News18 Odia Digital
ପୁରୀ: ଶ୍ରୀମନ୍ଦିର ରତ୍ନବେଦୀ ପଛପାର୍ଶ୍ବରୁ ଚୁନ ଖସିବାର କେଇ ଦିନ ଯାଇଛି କି ନାହିଁ ପୁଣିଥରେ ଶ୍ରୀମନ୍ଦିରରୁ ପଥର ଖସିଛି। ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ମାଜଣା ମଣ୍ଡପ ସମ୍ମୁଖ ନାଟମଣ୍ଡପ ଉପରୁ ଦୁଇ କେଜି ଓଜନର ପଥର ଖସିଥିବା କହିଛି ଏଏସଆଇ।
ତେବେ ମାଙ୍କଡ଼ମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ଏଭଳି ପଥର ଖସିଥିବା ଅନୁମାନ କରିଛି ଏଏସଆଇ। ପଥରଟିକୁ ଆଣି ଅନୁଧ୍ୟାନ କରାଯାଉଛି। ଆଜି ସେହି ସ୍ଥାନର ଅନୁଧ୍ୟାନ କରାଯିବ ବୋଲି ଅଧିକରିଙ୍କ ପକ୍ଷରୁ କୁହାଯାଇଛି।
ସେପଟେ ଶ୍ରୀମନ୍ଦିରରୁ ପଥର ଖସିବା ଫଳରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଏହା ବିରାଟ ପ୍ରଶ୍ନବାଚୀ ଠିଆ କରିଛି। ପ୍ରତ୍ନତତ୍ତ୍ବ ବିଭାଗର ରଣକ୍ଷାବେକ୍ଷଣରେ ଅବହେଳା ବୋଲି ସେବାୟତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଏହି ପଥରକୁ ପ୍ରତ୍ନତତ୍ତ୍ବ ବିଭାଗ ଜିମା ଦେଇଛି। ଅପରପକ୍ଷେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି, ‘‘କେଉଁସ୍ଥାନରୁ ଓ କେଉଁ କାରଣରୁ ପଥର ଖସିଛି ସଠିକ୍ ଭାବେ ଜଣାପଡ଼ିନି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହି ପଥର ଆମକୁ ହସ୍ତାନ୍ତର କରିଛି। ଯାହାର ଓଜନ ପ୍ରାୟ ୨ କେଜି ହେବ। ଖୁବ୍ ଶୀଘ୍ର ଆମେ ପଥର ଖସିଥିବା ସ୍ଥାନ ଅନୁଧ୍ୟାନ କରିବୁ। ଶ୍ରୀମନ୍ଦିର ବହୁ ପୁରୁଣା ମନ୍ଦିର ହୋଇଥିବାରୁ ଏହାର ପଥର ଦୁର୍ବଳ ହୋଇଗଲାଣି। ମାଙ୍କଡ଼ମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ଏଭଳି ପଥର ଖସିଥିବା ଅନୁମାନ କରାଯାଉଛି।’’
ଶ୍ରୀମନ୍ଦିରର ନାଟମଣ୍ଡପ, ମୁଦୁଲି ଦ୍ବାର ଓ ଅନ୍ୟାନ୍ୟ ସ୍ଥାନରେ ପାଣି ଗଳିବା ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି, ‘‘ନାଟମଣ୍ଡପ ଓ ଭୋଗମଣ୍ଡପ ସଂଯୋଗ ଜାଗାରୁ ପାଣି ଗଳିବା ଆମ ନଜରରେ ରହିଛି। ସେହିଭଳି ମୁଦୁଲି ଦ୍ବାରରେ କିଛି ଜାଗାରେ ଆଜବେଷ୍ଟସ୍ ପକାଇବା ବେଳେ ଖୋଳି ହୋଇଯାଇଛି। ଏଥିପାଇଁ ମୁଦୁଲି ଦ୍ବାରା ନିକଟରେ ପାଣି ଗଳୁଛି। ପଥର ବି ଦୁର୍ବଳ ଥିବାରୁ ପାଣି ଭେଦି ରହି ଅଧିକ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି ଗଳୁଛି।’’
ଏବେ କାର୍ତ୍ତିକ ନୀତିକାନ୍ତି ଚାଲିଥିବାରୁ ମରାମତି ସମ୍ଭବ ନଥିବାରୁ କାର୍ତ୍ତିକ ମାସ ପରେ ଏହାର ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ମରାମତି କରାଯିବ। ତଥାପି ପୂର୍ବରୁ ମନ୍ଦିରରୁ ଯେଉଁଭଳି ପାଣି ଗଳୁଥିଲା, ଏବେ ଆଉ ନାହିଁ। ଯେଉଁ ଯେଉଁ ଜାଗାରୁ ପୂର୍ବରୁ ପାଣି ଗଳୁଥିଲା, ସବୁର ମରାମତି ସରିଛି। ବାକି ଯେଉଁ ଦୁଇ ତିନି ଜାଗାରୁ ପାଣି ଗଳୁଛି, ତା'ର ଆବଶ୍ୟକ ଅନୁଧ୍ୟାନ କରି ମରାମତି କରାଯିବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।