ପୁରୀ: ନାଲି ବତୀ ଭ୍ୟାନ୍ ଧକ୍କାରେ ଦୁଇଟି ହରିଣ ଆହତ ହେଲେ; ବନ ଅଧିକାରୀଙ୍କ ନିଘା ନାହିଁ

ମେରାଇନ ଡ୍ରାଇଭ୍ ରୋଡ଼ରେ ବାଲୁଖଣ୍ଡ ଅଭୟାରଣ୍ୟ ଥିବା ଯୋଗୁଁ କମ୍ ବେଗରେ ଗାଡି଼ ଚଳାଇବାକୁ ଲୋକଙ୍କ ପାଇଁ ସୂଚନା ରହିଥିଲେ ବି ଏହା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ସଡ଼କ ଦୁର୍ଘଟଣାରେ ଅନେକ ଜନ୍ତୁ ମୃତ୍ୟୁ ବରଣ କରୁଛନ୍ତି ।

ପୁରୀ: ନାଲି ବତୀ ଭ୍ୟାନ୍ ଧକ୍କାରେ ଦୁଇଟି ହରିଣ ଆହତ ହେଲେ; ବନ ଅଧିକାରୀଙ୍କ ନିଘା ନାହିଁ
ଏକ ଆହତ ହରିଣ; (ଡାହାଣ) ବାଲୁଖଣ୍ଡ ଅଭୟାରଣ୍ୟର ଏକ ଦୃଶ୍ୟ
  • News18 Odia
  • Last Updated: February 1, 2021, 8:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଦିଗରେ ବନ ବିଭାଗର ଅବହେଳା ଦେଖିବାକୁ ମିଳିଛି । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ରେ ନାଲି ବତୀ ଭ୍ୟାନ୍‌ ଧକ୍କାରେ ଆହତ ଦୁଇଟି ହରିଣ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଫୋନ କଲେ ବି ବିଳମ୍ବିତ ରାତ୍ର କହି ଏ.ସି.ଏଫ୍‌.ଙ୍କ ଠାରୁ ଆରମ୍ଭ କରି ରେଞ୍ଜର୍‌ ପର୍ଯ୍ୟନ୍ତ କୌଣସି ଅଧିକାରୀ ଆସି ନ ଥିଲେ । ଆହତ ଗୋଟିଏ ହରିଣ ମରିଯାଇଥିବା ବେଳେ ଅନ୍ୟଟିକୁ ଦୁର୍ବୃତ୍ତମାନେ ନେଇ ପଳାଇଯାଇଥିଲେ ।

ଶୁକ୍ରବାର ରାତି ୧୧ଟାରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ରୋଡ଼ର ନାଗପାଟଣା ଛକରେ ବାଲୁଖଣ୍ଡ ଅଭୟାରଣ୍ୟ ପଟୁ ଦୁଇଟି ଛୁଆ ହରିଣ ରାସ୍ତା ପାର ହେଉଥିବା ବେଳେ ଏକ ନାଲିବତୀ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଆହତ ହରିଣ ଦୁଇଟି ଛଟପଟ ହେଉଥିବା ବେଳେ ଭ୍ୟାନଟି ଫେରାର ହୋଇଯାଇଥିଲା । ନାଗପାଟଣା ଗ୍ରାମର କିଛି ଲୋକ ଦୁଇଟି ହରିଣଙ୍କୁ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ ।

ଏହା ବି ପଢ଼ନ୍ତୁ | FM Exclusive Interview: ସାଧାରଣ ଜନତାଙ୍କ ଉପରେ Budget 2021 କିଛି ପ୍ରଭାବ ପକାଇବ ନାହିଁ

ଦୁର୍ଘଟଣାରେ ଆହତ ଦୁଇଟି ହରିଣଙ୍କୁ ଠିକଣା ସମୟରେ ଉଦ୍ଧାର କରା ନ ଯିବାରୁ ଗୋଟିଏ ଗାଏବ ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଯୋଗୁଁ ହିଁ ଅନ୍ୟ ହରିଣଟି ଉଦ୍ଧାର ହୋଇପାରିଥିଲା ବୋଲି ସେମାନେ କହିଛନ୍ତି ।

ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ଏକ ସୂଚନା ଫଳକ


‘‘ଆମେ ଅନେକ ବନ ଅଧିକାରୀଙ୍କୁ ଫୋନ୍‌ କରିଥିଲୁ, ହେଲେ କୌଣସି ଅଧିକାରୀ ବା କର୍ମଚାରୀ ଫୋନ୍‌ ରିସିଭ୍ କରି ନ ଥିଲେ । ତେଣୁ ବାଧ୍ୟ ହୋଇ ଆମେ ହୋଟେଲ  ତୋଷାଳୀ ନିକଟରେ ଥିବା ବନ ବିଭାଗର ସୌକତ ନିବାସ କାର୍ଯ୍ୟାଳୟକୁ ଖବର ଦେଇଥିଲୁ । ହେଲେ ସେଠାରେ ବନ କର୍ମଚାରୀ କହିଲେ ‘ତୁମେ ଯାଅ, ଆଗେ ସକାଳ ହେଉ ଦେଖିବା’ । ସେଠାରୁ ଏ ଭଳି ଉତ୍ତର ପାଇ ବନ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କଲେ ବି ତାହା ବି ବିଫଳ ହୋଇଥିଲା,’’ କହିଛନ୍ତି ନାଗପାଟଣା ଗ୍ରାମର ବ୍ୟବସାୟୀ ୪୫ ବର୍ଷୀୟ ଅଜୟ ସ୍ୱାଇଁ ।

ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ଏ ସବୁ ଭିତରେ ଆହତ ଗୋଟିଏ ହରିଣ ନିସ୍ତେଜ ହୋଇଯାଇଥିଲା । ସେହି ହରିଣଟିକୁ ପଡ଼ୋଶୀ ଗ୍ରାମର କିଛି ଦୁର୍ବୃତ୍ତ ବାଇକ୍‌ ଯୋଗେ ନେଇ ପଳାଇଥିଲେ । ‘‘ଅନ୍ୟ ହରିଣଟିର ଚିକିତ୍ସା ଆବଶ୍ୟକ ଥିବାରୁ ରାତ୍ତି ୧ଟା ୨୦ରେ ଏ.ସି.ଏଫ୍‌. ଶ୍ରୀକାନ୍ତ କୁମାର ବେହେରାଙ୍କୁ କଲ୍‌ କରାଯାଇଥିଲା । ସେ ରିସିଭ ନ କରିବାରୁ କୋଣାର୍କ ରେଞ୍ଜ୍‌ ଅଫିସର ବେଣୁଧର ବେହେରାଙ୍କୁ ରାତ୍ତି ୧ଟା ୩୪ରେ ଯୋଗାଯୋଗ କରାଯାଇଥିଲା । ସେ ଖବର ପାଇଥିଲେ ବି ପହଞ୍ଚି ନ ଥିଲେ । ଓଲଟା କହିଥିଲେ ବନ କର୍ମଚାରୀମାନେ କଲ୍‌ ରିସିଭ କରୁ ନ ଥିବାରୁ ଆମେ ଉପାୟଶୁନ୍ୟ,’’ କହିଛନ୍ତି ବାଲିଗୁଆଳି ଗ୍ରାମର ସମାଜସେବୀ ଅକ୍ଷୟ ପ୍ରଧାନ ।

ବନ କର୍ମଚାରଙ୍କ ଅନାଗ୍ରହ ଦେଖି ଅନ୍ୟ ହରିଣଟିକୁ ନିକଟସ୍ଥ ଏକ କୁଡି଼ଆ ଘରେ ଲୋକେ ବାନ୍ଧି ଦେଇଥିଲେ । ସକାଳେ ବନ କର୍ମଚାରୀମାନେ ଆସି ତାକୁ ନେଇ ରେଞ୍ଜ ଅଫିସକୁ ନେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା' ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ

‘‘ମୁଁ ଦୁର୍ଘଟଣା ସ୍ଥଳକୁ ଯାଇନି । ଆମ କର୍ମଚାରୀମାନେ ହରିଣ ଛୁଆକୁ ଆଣିଛନ୍ତି । କିନ୍ତୁ କେଉଁ ସମୟରେ ବନ କର୍ମଚାରୀମାନେ ହରିଣ ଦୁଇଟିକୁ ଉଦ୍ଧାର କଲେ ଓ ଅନ୍ୟ ହରିଣଟିକୁ ଦୁର୍ବୃତ୍ତମାନେ ନେଇଗଲେ କି ଲୋକେ ସେମାନଙ୍କୁ ଖସାଇ ଦେଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି । ଏ ସବୁ ତଦନ୍ତର ବିଷୟ,’’ କହିଛନ୍ତି ବାଲୁଖଣ୍ଡ ଫରେଷ୍ଟର ବିଭୁତି ଚୌଧୁରୀ ।

ନାଗପାଟଣା ଗ୍ରାମର ବ୍ୟବସାୟୀ ୪୫ ବର୍ଷୀୟ ଅଜୟ ସ୍ୱାଇଁ କହିଛନ୍ତି, ‘‘ଆହତ ହରିଣଟିକୁ ଦୁର୍ବୃତ୍ତ ନେଇଯାଇଥିବାର ଭିଡିଓ ରେକର୍ଡି଼ଂ ସହ ସମସ୍ତ ପ୍ରମାଣ ଆମ ପାଖରେ ରହିଛି । ବନ ବିଭାଗ ତଦନ୍ତ କଲେ ଆମେ ତାହା ତାଙ୍କୁ ଦେବୁ ।’’



ମେରାଇନ ଡ୍ରାଇଭ୍‌ ରୋଡ଼ରେ ବାଲୁଖଣ୍ଡ ଅଭୟାରଣ୍ୟ ଥିବା ଯୋଗୁଁ କମ୍‌ ବେଗରେ ଗାଡି଼ ଚଳାଇବାକୁ ଲୋକଙ୍କ ପାଇଁ ସୂଚନା ରହିଥିଲେ ବି ଏହା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ନାଲିବତୀ ଗାଡି଼ ହେଉ କି ସାଧାରଣ ଗାଡି଼ ହେଉ, ସଡ଼କ ଦୁର୍ଘଟଣାରେ ଅନେକ ଜନ୍ତୁ ମୃତ୍ୟୁ ବରଣ କରୁଛନ୍ତି । ଏଥି ପ୍ରତି ବନ ବିଭାଗର ନିଘୋଡ଼ ନିଦ୍ରା ୍ଥାନୀୟ ଲୋକଙ୍କୁ ବ୍ଯଥିତ ଓ ଆକ୍ରୋଶିତ କରିଛି ।
Published by: Anand Shankar Thankur Das
First published: February 1, 2021, 8:48 PM IST