News 18 Odia Digital
ବୌଦ୍ଧ; ଇଷ୍ଟ ଦେବୀ ମାଆ ଭୈରବୀଙ୍କ ପୀଠରେ ମଧ୍ୟରାତ୍ର ଠାରୁ ଆରମ୍ଭ ହୋଇଛି ଗୁପ୍ତ ଷୋଳପୂଜା ବା ଖଣ୍ଡାବସା ପର୍ବ । ଏହି ପୂଜା ସାରା ଭାରତ ବର୍ଷରେ ଅଦ୍ୱିତୀୟ । ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜା ୧୬ଦିନ ଧରି ଚାଲିବ । ବିଳମ୍ବିତ ରାତ୍ରରେ ହୁଏ ମାଆଙ୍କ ଗୁପ୍ତପୂଜା ।

ବୌଦ୍ଧ ସହରରୁ ୩୦କିଲୋମିଟର ଗଲେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ପୁରୁଣାକଟକ ଠାରେ ରହିଛି ବୌଦ୍ଧ ଜିଲ୍ଲାର ଇଷ୍ଟ ଦେବୀ ମାଆ ଭୈରବୀଙ୍କ ପୀଠ । ଭୁବନ ବରଣ କରୁଥିବାରୁ ଦେବୀଙ୍କୁ ଭୈରବୀ ବୋଲି କୁହାଯାଏ । ପୁରୁଣାକଟକ ବାସିନୀ ମାଆ ଭୈରବୀ କେଉଁ ଆବାହମାନ କାଳରୁ ସେଠାରେ ପୂଜା ପାଇ ଆସୁଛନ୍ତି । ପୂର୍ବରୁ ଅର୍ଗଳିଆ ପାହାଡ଼ ଶିଖରରେ ପୂଜା ପାଇ ଆସୁଥିଲେ କିନ୍ତୁ ସେଠାକୁ ଯାତାୟାତ ଅସୁବିଧା ହେତୁ ପୁରୁଣାକଟକ ବାଉଁଶ ବଣ ଖୋଲରେ ଦେବୀଙ୍କୁ ସ୍ଥାପନ କରାଯାଇଥିଲା । ଏବେ ମାଆଙ୍କ ପୀଠରେ ରହିଛି ସୁନ୍ଦର ମନ୍ଦିର ।

ପ୍ରତିମାସରେ ଦେବୀଙ୍କ ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀଙ୍କ ପୂଜା ସ୍ୱତନ୍ତ୍ର ଓ ବିଶେଷ ନୀତିକାନ୍ତିରେ ହୋଇଥାଏ । ଏହି ଅବସରରେ ଦେବୀଙ୍କ ଗୁପ୍ତ ଷୋଳପୂଜା ବା ପାଟଖଣ୍ଡା ବସା ପର୍ବ ଅନୁଷ୍ଠିତ ହୁଏ । ରାଜାରାଜୁଡା ଅମଳରୁ ଚାଲିଆସିଥିବା ଷୋଳପୂଜା ଆଶ୍ୱିନ ମାସ ମୂଳାଷ୍ଟମୀ (କୃଷ୍ଣ ପକ୍ଷ ଅଷ୍ଟମୀ) ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ । ଆଶ୍ୱିନ ମାସ ମୂଳାଷ୍ଟମୀ ଦିନ ଶ୍ରଦ୍ଧାଳୁମାନେ ମୁଖ୍ୟପୂଜକଙ୍କ ଘରୁ ମାଙ୍କ ବିଜୟ ପ୍ରତିମା ଓ ପାଟଖଣ୍ଡାକୁ ବାଜା ବଜେଇ, ବାନା, ବଇରଖ, ଛତ୍ର ଧରି ବିରାଟ ପଟୁଆର ସହ ସନ୍ଧ୍ୟା ସମୟରେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଆଣିଥାନ୍ତି । ବିଳମ୍ବିତ ରାତ୍ରରେ ତାଳପତ୍ର ପୋଥି (ମାଦଳ ପାଞ୍ଜି ) ଅନୁସାରେ ମାଆଙ୍କ ଗୁପ୍ତପୂଜା ହୋଇଥାଏ । ଗୁପ୍ତପୂଜା ଆରମ୍ଭ ହେଲା ମାତ୍ରେ ଢୋଲ, ନିଶାନ ବାଜି ଉଠିଥାଏ , ବାଜା ବାଜିବା ମାତ୍ରେ ଅଞ୍ଚଳର ପୁତ୍ରବତୀ ମହିଳାମାନେ ପୁଅ ଜୁଉନ୍ତିଆ ପର୍ବ କରିଥାନ୍ତି । ଷୋଳପୂଜା ସମୟରେ ମାଙ୍କ ଠାରେ ୧୬ଟି ଗ୍ରାମର ଲୋକମାନେ ୧୬ ଦିନ ପଯ୍ୟନ୍ତ ମାଆଙ୍କ ପାଇଁ ଭୋଗ ଅର୍ପଣ କରିଥାନ୍ତି ।

ଷୋଳପୂଜା ସମୟରେ ମାଆଙ୍କୁ ମନ୍ଦିରରେ ଦର୍ଶନ କରିବା ଭକ୍ତମାନଙ୍କ ପାଇଁ ମନାଥାଏ । ହେଲେ ଶ୍ରଦ୍ଧାଳୁମାନେ ମନସ୍କାମନା ପୂରଣ ପାଇଁ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ସାହାଡ଼ା ଗଛ ତଳେ ପୂଜାର୍ଚ୍ଚନା କରିଥାନ୍ତି । ଷୋଳପୂଜାର ଷୋଳଦିନ ଧରି ସ୍ୱତନ୍ତ୍ର ଭାବେ ଗୁପ୍ତ ପୂଜା ହୋଇଥାଏ ବୋଲି ମୁଖ୍ୟ ପୂଜକ କହିଛନ୍ତି । ସବୁ ସମୟରେ ମାଆଙ୍କ ଦେହୁରୀ(ପୂଜକ ) ମାଆଙ୍କ ପୂଜା କରୁଥିବା ବେଳେ ଷୋଳପୂଜା ସମୟରେ ବ୍ରାହ୍ମଣ ପୂଜକ ମଧ୍ୟ ମାଆଙ୍କ ସେବାପୂଜା କରିବାର ସାନିଧ୍ୟ ଲାଭ କରିଥାନ୍ତି । ଷୋଳପୂଜା ସମୟରେ ପ୍ରତିଦିନ ରାତ୍ର ୧୦ଟା ସମୟରୁ ରାତ୍ର (ପ୍ରାତଃକାଳ) ୩ଟା ପଯ୍ୟନ୍ତ ନିଶା ରାତ୍ରରେ ଘଣ୍ଟ, ଶଙ୍ଖ, ଢୋଲ, ନିଶାନ ବଜାଇ ପୂଜା ହୋଇଥାଏ । ପୂଜକଙ୍କ କହିବା ଅନୁସାରେ ମାଆଙ୍କ ବାହାନ ମହାବଳ ବାଘ ପ୍ରତ୍ୟହ ପୂଜା ସମୟରେ ନିଶା ରାତ୍ରିରେ ଆସି ଖଇ ଓ ଉଖିଡା (ଲିଆ) ଭୋଗ ଖାଇ ଯାଇଥାଏ । ବିଶେଷ କରି ଏହି ଦିନ ମାନଙ୍କରେ ବିଳମ୍ବିତ ରାତ୍ର ପଯ୍ୟନ୍ତ ଅଞ୍ଚଳରେ ଅଞ୍ଚଳବାସୀଙ୍କ ଚଳପ୍ରଚଳ ମଧ୍ୟ କମି ଯାଇଥାଏ । କାରଣ ଏହି ସମୟରେ ମାଆ ଭୈରବୀ କଳା ଧଳା ଘୋଡା ଚଢି ଅଞ୍ଚଳରେ ଭ୍ରମଣ କରିବା ସହ ମାଆଙ୍କ ବାହାନ ମହାବଳ ବାଘ ମଧ୍ୟ ପରିଭ୍ରମଣ କରିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ମହାଷ୍ଟମୀ ଦିନ ମାଆଙ୍କ ପୂଜା ଆରମ୍ଭ ମାତ୍ରେ ଅଞ୍ଚଳର ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରି ଭାଇ ଜିଉନ୍ତିଆ କରିଥାନ୍ତି । ମହାନବମୀ ଦିନ ମାଆଙ୍କ ଠାରେ ନବାନ୍ନ ଲାଗିଥାଏ । ସେଦିନ ମାଆଙ୍କ ଠାରେ ନୂଆ ଚାଉଳରେ ପ୍ରସ୍ତୁତ ଖିରି ଓ କାକରା ଭୋଗ ଲାଗିବା ପରେ ଅଞ୍ଚଳବାସୀ ନୂଆ ଖାଇଥାନ୍ତି । ଷୋଳପୂଜା ଶେଷ ପରେ ମାଆ ଗ୍ରାମ ପରିକ୍ରମା କରିବା ସହ ଗ୍ରାମବାସୀଙ୍କ ପ୍ରତ୍ୟେକ ଘର ସମ୍ମୁଖରେ ଭୋଗ ଗ୍ରହଣ କରିବା ପରେ ପୂଜକଙ୍କ ଘରକୁ ଯାଇଥାନ୍ତି । ଆଶ୍ୱିନ ମାସ ପୂର୍ଣ୍ଣିମାରେ ମାଆଙ୍କ ପତ୍ର ଭଷାଣି ଉତ୍ସଵ ହୋଇଥାଏ ।
ଗୁପ୍ତପୂଜା ସମୟରେ ପୂଜକ ଉପବାସ କରି ନାରୀ ଠାରୁ ଦୂରରେ ରହିଥାନ୍ତି । ଏଥିସହ ନିଷ୍ଠା ଓ ଭକ୍ତିରେ ମାଆଙ୍କ ସମସ୍ତ ନୀତିକାନ୍ତି କରିଥାନ୍ତି । ଷୋଳପୂଜା ଭଳି ବର୍ଷର ବିଭିନ୍ନ ସମୟରେ ମାଆଙ୍କ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ପୂଜା ହୋଇଥାଏ । ଦୀପାବଳି ଅମାବାସ୍ୟା ଦିନ ମାଆଙ୍କ ଶ୍ୟାମାକାଳୀ ପୂଜା, ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମାଆଙ୍କ ଉଗ୍ରତାର ପୂଜା , ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ଠାରୁ ଦଶମୀ ପଯ୍ୟନ୍ତ ବାସନ୍ତିକା ଦୁର୍ଗାପୂଜା ବା ଦକ୍ଷିଣକାଳି ପୂଜା , ଭାଦ୍ରବ ମାସ ଅମାବାସ୍ୟା, ସପ୍ତପୁରୀ ଅମାବାସ୍ୟା , ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ସ୍ୱନକ୍ଷେତ୍ର ପୂଜା, ଭାଦ୍ରବ ମାସ ଚତୁର୍ଦ୍ଦଶୀରେ ମହାସ୍ନାନ ପୂଜା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ଦୁର୍ଗା ସୟନି ପୂଜା ଓ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପାର୍ଶ୍ୱ ପରିବର୍ତ୍ତନ ପୂଜା ଅନୁଷ୍ଠିତ ହୋଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।