News18 Odia Digital
ବାଲେଶ୍ଵର: ବାଲେଶ୍ୱର ଖନ୍ତାପଡ଼ାର ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ ହୋଇଛି। ଗ୍ୟାସ ଲିକ ଯୋଗୁଁ ୨୮ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ସଙ୍ଗେ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ। କିଛି ମହିଳା କର୍ମଚାରୀ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଛି। ଖନ୍ତାପଡାର ଏକ ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ସମୟରେ ସେଠାରେ କାମ କରୁଥିବା କର୍ମଚାରୀ ଗ୍ୟାସ୍ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ଡାକ୍ତରଖାନା ନିଆଯିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ୧୫ଜଣଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ପର୍ଯ୍ୟନ୍ତ ୭ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଶୋଚନୀୟ ରହିଛି ଓ ୩ଜଣଙ୍କୁ ଡିସଚାର୍ଜ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ସିଡିଏମଓ ଜୁଲଲସେନ ଜଗଦେଵ।
ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ୧୩ରେ ଖନ୍ତାପଡାର ଆଉ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ୯୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।