News18 Odia Digital
ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭଲ ଲୋକ ତଥା ଦେଶର ଏକ ନମ୍ବର ସିଏମ୍। ସେ ୨୦୧୩ରେ ରାଉରକେଲା ଗସ୍ତ ସମୟରେ ଦେଇଥିବା ପ୍ରତିଶ୍ରୁତି ବୋଧହୁଏ ଭୁଲି ଯାଇଛନ୍ତି। ତେଣୁ ତାଙ୍କୁ ବାରମ୍ବାର ମନେ ପକାଇବା ଆମର ଦାୟିତ୍ୱ। ଏକଥା କହି ରାଉରକେଲା ସହରରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି ୨୪ ବର୍ଷୀୟ ଯୁବକ ମୁକ୍ତିକାନ୍ତ।
କାନ୍ଧରେ ରାଉରକେଲା ସହରର ସମସ୍ୟାର ମଡେଲ ବୋଝ ନେଇ ରାଉରକେଲାରୁ ନବୀନ ନିବାସ ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ। ଦିନକୁ ୧୦ରୁ ୧୨ କିଲୋମିଟର ଅତିକ୍ରମ କରୁଛନ୍ତି ମୁକ୍ତିକାନ୍ତ। ନବୀନ ନିବାସ ଅଭିମୁଖେ ଯାତ୍ରା ସମୟରେ ଢେଙ୍କାନାଳରେ ପଦଯାତ୍ରାର କାରଣ ବଖାଣିଛନ୍ତି ସେ।
ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଗୁଡିକର ଏକ ମଡେଲ ନିଜ ହାତରେ ପ୍ରସ୍ତୁତ କରିଛନ୍ତି। ସେ ଗତ ନଭେମ୍ବର ମାସ ୧୬ ତାରିଖରୁ ରାଉରକେଲା ସହରର ସେକ୍ଟର-୨ରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ମାସ ହେବାକୁ ଥିବା ଏହି ଅବିଶ୍ରାନ୍ତ ପଦଯାତ୍ରା ଚାଲିଥିବା ବେଳେ ଦିନକୁ ୧୫ କିଲୋମିଟର ଅନୁପାତରେ ପଥ ଅତିକ୍ରମ କରୁଛନ୍ତି ୨୪ ବର୍ଷୀୟ ମୁକ୍ତିକାନ୍ତ।

ଏହି ଆଶାରେ ରାଉରକେଲାରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି ୨୪ ବର୍ଷୀୟ ଯୁବକ ମୁକ୍ତିକାନ୍ତ
୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ ସମୟରେ ଚାରୋଟି ପ୍ରତିଶ୍ରୁତି ଦେଇଥିଲେ। ସେଥିରୁ ଦୁଇଟି ପ୍ରୋଜେକ୍ଟର ଶିଳାନ୍ୟାସ ହୋଇସାରିଛି। କିନ୍ତୁ କାମ ଆରମ୍ଭ ହୋଇନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ପୁଣି ଥରେ ମନେ ପକାଇଦେବା ପାଇଁ ମୁକ୍ତିକାନ୍ତ ବିଶ୍ୱାଳ ନିଆରା ଢଙ୍ଗରେ ଏହି ପଦଯାତ୍ରା କରୁଥିବା କହିଛନ୍ତି।
ରାଉରକେଲା ସହରର ମୁଖ୍ୟ ସରକାରୀ ହସ୍ପିଟାଲକୁ ୪୦୦ ଶଯ୍ୟା ବିଶିଷ୍ଟ ଏକ ମଡେଲ କ୍ୟାପିଟାଲ ହସ୍ପିଟାଲ ରୂପାନ୍ତରିତ କରିବା ସହ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ନବୀନ ପଟ୍ଟନାୟକ। ଏହା ସହିତ କୋଏଲ ନଦୀରେ ଷ୍ଟୋରେଜ ନିର୍ମାଣ ଓ ନଦୀ କଡ଼ରେ ରିଙ୍ଗ ରୋଡ ଓ ନଦୀବନ୍ଧ ନିର୍ମାଣ ପାଇଁ କଥା ଦେଇଥିଲେ। ନୂଆ ଗାଁ ବିର୍ଷା ଅଞ୍ଚଳରେ ସୁନ୍ଦରଗଡ ଜିଲ୍ଲାର ଚାଷୀଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ୨୦୧୩ରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ସବୁ ପ୍ରତିଶ୍ରୁତି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ।
ଗତ ୨୦୧୮ରେ ମୁକ୍ତିକାନ୍ତ ରାଉରକେଲା ସହରରୁ ପ୍ରଥମ କରି ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସେ ଦେଇଥିବା ପ୍ରତିଶ୍ରୁତି ବିଷୟରେ ଆଲୋଚନା କରିଥିଲେ। ଆମ ସରକାର ଲୋକଙ୍କ ସହିତ ଅଛି ରାଉରକେଲା ପାଇଁ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁକ୍ତିକାନ୍ତଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମ ପଦଯାତ୍ରା କରି ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିବା ସମୟରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର କାମ ଆରମ୍ଭ କରିବା ନେଇ ମୁକ୍ତିକାନ୍ତଙ୍କୁ କଥା ଦେଇଥିଲେ। ବୋଧ ହୁଏ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ତେଣୁ ତାଙ୍କୁ ମନେ ପକାଇବା ଆମର ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଅତି ଭଲ ଲୋକ। ଦେଶର ଏକ ନମ୍ବର ସିଏମ ମଧ୍ୟ। ତେଣୁ ଏଥର ତାଙ୍କୁ ଦେଖା କରିବା ପରେ ଏହି ସମସ୍ତ ବକେୟା କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶାବାଦୀ ଅଛନ୍ତି ମୁକ୍ତିକାନ୍ତ।
ସୁନ୍ଦରଗଡ ଜିଲ୍ଲାର ସମୁହ ଚାଷୀଙ୍କ ପାଇଁ ଓ ରାଉରକେଲା ସହରବାସୀଙ୍କ ପାଇଁ ମୁକ୍ତିକାନ୍ତଙ୍କ ନିଆରା ଢ଼ଙ୍ଗରେ ଏହି ପଦଯାତ୍ରାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ପାଳନ କରିବେ ଓ ମୁକ୍ତିକାନ୍ତଙ୍କ ପରିଶ୍ରମ ସଫଳ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ରତନ ନାୟର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।