କରାଯାଇ ଅଣାଯାଇଥିଲା । ତେବେ ମହାପ୍ରଭୁଙ୍କ ଠାରେ ଚନ୍ଦନଲାଗି ପାଇଁ ଆବଶ୍ୟକିୟ ଚନ୍ଦନକାଠ ମିଳିବା ସହଜ ହେଉନଥିଲା । ଉଭୟ ଆଇନଗତ ଦିଗ ଏବଂ ଚନ୍ଦନକାଠର ଅଭାବ ସମସ୍ୟା ଦୁଇଟି ଅସୁବିଧା ରହିଛି ବୋଲି ସୂଚନା ମିଳୁଥିଲା । ଓଡ଼ିଶାରେ ଜବତ ହୋଇଥିବା ଚନ୍ଦନକାଠ ଅଣାଯିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।
Published by:Soubhagya Mishra
First published: