କ୍ୟାପିଟାଲ ହସ୍ପିଟାଲ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ବିଗିଡ଼ିବାରେ ଲାଗିଛି ଭୁବନେଶ୍ବରର ଅବସ୍ଥା । କୋଭିଡ଼ ସଂକ୍ରମଣ ହେଉ କି ଡେଙ୍ଗୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଆଗରେ ରହିଛି ରାଜଧାନୀ । ଦୁଇମାସରେ ୨ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ସେପଟେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।
ଜାନୁଆରୀ ମାସରୁ ଭୁବନେଶ୍ବରରୁ ଚିହ୍ନଟ ହେଲେଣି ୨ଶହରୁ ଅଧିକ ଡେଙ୍ଗୁ ରୋଗୀ । କ୍ରମଶଃ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୭ ରେ ପହଞ୍ଚିସାରିଛି । ଜୁନ୍ ଓ ଜୁଲାଇ ମାସରେ ଯଥାକ୍ରମେ ୬୮ ଓ ୧୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କେବଳ ଚିହ୍ନଟ ହୋଇଛନ୍ତି ୧୮ଜଣ ଆକ୍ରାନ୍ତ । ଗତ ମାସରେ ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ୪ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ପୂର୍ଣ୍ଣାଂଶୁ ଚୌଧୁରୀଙ୍କର ଡେଙ୍ଗୁ ଜନିତ ମୃତ୍ୟୁ ଘଟିଛି । ଗତ ସୋମବାର ଠାରୁ ପୂର୍ଣ୍ଣାଂଶୁ ଜ୍ବରରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ଗତ ରବିବାର ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟେଷ୍ଟିଂ ଓ ରୋଗ ଚିହ୍ନଟରେ ବିଳମ୍ବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।
ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,"କହିଛନ୍ତି ବିଏମ୍ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର।
ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।