News 18 Odia Digital
ଭୁବନେଶ୍ୱର : ଜାଲ ନୋଟ ଜାଲରେ ଓଡ଼ିଶା । ରାଉଲକେଲା ସେକ୍ଟର-୧୭ରେ ଥିବା ଏକ କ୍ୱାଟରରୁ ୧୬ ଲକ୍ଷ ୧୧ ହଜାର ଜାଲ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ । ଜାଲ ନୋଟ ତିଆରି କରିବା ଅଭିଯୋଗରେ ଦିଲ୍ଲୀର ଶେଖ ଅହମଦ ଗିରଫ କରିଛି ଏସଟିଏଫ । ଏହା ସହିତ ଲାପଟପ , କଲର ପ୍ରିଣ୍ଟର ଏବଂ ଜାଲ ନୋଟ ଛପାଇବା ପାଇଁ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି, "ଜାଲ ନୋଟ ବେପାରୀ ମାନେ ପୂଜା ଓ ପର୍ବାଣୀ ଏବଂ ଭିଡ ସ୍ଥାନର ମୌକା ଦେଖି ଟଙ୍କା ବଣ୍ଡଲରେ ଜାଲ ନୋଟ ଭର୍ତ୍ତି କରୁଛନ୍ତି । ଏକ ଲକ୍ଷ ଟଙ୍କାର ଜାଲ ନୋଟ ଦେଲେ, ବେପାରୀକୁ ମିଳୁଛି ଅସିଲ ୨୦ ରୁ ୩୦ ହଜାର ଟଙ୍କା । ଏମାନେ ବିଶେଷ କରି ଗ୍ରାମାଞ୍ଚଳ ଲୋକଙ୍କୁ ଟାର୍ଗେଟ କରନ୍ତି। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ।"

ଗିରଫ ହୋଇଥିବା ଅଭିଯୁକ୍ତ ଶେଖ ଅହମଦ
ସୂଚନାଯୋଗ୍ୟ, ରାଜ୍ୟରେ ଜାଲ ନୋଟ ଛାପିବା ନୂଆ କଥା ନୁହେଁ । ଗତ ୧୦ ବର୍ଷରେ ୧୦ କୋଟି ୪୦ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ଜାଲ ନୋଟକୁ ନେଇ ରାଜ୍ୟରେ ହୋଇଛି ୧୮୦ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୩୨୩ ଅଭିଯୁକ୍ତ । ୧୧୦ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ନଜର ପକାନ୍ତୁ କେଉଁ ବର୍ଷ କେତେ ଜାଲ ନୋଟ ଜବତ ହୋଇଛି । ୨୦୧୬ ମସିହାରେ ୪୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଥିବା ବେଳେ ୨୦୧୭ରେ ୪୧ ଲକ୍ଷ ଜାଲ ନୋଟ ଜବତ ହୋଇଥିଲା। ସେହିଭଳି ୨୦୧୯ରେ ୨୮ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଥିବା ବେଳେ ୨୦୨୧ ମସିହାରେ ପଟ୍ଟାଙ୍ଗିରୁ ସର୍ବାଧିକ ୭ କୋଟି ୯୦ ଲକ୍ଷ ୩ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ କରିଥିଲା ଏସଟିଏଫ ।
ଏଠି ପ୍ରଶ୍ନ ଉଠୁଛି, ୧୦ ବର୍ଷରେ ୧୦ କୋଟି ଟଙ୍କାର ଜାଲ ନୋଟ ଜବତ ହୋଇଛି, ତା ହେଲେ କେତେ ଟଙ୍କାର ନୋଟ ବଜାରକୁ ଛଡା ଯାଇଛି ? ରାକେଟ ପଛରେ ଅନ୍ତରାଜ୍ୟ ବେପାରୀଙ୍କ ହାତ ଥିବା ବେଳେ ଓଡିଶାରେ କିଛି ବ୍ୟବସାୟୀଙ୍କ ହାତ ରହିଛି କି ? କେତେ ଜଣ ବେପାରୀ ଏଠି ଏଜେଣ୍ଟ ରଖି କାମ କରୁଛନ୍ତି ? ଏପିରିକି ଓଡିଶାରେ ଜାଲ ନୋଟ କାରବାର ନେଇ ଏନଆଇଏ ଓ ସିଆଇବିକୁ ଅବଗତ କରିଛି କି ନାହିଁ ଏସଟିଏଫ ତାହା ଏବେ ସନ୍ଦେହ ଘେରରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।