ବିଜେପିରୁ ଇସ୍ତଫା ଦେଲେ ମୟୂରଭଞ୍ଜ ଜିଲ୍ଲାରେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ
News18 Odia Digital
ଭୁବନେଶ୍ବର: ମୟୂରଭଞ୍ଜ ରାଜନୀତିରେ ହଲଚଲ ଆଉ ଭୁବନେଶ୍ୱରରେ କମ୍ପନ ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ୧୫ ଜିଲ୍ଲା ପରିଷଦ ସଦସ୍ୟ ବିଜେପିରୁ ଇସ୍ତଫା ଦେବା ପରେ ସରଗରମ ହୋଇ ଉଠିଛି ରାଜନୀତି ମହଲ । ଏମାନେ ଆଗାମୀ ଦିନରେ ବିଜେଡ଼ି ମୁହାଁ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।
ବିଜେପି କହିଛି ଦଳ ହେଉଛି ବିଶ୍ବର ସର୍ବବୄହତ ପାର୍ଟି ଲୋକଙ୍କ ସହ ରହିଛି । କଂଗ୍ରେସ କହିଛି ବିଜେଡି ଭବିଷ୍ୟତରେ କଂଗ୍ରେସ ଅବସ୍ଥା ଭୋଗିବାକୁ ଯାଉଛି । ବିଜେଡି କହିଛି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ସରକାରି କାର୍ଯ୍ୟକ୍ରମ ପାଇଁ ଦଳ ପ୍ରତି ଲୋକଙ୍କ ଆକର୍ଷଣ ବଢୁଛି ।
ବିଜେପିରୁ ୧୫ ଜିଲ୍ଲା ପରିଷଦ ସଦସ୍ୟଙ୍କ ଇସ୍ତଫା
ମୟୂରଭଞ୍ଜ ଜିଲ୍ଲାର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ବିଜେପିରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଏ ଖବର ପ୍ରକାଶ ପାଇବା ପରେ ଜୋର ଧରିଛି ରାଜନୀତି ଚର୍ଚ୍ଚା । ଜିଲ୍ଲା ପରିଷଦ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ଦେବା ବିଜେପିକୁ ଝଟକା ଲାଗିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ସ୍ୱେଚ୍ଛାଚାରିତା ଓ ତାଲବାନୀ ଶାସନ ପାଇଁ ଜିଲ୍ଲା ବିକାଶରେ ବାଧା ପହଞ୍ଚିଛି ।
ଦୀର୍ଘ ଦିନ ପରେ ବସୁ ଥିବା ବୈଠକରେ ଅଧ୍ୟକ୍ଷାଙ୍କ ଆଚରଣ ଉଚ୍ଚାରଣ ବିକାଶର ପରିପନ୍ଥୀ ରହିଛି । ଦଳର ଶୀର୍ଷ ନେତାମାନେ ଜାଣିଶୁଣି ଅଧକ୍ଷାଙ୍କ ବିରୋଧରେ ନୀରବ ରହୁଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି।
ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, "ପଞ୍ଚାୟତ ନିର୍ବାଚନ ପୂର୍ବରୂ ଦଳ ସଙ୍ଗଠିତ ହେଉଛି । ନିକଟରେ ଜନ ଆଶ୍ରିର୍ବାଦ ଯାତ୍ରା କରାଯାଇଥିଲା । ଦୁଇ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ବୁଲିଛନ୍ତି। ପଞ୍ଚାୟତ ନିର୍ବାଚନର ବିଗୁଲ ବଜାଇଛୁ। ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ନେଇ ପ୍ରସ୍ତୁତି ଚାଲିଛି। ଭାରତୀୟ ଜନତା ପାର୍ଟି ପୃଥିବୀର ସବୁଠାରୁ ବଡ଼ ପାଟି। ଦୁର୍ବଳ ହେବାର ସମ୍ଭାବନା ନାହିଁ । ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ବରେ ଦଳ ସୁଦୄଢ଼ ହେଉଛି । ବିଜେପି ସବୁ ବେଳେ ଲୋକଙ୍କ ସହ ରହିଛି । ଲୋକଙ୍କ ସମସ୍ୟାକୁ ନେଇ ବିରୋଧୀ ଦଳ ଭୂମିକାକୁ ନିଭାଉଛି। ରାଷ୍ଟ୍ରବାଦ ବିଚାର ଧାରାକୁ ନେଇ ପାର୍ଟି ଲୋକଙ୍କ ଭିତରେ ଗ୍ରହଣୀୟ ହୋଇ ରହିଛି।"
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ‘‘ନବୀନ ବାବୁ ସାହାଣ ମେଳା କରୁଛନ୍ତି। କଂଗ୍ରେସ ଓ ବିଜେପିରର ନେତା ମାନଙ୍କୁ ପାର୍ଟିରେ ମିଶାଉଛନ୍ତି । ନିର୍ବାଚନ କୁଶ ନେଇ ଭୟଭୀତ ବିଜେଡି । ତେଣୁ ସବୁଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି । ନିକଟରେ କଂଗ୍ରେସ ଏଭଳି କରୁଥିଲା । ଏହାର ପରିଣତି ଜଳଜଳ ଦିଶୁଛି। କ୍ଷମତା ଲୋଭରେ ଲୋକ ମିଶୁଛନ୍ତି ।"
ଗୋଟିଏ ପଟେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଅନ୍ୟପଟେ ହେଉଥିବା ସରକାର କାର୍ଯ୍ୟକ୍ରମ ଲୋକଙ୍କ ଭିତରେ ସ୍ଵତନ୍ତ୍ର ଆକର୍ଷଣ ସୄଷ୍ଟି କରୁଛି । ଯେଉଁ ମାନେ ଭିନ୍ନ ଭାବରେ ଥିଲେ ସେମାନେ ବିକାଶକୁ ଅନୁଭବ କରି ପାରୁଥିବେ ବିଜୁ ଜନ ତା ଦଳ ମାଧ୍ୟମରେ ବିକାଶ ହୋଇପାରିବ । ଆସିବା ସ୍ବଭାବିକ । ଆଗମି ଦିନରେ ପୁରା ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଶାସନ କରିବ ବୋଲି କହିଛନ୍ତ ବିଜେଡି ବିଧାୟକ ଅମର ଶତପଥୀ ।
Published by:Lipina Das
First published: