News18 Odia Digital
ପୁରୀ: ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟାଇ ହଟହଟା ହୋଇଛନ୍ତି ଦୁଇ ଜଣ ବ୍ରାହ୍ମଣ । ନିଜକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଦର୍ଶାଇ ଜଜମାନଙ୍କର ଗ୍ରହ ଶାନ୍ତି ପୂଜା ମା’ ବିମଳାଙ୍କ ମନ୍ଦିରରେ କରୁଥିବା ବେଳେ ପୂଜାକୁ ଭିଡିଓ କଲ୍ ମାଧ୍ୟମରେ ନିଜ ଜଜମାନଙ୍କୁ ଦେଖାଉଥିଲେ ସେମାନେ । ମାମଲା ଥାନାରୁ ଯାଇ ମନ୍ଦିରରେ ପହଞ୍ଚିଥିଲା ।
ଶ୍ରୀରାମ ନବମୀରେ ଭଲ ତିଥି ଥିବାରୁ ସେହି ଦିନ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପାଖରେ ଗ୍ରହ ଶାନ୍ତି ପୂଜା କଲେ ପୁଣ୍ୟ ଫଳ ମିଳେ ବୋଲି ନିଜ ଜଜମାନଙ୍କୁ ବୁଝାଇ ଏହି ଦୁଇ ଜଣ ବ୍ରାହ୍ମଣ – କପିଳେଶ୍ୱରପୁର ଶାସନର ୩୫ ବର୍ଷୀୟ ସନ୍ତୋଷ ଦାଶ ଓ ଚନ୍ଦନପୁର ବୀରବଳଭଦ୍ରପୁରର ୩୮ ବର୍ଷୀୟ ପ୍ରଶାନ୍ତ ମହାପାତ୍ର – ସକାଳୁ ବିମଳା ମନ୍ଦିରରେ ପହଞ୍ଚିଥିଲେ । ବିମଳାଙ୍କ ମନ୍ଦିରରେ ଝୋଟି ମୁରୁଜ ପକାଇ ପୁଜାପାଠ କରିଥିଲେ । ହେଲେ ସେମାନେ ପୂଜା ପ୍ରକ୍ରିୟାକୁ ଭିଡିଓ କଲ୍ ମାଧ୍ୟମରେ ପ୍ରସାରିତ କରିବାରୁ ବିବାଦ ଉପୁଜିଥିଲା ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ‘‘ପୂଜାପାଠକୁ ଆମର ବିରୋଧ ନାହିଁ, ମାତ୍ର ସେହି ପୂଜାକୁ ମୋବାଇଲ ଫୋନରେ ଭିଡିଓ କଲ୍ କରି ଜଜମାନଙ୍କୁ ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ । ପ୍ରଥମତଃ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଇ ଯିବା ନିଷିଦ୍ଧ । ସେମାନଙ୍କ ଭିଡିଓ କଲକୁ ନେଇ ମୁଁ ଅସନ୍ତୋଷ ବ୍ୟକ୍ତ କରିଥିଲି । ଦୁଇ ବ୍ରାହ୍ମଣଙ୍କ ପରିଚୟ ଜାଣିବାକୁ ଚେଷ୍ଟା କଲାରୁ ସେମାନେ ନିଜକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ବୋଲି ପରିଚୟ ଦେଇଥିଲେ । ମୋତେ ସେହି ଭିଡିଓ କଲରେ ଚାଲିଥିବା ପୂଜାର୍ଚ୍ଚନା ଉପରେ ସନ୍ଦେହ ହେବାରୁ ସିଂହଦ୍ୱାର ଥାନାରେ ମୁଁ ସମଗ୍ର ମାମଲା ବିଷୟରେ ଏକ ଲିଖିତ ଅଭିଯୋଗ କରିଥିଲି,’’ କହିଛନ୍ତି ଶ୍ରୀମନ୍ଦିରରେ ଥିବା ମା’ ବିମଳାଙ୍କ ମନ୍ଦିର ପୂଜକ ୫୨ ବର୍ଷୀୟ ସଦାଶିବ ପଣ୍ଡା ।

ଶ୍ରୀମନ୍ଦିରରେ ଥିବା ମା’ ବିମଳାଙ୍କ ବିଗ୍ରହ
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁସେହି ଏତାଲା ଅନୁସାରେ ଶ୍ରୀମନ୍ଦିର ବିମଳା ମନ୍ଦିରରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ବ୍ରାହ୍ମଣ ବୋଲି ନିଜ ପରିଚୟ ଦେଇ ଚଣ୍ଡୀପାଠ ସହ ଭିଡିଓ କଲ୍ କରିଥିବା ଅଭିଯୋଗରେ ଦୁଇ ବ୍ରାହ୍ମଣଙ୍କ ନାମରେ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲାଟି (କେସ୍ ନମ୍ବର୍ ୪୨/୨୧) ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟର ଦଫା ୨୯୫/୩୪ ଓ ୩୦(କ)(୪)(ଗ) ଅନୁସାରେ ରୁଜୁ ହୋଇଥିଲା । ଅଭିଯୁକ୍ତ ଦୁଇ ବ୍ରାହ୍ମଣଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ନୋଟିସ ଇସ୍ୟୁ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?‘‘ଶ୍ରୀମନ୍ଦିର ଭିତରର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବା ଓ ଭାଇରାଲ କରିବା ବେଆଇନ । ତା’ ସତ୍ତ୍ୱେ ସଂପୃକ୍ତ ଦୁଇ ଜଣ ବ୍ରାହ୍ମଣ ଜଣେ ଜଜମାନଙ୍କୁ ତାଙ୍କ ନାମରେ ବିମଳା ପୀଠରେ ଚଣ୍ଡିପାଠ କରିବା ସହ ଭିଡିଓ କଲ୍ କରି ଲାଇଭ୍ ଦେଖାଇଥିଲେ। ଏହା ଧାର୍ମିକ ଭାବନା ଉପରେ ଶକ୍ତ ଆଘାତ ଲଗାଇବା ସହ ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟର ଖୋଲାଖୋଲି ଉଲ୍ନଙ୍ଘନ ଥିଲା । ଥାନାରେ ଦୁଇ ଅଭିଯୁକ୍ତ ଆଉ ସେଭଳି ଭୁଲ୍ କରିବେନି ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା,’’ କହିଛନ୍ତି ସିଂହଦ୍ଵାର ଥାନା ଚାର୍ଜରେ ଥିବା ଅଧିକାରୀ ଗୋକୁଳ ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲାହାଇ କୋର୍ଟର ବରିଷ୍ଠ ଆଇନଜୀବୀ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପସଭାପତି ୭୦ ବର୍ଷୀୟ ଉମାବଲ୍ଲଭ ମହାପାତ୍ର କହିଛନ୍ତି ଯେ ଏହି ଦୁଇ ବ୍ରାହ୍ମଣ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ନୁହଁନ୍ତି । ‘‘ମୁକ୍ତିମଣ୍ଡପର ନିୟମ ଅନୁସାରେ ଗ୍ରାମର ହକରା ଅନୁସାରେ ମଳିଥାଏ ସଦସ୍ୟତା । ତେଣୁ କପିଳେଶ୍ୱରପୁର ଶାସନର ସନ୍ତୋଷ ଦାଶଙ୍କ ବାପାଙ୍କର ରହିଛି ସଦସ୍ୟତା । ତେଣୁ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଗ୍ରାମ ପକ୍ଷରୁ ଯାହାକୁ ହକରା କରିବେ ସେ ପାଇବ ସଦସ୍ୟତା । ଏମାନେ ମୁକ୍ତିମଣ୍ଡପ ନାଁରେ ବଡ଼ ଭୁଲ କାର୍ଯ୍ୟ କରିଛନ୍ତି । ଏହାର ତଦନ୍ତ କରାଯିବ । କୋଭିଡ ପରେ ସ୍ଥିତି ସୁଧୁରିଲେ ସେମାନଙ୍କୁ ନୋଟିସ କରି ଡକାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଉମାବଲ୍ଲଭ ମହାପାତ୍ର ।
ଗତ କିଛି ମାସ ମଧ୍ୟରେ ଶ୍ରୀମନ୍ଦିର ଭିତରୁ ଅନେକ ଫଟୋ ଭାଇରାଲ ହୋଇଥିବାରୁ ସେ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହେଉନାହିଁ ବୋଲି କହିଛନ୍ତି ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।