ବ୍ରହ୍ମପୁରରେ ଅବ୍ୟବହୃତ ହୋଇ ପଡ଼ି ରହିଛି ଭେଣ୍ଡିଂ ଜୋନ୍; ସୃଷ୍ଟି ହେଉଛି ସମସ୍ୟା

ଭେଣ୍ଡିଂ ଜୋନକୁ ବ୍ୟବହାର ନ କରି ରାସ୍ତା ପାର୍ଶ୍ବରେ ପନିପରିବା ସହ ଅନ୍ୟ ସାମଗ୍ରୀ ବିକ୍ରିବଟା କରିବା ଦ୍ବାରା ଟ୍ରାଫିକ ସମସ୍ୟା ବଢୁଛି ।

 ଅବ୍ୟବହୃତ ହୋଇ ପଡ଼ିରହିଛି ଭେଣ୍ଡିଂ ଜୋନ୍

ଅବ୍ୟବହୃତ ହୋଇ ପଡ଼ିରହିଛି ଭେଣ୍ଡିଂ ଜୋନ୍

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି ଭେଣ୍ଡିଂ ଜୋନ୍‌ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ କରାଯାଇଥିଲା । ଏହା ସହ ବ୍ୟବସାୟୀମାନେ ଏଠାରେ ପନିପରିବା ସହ ବିଭିନ୍ନ ସାମଗ୍ରୀ ବିକ୍ରିବଟା କରିବା ନିମନ୍ତେ ସମସ୍ତ ପ୍ରକାରର ସୁବିଧା ରହିଥିବା ସର୍ତ୍ତ୍ବେ ମଧ୍ୟ ଏହା ବ୍ୟବହାର ଯୋଗ୍ୟ ହୋଇପାରିନାହିଁ । ସହରରେ ଏଭଳି ଦୁଇଟି ଭେଣ୍ଡିଂ ଜୋନ୍‌ ଦେଖିବାକୁ ମିଳିଥିବା ବେଳେ ଗୋଟିଏ ପନିପରିବାର ବଜାରରୁ କିଛି ଦୂରରେ ରହିଥିବା ଯୋଗୁଁ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁନଥିବା ବେଳେ ଅନ୍ୟ ଏକ ଭେଣ୍ଡିଂ ଜୋନ୍‌ ପନିପରିବା ବଜାରକୁ ଲାଗି ରହିଥିବା ସର୍ତ୍ତ୍ବେ ମଧ୍ୟ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁନାହାନ୍ତି ।

ଭେଣ୍ଡିଂ ଜୋନକୁ ବ୍ୟବହାର ନ କରି ରାସ୍ତା ପାର୍ଶ୍ବରେ ପନିପରିବା ସହ ଅନ୍ୟ ସାମଗ୍ରୀ ବିକ୍ରିବଟା କରିବା ଦ୍ବାରା ଟ୍ରାଫିକ ସମସ୍ୟା ବଢୁଛି । ସେପଟେ ଭେଣ୍ଡିଂ ଜୋନ୍‌କୁ ବ୍ୟବହାର ଯୋଗ୍ୟ କରିବା ନିମନ୍ତେ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବି.ଏମ.ସି. କମିଶନର ।

ବ୍ୟବହାର ନ ହୋଇ କ୍ଷତ ଖାଉଛି ଭେଣ୍ଡିଂ ଜୋନ୍‌ । ଭେଣ୍ଡିଂ ଜୋନ ଥାଇ ମଧ୍ୟ ରାସ୍ତା ପାର୍ଶ୍ବରେ ବ୍ୟବସାୟୀମାନେ ବସି ପନିପରିବାର ସହ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରୁଛନ୍ତି । ଆମେ କହୁଛୁ ବ୍ରହ୍ମପୁର ସହରର ଗୋକର୍ଣ୍ଣେଶ୍ବର ମନ୍ଦିର ପାର୍ଶ୍ବରେ ରହିଥିବା ଭେଣ୍ଡିଂ ଜୋନ୍‌ ବିଷୟରେ । ୨୦୧୯ ଅଗଷ୍ଟ ମାସ ୩୧ ତାରିଖରେ ଏଠାରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । ବ୍ୟବସାୟୀମାନେ ପୂର୍ବରୁ ରାସ୍ତା ପାର୍ଶ୍ବରେ ବସି ବିକ୍ରିବଟା କରୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ଭେଣ୍ଡିଂ ଜୋନ୍‌ କରାଯାଇଥିବା ବେଳେ କାର୍ଯ୍ୟକ୍ଷମ ହେବାର କିଛି ଦିନ ପରେ ଭେଣ୍ଡିଂ ଜୋନ୍‌ଟି ବ୍ୟବହାର ଉପଯୋଗୀ ହୋଇପାରିନାହିଁ । ପୁଣି ପୂର୍ବ ସ୍ଥିତି ଭଳି ଭେଣ୍ଡିଂ ଜୋନକୁ ଛାଡ଼ି ବର୍ତ୍ତମାନ ବ୍ୟବସାୟୀ ମାନେ ରାସ୍ତା ପାର୍ଶ୍ବରେ ବସି ବିଭିନ୍ନ ସାମଗ୍ରୀ ବିକ୍ରିବଟା କରୁଛନ୍ତି।

ବ୍ରହ୍ମପୁର ବାସିନ୍ଦା ଭୋକାଲି ସେଠୀ କହିଛନ୍ତି, ‘‘ଏହି ଭେଣ୍ଡିଂ ଜୋନ୍‌ରେ ବ୍ୟବସାୟୀମାନଙ୍କ ନିମନ୍ତେ କିଭଳି ସୁରକ୍ଷିତ ଭାବେ ବିକ୍ରିବଟା କରିବେ, ସେମାନଙ୍କ ଲାଇଟ୍‌ ବ୍ୟବସ୍ଥା, ପନିପରିବା ରଖିବା ପାଇଁ ସ୍ଥାନ ଭଳି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏବେ ପାର୍କିଂ ସ୍ଥଳ ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଜାରକୁ ଆସୁଥିବା ଲୋକେ ଓ ବ୍ୟବସାୟୀମାନେ ଏହି ଭେଣ୍ଡିଂ ଜୋନ୍‌ରେ ନିଜର ଯାନବାହନ ରଖୁଥିବା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କାରେ ଏଭଳି ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିବା ବେଳେ ଏହା ବ୍ୟବହାର ଉପଯୋଗୀ ନ ହୋଇ ପଡ଼ିବା ଏକ ପରିତାପର ବିଷୟ । ତେଣୁ ତୁରନ୍ତ ଏହି ଭେଣ୍ଡିଂ ଜୋନକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରାଯାଉଛି ।’’

ଭେଣ୍ଡିଂ ଜୋନକୁ ବ୍ୟବହାର ନ କରି ରାସ୍ତା ପାର୍ଶ୍ବରେ ପନିପରିବା ସହ ଅନ୍ୟ ସାମଗ୍ରୀ ବିକ୍ରିବଟା ଚାଲିଛି


କେବଳ ଏହି ଭେଣ୍ଡିଂ ଜୋନ୍‌ ନୁହେଁ ବରଂ ବିଜୁ ପଟ୍ଟନାୟକ ପାର୍କ ପାର୍ଶ୍ବରେ ରହିଥିବା ଭେଣ୍ଡିଂ ଜୋନ୍‌ ମଧ୍ୟ ସେଭଳି ବ୍ୟବହାର ଉପଯୋଗୀ ନ ହୋଇ ପଡ଼ିରହିଛି । ଏହି ଭେଣ୍ଡିଂ ଜୋନରେ ମଧ୍ୟ ବ୍ୟବାସାୟୀ ମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସୁବିଧା ବ୍ୟବସାୟୀମାନଙ୍କୁ ଯୋଗାଇ ଦିଆଯାଇଛି । କିନ୍ତୁ ଭେଣ୍ଡିଂ ଜୋନ୍‌ ଠାରୁ ପନିପରିବା ବଜାର ସାମାନ୍ୟ ଦୂର ହୋଇଥିବା ବେଳେ ଭେଣ୍ଡିଂ ଜୋନଟି ଭିତରକୁ ରହିଯାଉଥିବା ଯୋଗୁଁ ବ୍ୟବସାୟୀ ମାନେ ଏଠାରେ ବ୍ୟବସାୟ କରିବାକୁ ନା ପସନ୍ଦ କରିଛନ୍ତି । ତେଣୁ ଯେଉଁ ଉଦେଶ୍ୟ ନେଇ ଭେଣ୍ଡିଂ ଜୋନ କରାଯାଉଛି ତାହା ପୂରଣ ହୋଇପାରିଲା ନାହିଁ । ଯେଉଁମାନେ ଏହି ଭେଣ୍ଡିଂ ଜୋନକୁ ବ୍ୟବହାର ନ କରି ରାସ୍ତା ପାର୍ଶ୍ବରେ ବ୍ୟବସାୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ବି.ଏମ.ସି. କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି ବୋଲି କହିଛନ୍ତ ବ୍ରହ୍ମପୁର ବାସିନ୍ଦା ପ୍ରଦୀପ ପଣ୍ଡା ।

ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ‘‘ଗୋକଣ୍ଣେଶ୍ବର ଭେଣ୍ଡିଂ ଜୋନ ମଧ୍ୟରେ ରହି ପନିପରିବା ସହ ଅନ୍ୟ ସାମଗ୍ରୀ ବିକ୍ରିବଟା କରିବା ନିମନ୍ତେ ବାରମ୍ବାର ବ୍ୟବସାୟୀଙ୍କୁ କହିବା ସର୍ତ୍ତ୍ବେ ମଧ୍ୟ ବ୍ୟବସାୟୀ ମାନେ ରାସ୍ତା ପାର୍ଶ୍ବରେ ବିକ୍ରିବଟା କରୁଛନ୍ତି । ତେଣୁ ତାଙ୍କୁ ପୁଣି ଥରେ ଏହି ଭେଣ୍ଡିଂ ଜୋନ ମଧ୍ୟରେ ରହି ବିକ୍ରି କରିବା ନିମନ୍ତେ କୁହାଯିବ। ସେହିପରି ବିଜୁପଟ୍ଟନାୟକ ପାର୍କ ପାର୍ଶ୍ବରେ ରହିଥିବା ଭେଣ୍ଡିଂ ଜୋନକୁ ମଧ୍ୟ କିଭଳି ଖୁବ୍ ଶୀଘ୍ର ବ୍ୟବସାୟୀ ମାନେ ବ୍ୟବହାର କରିପାରିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।’’

ଲକ୍ଷ ଲକ୍ଷ ଟଙ୍କା ବ୍ୟାୟରେ ଭେଣ୍ଡିଂ ନିର୍ମାଣ କରାଯାଇଥିବା ବେଳେ ତାହା ବର୍ତ୍ତମାନ ବ୍ୟବହାର ଯୋଗ୍ୟ ନ ହୋଇ ପଡ଼ିରହିଥିବା ବେଳେ କିଭଳି ଭାବେ ଏହାକୁ ବ୍ୟବସାୟୀମାନେ ବ୍ୟବହାର କରିବା ସହ ଏହାର ଫାଇଦା ପାଇପାରିବେ ସେ ନେଇ ବି.ଏମ.ସି. ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡ଼ିଛି ।
Published by:Lipina Das
First published:
)}