News18 Odisha Digital
ବାଲେଶ୍ୱର: ନୂଆ ବର୍ଷରେ ବାଲେଶ୍ୱରଵାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ବାଲେଶ୍ବର ଗସ୍ତ ସମୟରେ ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ୫୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ଜିଲ୍ଲାର ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ଶୋଭାରାମପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍ଘାଟିତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମା ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ ଓ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ୬୦ ହଜାର ମା ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ବ ଆରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ, ତେବେ ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବା ସହିତ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ । ମା ମାନେ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ମା ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ହେଉଛି ଏକ ଆଗୁଆ ଜିଲ୍ଲା। ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି, ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ। ଆଜିର କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ବାଲେଶ୍ବର ବିଧାୟକ ଶ୍ରୀ ସ୍ବରୂପ ଦାସ ପ୍ରମୁଖ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବାଲେଶ୍ବର ଜିଲ୍ଲାରେ ହୋଇଥିବା ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।
ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ବାରା ମା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକଗଣ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।