ରାଜଧାନୀ ଅପରାଧୀଙ୍କ ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ ପୋଲିସ; ଲଗାଉଛି ୧୧୦ଦଫା

କମିସନରେଟ ପୁଲିସର ସୂଚନା ଅନୁଯାୟୀ, ୨୦୨୧ ମସିହାରେ IPC ୧୧୦ ଦଫାରେ ୨୫୨ଜଣ ଅଭ୍ୟାସଗତ ଅପରାଧି ପୁଲିସ ପଞ୍ଝାରେ ପଡ଼ିଛନ୍ତି । ଏପ୍ରିଲ ଓ ନଭେମ୍ବର ମାସରେ ୧୧୦ରେ ବୁକ୍ ସଂଖ୍ୟା ୩୦ ଲେଖାଏଁ ଟପିଛି ।

୧୧୦ଦଫାରେ ଗିରଫ ହୋଇଛନ୍ତି ୨୫୨ ଜଣ ଅପରାଧୀ (ପ୍ରତୀକାତ୍ମକ ଛବି)

୧୧୦ଦଫାରେ ଗିରଫ ହୋଇଛନ୍ତି ୨୫୨ ଜଣ ଅପରାଧୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଏବେ ଅପରାଧୀଙ୍କ କବଜାରେ ରହିଛି । ସହରରେ ଚୋରି, ଲୁଟ୍‌ପାଟ , ଡକାୟତି, ସଂଗଠିତ ଆକ୍ରମଣ ଭଳି ଘଟଣାରେ ଆଉ ଅଙ୍କୁଶ ଲାଗୁନି । ତେଣୁ ସହରରୁ ଅଭ୍ୟାସଗତ ଅପରାଧୀଙ୍କୁ ପାନେ ଦେବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ । ଅପରାଧୀଙ୍କ ପୃଷ୍ଠଭୂମୀ ଦୃଷ୍ଟିରେ ରଖି ବାରମ୍ବାର ଅପରାଧରେ ସଂଶ୍ଳିଷ୍ଟ ରହୁଥିବା ଅପରାଧୀଙ୍କ ବିରୋଧରେ ୧୧୦ ଭଳି ସଙ୍ଗୀନ ଦଫା ଲାଗୁଛି । ସେ ସର୍ବସାଧାରଣରେ ଆତଙ୍କରାଜ ହେଇ କି ଲୁଟ୍‌ପାଟ୍ ଭଳି ଘଟଣାରେ ଅଭ୍ୟାସଗତ ଅପରାଧୀଙ୍କ ଉପରେ ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ ।

କମିସନରେଟ ପୁଲିସର ସୂଚନା ଅନୁଯାୟୀ,  ୨୦୨୧ ମସିହାରେ IPC ୧୧୦ ଦଫାରେ ୨୫୨ଜଣ ଅଭ୍ୟାସଗତ ଅପରାଧି ପୁଲିସ ପଞ୍ଝାରେ ପଡ଼ିଛନ୍ତି । କିଏ ଜେଲରେ ଥିବାରୁ ସମୟସୀମା ବଢ଼ିବାରୁ ଆଉ କିଛି ଦିନ ଜେଲରେ ବିତାଇବ ତ ଆଉ କିଏ ୧୧୦ ଦଫାରେ ପୁଣି ବାନ୍ଧିଛି କମିସନରେଟ ପୁଲିସ । ସେହିପରି ମାର୍ଚ୍ଚ ମାସରେ ସର୍ବାଧିକ ପେସାଦାର ୧୧୦ରେ ବୁକ୍ ହୋଇଥିବା ବେଳେ ଫେବୃଆରୀରେ ସର୍ବନିମ୍ନ ଗିରଫ ହୋଇଥିଲେ । ଏଥିସହିତ ଏପ୍ରିଲ ଓ ନଭେମ୍ବର ମାସରେ ୧୧୦ରେ ବୁକ୍ ସଂଖ୍ୟା ୩୦ ଲେଖାଏଁ ଟପିଛି ।

୧୧୦ ଦଫାକୁ ନେଇ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, "ଗଣ୍ଡଗୋଳ , ଚୋରି , ଚୋରି ସାମଗ୍ରୀ କିଣିବା , ଲୁଟେରାଙ୍କୁ ପ୍ରୋତ୍ସାହନ ଦେବା , ଏକାଧିକ ଅପହରଣ ଓ ଆଇନଶୃଙ୍ଖଳା ବିଗିଡିବା ଭଳି ପରିସ୍ଥିତି ସୃଷ୍ଟି କରୁଥିବା ଅପରାଧିଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଗଣନା କରାଯାଇଥାଏ । ସେମାନଙ୍କ ବିରୋଧରେ ୧୧୦ ଭଳି ସଙ୍ଗୀନ ଦଫା ଲଗାଯାଇଥାଏ । ସେମାନଙ୍କୁ ବିରୋଧରେ ଏହି ଦଫା ଲାଗିବା ଫଳରେ କୋର୍ଟରୁ ଜାମିନ ମିଳିନଥାଏ ।  ସେହିପରି ଯଦି ଜେଲରେ ଥିବା ଅପରାଧି ଉପରେ ୧୧୦ ଲଗାଯାଏ, ତେବେ ସେ ଆଉ କିଛିଦିନ ଜେଲରେ ରହିବ ।"

୨୦୨୧ ମସିହା ୧୧୦ ବୁକ୍ କରିବାରେ ରେକର୍ଡ ଭାଙ୍ଗିଛି । ବିଗତ ୭ବର୍ଷ ତୁଳନାରେ ଗତବର୍ଷ ଅଧିକ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଦଫାରେ ବୁକ୍ କରାଯାଇଛି । ରାଜଧାନୀରେ ପୁରୁଣା ଅପରାଧୀ ପୁଲିସ ଭୟରେ ଆତ୍ମଗୋପନ କରିଥାନ୍ତି । ବସ୍ତିର ପିଲା କିମ୍ବା ବେକାର ଯୁବକଙ୍କୁ ରୋଜଗାର ଦେବାକୁ କହି ଅପରାଧର ଗ୍ୟାଙ୍ଗ୍ ଗଠନ କରିଥାନ୍ତି । ବିଶେଷକରି ପାର୍ବଣ ଓ ନୂଆବର୍ଷରେ ଏହି ଅପରାଧୀମାନେ ସହରରେ ଆତଙ୍କରାଜ ଖେଳାଇଥାନ୍ତି । ଜେଲରୁ ଜାମିନରେ ମୁକୁଳିବା ପରେ ପୁଣି ଆତଙ୍କରାଜ ଖେଳାଇଥାନ୍ତି । ତେଣୁ ଜେଲରୁ ମୁକୁଳୁଥିବା ଅଭିଯୁକ୍ତ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆତଙ୍କ ସୃଷ୍ଟି କରୁଥିବା ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଦଫାରେ ବୁକ କରାଯାଇଛି ।  ଯଦି ରାଜଧାନୀର କୌଣସି ବ୍ୟକ୍ତିଙ୍କର ମୋବାଇଲ ଫୋନ୍ ଲୁଟ , ଚୋରି କିମ୍ବା ହଜିଯାଇଥାଏ , ହେଲ୍ପଲାଇନ ନମ୍ବର ୭୦୭୭୭୯୮୧୧୧ରେ ଯୋଗାଯୋଗ କରିବା ଲାଗି ପୁଲିସ ପକ୍ଷରୁ କୁହାଯାଇଛି।
Published by:Soumya Das
First published:
)}