୬୨ ହଜାରରୁ ବଛା ହେଲେ ୨୦ ଯୁବ ବିଜ୍ଞାନୀ, ଇସ୍ରୋ ଯିବେ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଁ

ଟାଟା ଷ୍ଟିଲ୍ ପକ୍ଷରୁ ୧୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ବେଷଣ କାର୍ଯ୍ୟକ୍ରମରେ ଲୁକ୍କାୟିତ ପ୍ରତିଭାକୁ ମିଳିଆସୁଛି ଆଗକୁ ବଢ଼ିବାର ସୁଯୋଗ ।

ଚୟନିତ ୨୦ ଜଣ ଛାତ୍ରଛାତ୍ରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ।

ଚୟନିତ ୨୦ ଜଣ ଛାତ୍ରଛାତ୍ରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ।

  • Share this:
ଭୁବନେଶ୍ବର: ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ବେଷଣ କାର୍ଯ୍ୟକ୍ରମରେ ସମ୍ମିଳିତ ରାଜ୍ୟର ମୋଟ୍‌ ୬୨ ହଜାର ଛାତ୍ରଛାତ୍ରୀଙ୍କ ଭିତରୁ ଚୂଡାନ୍ତ ଚ଼ୟନିତ ହୋଇଥିବା ଶ୍ରେଷ୍ଠ ୨୦ ଜଣଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଶ୍ରେଷ୍ଠ ୨୦ ଛାତ୍ରଛାତ୍ରୀ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଁ ଯିବେ ଇସ୍ରୋ । ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ବେଷଣ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍କୁଲରେ ଆୟୋଜିତ ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ । ଏହା ଟାଟା ଷ୍ଟିଲ୍‌ ପକ୍ଷରୁ କରାଯାଉଛି।

ରାଜ୍ୟର ୩୦ଟି ଜିଲ୍ଲାର ୩୦୦ ସ୍କୁଲର ୬୨ ହଜାର ପିଲାଙ୍କୁ ନେଇ ହୋଇଥିଲା ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ । ସେମାନଙ୍କ ଭିତରୁ ଚୂଡାନ୍ତ ପର୍ଯ୍ୟାୟକୁ ଆସିଥିଲେ ୬୦ ଓ ସେମାନଙ୍କ ଭିତରୁ ୨୦ ଶ୍ରେଷ୍ଠ ପିଲାଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଶୁକ୍ରବାର ଟାଟା ଷ୍ଟିଲ୍‌ ପକ୍ଷରୁ ଭୁବନେଶ୍ବରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ବେଷଣ ପୁରସ୍କାର କାର୍ଯ୍ୟକ୍ରମରେ ଯୁବ ପ୍ରତିଭାଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରରେ ଟାଟା ଷ୍ଟିଲ୍‌ର ସିଇଓ ଟି ଭି ନରେନ୍ଦ୍ରନ୍‌ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହିତ ଏହି  ୧୩ତମ ପ୍ରତିଭା ଅନ୍ବେଷଣ ସଂସ୍କରଣରେ ଲୁକ୍କାୟିତ ପ୍ରତିଭା ଚୟନ କରାଯାଇପାରୁଛି ବୋଲି ମତ ବ୍ୟକ୍ତ  କରିଥିଲେ ।  ଯୁବ ପ୍ରତିଭାଙ୍କୁ ସମ୍ମାନିତ କରି ମୁଖ୍ୟମନ୍ତ୍ରୀ କହିଥିଲେ: ‘‘ମୁଁ ଏହି ପ୍ରତିଭାମାନଙ୍କୁ ସମ୍ମାନିତ କରି ଗର୍ବିତ । ଏହି କାର୍ଯ୍ୟକ୍ରମ ପ୍ରତିଭାଙ୍କୁ ଆଗକୁ ଯିବାକୁ ଏକ ପ୍ଲାଟଫର୍ମ ହୋଇପାରିଛି ।’’

କାର୍ଯ୍ୟକ୍ରମରେ ପୁରସ୍କୃତ ଶ୍ରେଷ୍ଠ ୨୦ ଛାତ୍ରଛାତ୍ରୀ ୨୦୨୦ ମେ ମାସରେ ଭାରତୀୟ ମହାକାାଶ ଗବେଷଣା ସଂସ୍ଥାକୁ ପରିଦର୍ଶନରେ ଯିବେ । ସେଠାରେ ସେମାନେ ପାଇବେ ସ୍ବତନ୍ତ୍ର ପ୍ରଶିକ୍ଷଣ । ନିଜ ପ୍ରତିଭାର ବିକାଶ ପାଇଁ ସେମାନଙ୍କୁ ମିଳିବ ସୁଯୋଗ ।

‘‘ଏହା ମୋ ପାଇଁ ଏକ ଅପୂର୍ବ ସୁଯୋଗ । ମୁଁ ଖୁସି ଯେ ମୋତେ ଏହି କାର୍ଯ୍ୟକ୍ରମରେ ସଫଳତା ମିଳିଛି,’’ କହିଛନ୍ତି ପୁରସ୍କୃତ କିଟ୍‌ ଛାତ୍ର ଅନୁଭବ ସାମନ୍ତରାୟ । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡ଼, ନବରଙ୍ଗପୁରର ଛାତ୍ରୀ ପ୍ରଲିପ୍ତା ଦାସ କହିଥିଲେ ଯେ ଏତେ ପିଲାଙ୍କ ଭିତରେ ଚୂଡାନ୍ତ ୨୦ ଭିତରେ ସ୍ଥାନୀତ ହୋଇଥିବାରୁ ସେ ଭାରି ଖୁସି ।

ଏହି ଅବସରରେ ରାଜ୍ୟରେ ଅଧିକ ୨୦ଟି ବିଜ୍ଞାନ ପାର୍କ ନିର୍ମାଣ ସହ ୬ଟି ନୂଆ ପ୍ଲାନେଟୋରିୟମ୍‌ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହା ସହିତ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ରାଜ୍ୟର ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବେଙ୍ଗାଲୁରୁ ପଠାଯିବାର ଯୋଜନା ଅଛି ବୋଲି ମଧ୍ୟ କହିଥିଲେ ମନ୍ତ୍ରୀ ।
First published: