ପୁରୀ ବେଳାଭୂମିରେ ମିଳିଲା ୧୪ ବର୍ଷୀୟ ସୋନୁର ଶବ; ହତ୍ୟା ସନ୍ଦେହ; ପୋଲିସ ଉଦାସୀନ

ମୃତ ଦେହରେ ମାଟିଆ ରଙ୍ଗର ପ୍ୟାଣ୍ଟ ଥିଲା ଓ ଅଣ୍ଟାରେ ବେଲ୍ଟ ଥିଲା । ମତ୍ସ୍ୟଜୀବୀମାନେ ସୋସିଆଲ ମିଡ଼ିଆରେ ଶବର ଫଟୋକୁ ଭାଇରାଲ କଲେ ଓ ପୋଲିସକୁ ଖବର ଦେଲେ, ହେଲେ ଦୁଇ ଦିନ ଧରି ପୋଲିସ ଶବକୁ ଜବତ କଲା ନାହିଁ କି ମାମଲା ବି ରୁଜୁ କଲା ନାହିଁ ।

ପୁରୀ ବେଳାଭୂମିରେ ମିଳିଲା ୧୪ ବର୍ଷୀୟ ସୋନୁର ଶବ; ହତ୍ୟା ସନ୍ଦେହ; ପୋଲିସ ଉଦାସୀନ
ମୃତ ବାଳକ ସୋନୁ ସାହୁ; ମେରାଇନ ଥାନା; (ଡାହାଣ) ବେଳାଭୂମିର ଏକ ଦୃଶ୍ୟ
  • News18 Odia
  • Last Updated: September 29, 2020, 1:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବେଳାଭୂମିରେ ଗଳିତ ଶବ ମିଳିବା କିଛି ନୂଆ କଥା ନୁହେଁ । ଅନେକ ଶବ ବେଳାଭୂମି ଅଞ୍ଚଳର ସୈକତ ନିବାସ ପଛ ପଟେ ପଡ଼ି କଙ୍କାଳ ହୋଇଯିବା ଓ ଆଉ କେତେକ ଶବକୁ ଜନ୍ତୁମାନେ ଖାଇଯିବାର ଅନେକ ଉଦାହରଣ ରହିଛି । ହେଲେ ସେପ୍ଟେମ୍ବର ୨୧ରେ ପ୍ରଥମେ ଦେଖାଯାଇଥିବା ଏକ ଶବକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଉଠିଛି । ଏସ୍‌.ପି.ଙ୍କୁ ଜଣାଇବା ପରେ ବି ଦୁଇ ଦିନ ପରେ ମେରାଇନ ଥାନା ପୋଲିସ ଶବକୁ ଉଦ୍ଧାର କଲା, କିନ୍ତୁ କାମ ବୋଝ ଯୋଗୁଁ ହତ୍ୟା ପ୍ରତୀତ ହେଉଥିବା ଏହି ମାମଲାକୁ ପୋଲିସ ଚପାଇଦେବାର ଚେଷ୍ଟା କରୁଥିବା ଅଭିଯୋଗ ଆସିଛି ।

ସମୁଦ୍ର କୂଳ ଥାନାରେ ଏକ ନାବାଳକ ନିଖୋଜ ହୋଇଥିବା ବିଷୟରେ ଏତାଲା ଦିଆଯାଇଥିଲା । ଏବେ ତଦନ୍ତ ତ ଦୂରର କଥା, ଶବ ଉଦ୍ଧାର କରିବାରେ ପୋଲିସର ଉଦାସୀନତା ଓ ଅବହେଳା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି । ପୁରୀ ବେଳାଭୂମିରେ ଶବ ପଡ଼ି ରହି ସଢ଼ିବା ଘଟଣାର ପୁନରାବୃତ୍ତି ଘଟିଛି ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି କରିଛି ।

ପୁରୀ-କୋଣାର୍କ ବେଳାମାର୍ଗ ପାର୍ଶ୍ୱ ତୋଷାଳୀ ସ୍ୟାଣ୍ଡ ସମ୍ମୁଖ ସୈକତ ନିବାସ ବେଳାଭୂମିରେ ସମୁଦ୍ର ପାଣିରେ ଆସି ଲାଗିଥିବା ଏହି ମୃତ ଦେହରେ ମାଟିଆ ରଙ୍ଗର ପ୍ୟାଣ୍ଟ ଓ ଅଣ୍ଟାରେ ବେଲ୍ଟ  ଥିଲା । ମୁହଁ ମାଡ଼ି ହୋଇ ପଡ଼ିଥିବାରୁ ପରିଚୟ ଖୋଜିବା ତୁରନ୍ତ ସମ୍ଭବ ହୋଇପାରି ନ ଥିଲା । ସେହି ଅଞ୍ଚଳର କିଛି ମତ୍ସ୍ୟଜିବୀ ସୋସିଆଲ ମିଡ଼ିଆରେ ଶବର ଫଟୋକୁ ଭାଇରାଲ କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ଶବକୁ ଜବତ କଲା ନାହିଁ କି ମାମଲା ବି ରୁଜୁ କଲା ନାହିଁ ।

ଶେଷରେ ପୁରୀ ଏସପିଙ୍କୁ ଶବ ବିଷୟରେ ଅବଗତ କରାଇବାର ଦୁଇ ଦିନ ପରେ ମେରାଇନ ଥାନା ପୋଲିସ ଶବକୁ ଜବତ କରିଥିଲା । ଶବଟିକୁ ଦେଖିବା ପରେ ତା’ର ପରିଚୟ ମିଳିଲା । ତାହା ଥିଲା ସମୁଦ୍ର କୂଳ ଥାନା ପେଣ୍ଠକଟା ଅଞ୍ଚଳର ବିଜୟ କୁମାର ସାହୁଙ୍କ ବଡ଼ ପୁଅ ୧୪-ବର୍ଷୀୟ ସୋନୁର । ସୋନୁର ନିଖୋଜ ହୋଇଯିବା ନେଇ ତା’ ପରିବାର ଲୋକେ ଥାନାରେ ଏକ ଏତାଲା ଦେଇଥିଲେ । ହେଲେ ପୋଲିସର ଅବହେଳାରୁ ଶବଟି ସେଠି ତିନି ଦିନ ପଡ଼ିରହିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଗଣେଶ ପୂଜା ସମୟରେ ମୂର୍ତ୍ତି ନିକଟରେ ସୋନୁ ସାହୁ


‘‘ସୋନୁକୁ ସେପ୍ଟେମ୍ବର ୧୮ ତାରିଖ ଦିନ ୧୧ଟାରେ କିଛି ସାଙ୍ଗ ଘରୁ ଡାକିନେଇ ହଲିଡେ ରିସର୍ଟ ବେଳାଭୂମି ପଟକୁ ଯାଇଥିଲେ । ସେଠି ସେ ନିଖୋଜ ହୋଇଯାଇଥିବା କଥା ସେମାନେ ପରେ କହିଥିଲେ । ଆମେ ଅନେକ ଖୋଜାଖୋଜି ପରେ ସମୁଦ୍ର କୂଳ ଥାନାରେ ଏକ ଏତାଲା ଦେଇଥିଲୁ । ସୋନୁର ଫଟୋ ବି ପୋଲିସକୁ ଦେଇଥିଲୁ । ହେଲେ ତା’ ଶବ ମିଳିବା ପରେ ବି ପୋଲିସର ପଦକ୍ଷେପ ନିରାଶା ଆଣିଛି,’’ କହିଛନ୍ତି ମୃତ ସୋନୁର ବାପା ୪୮-ବର୍ଷୀୟ ବିଜୟ କୁମାର ସାହୁ ।

ମୃତ ଦେହକୁ ଦେଖିଲେ ତାହା ତିନି ଚାରି ଦିନ ଭିତରେ ମୃତ୍ୟୁ ହୋଇଥିବା ପରି ଲାଗୁଥିଲା ବୋଲି  କହିଛନ୍ତି ସ୍ଥାନୀୟ ନାସିନ୍ଦା ୩୮ ବର୍ଷୀୟ ଅକ୍ଷୟ ପ୍ରଧାନ । ‘‘ଯୁବକଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥାଇପାରନ୍ତି ବୋଲି ଲାଗୁଥିଲା । ବନ୍ୟା ପାଣି ତ ଅନେକ ଦିନରୁ କମିଗଲାଣି । ମେରାଇନ ଥାନା ପୋଲିସ ଅଧିକାରୀ ବାମଦେବ ନନ୍ଦଙ୍କୁ ଜଣାଇବା ପରେ ସେ ଯାଇ ଖୋଜିଥିଲେ ଓ ପାଇ ନ ଥିଲେ ବୋଲି କହିଥିଲେ । ପୁଣି ଖୋଜିବେ କହି ରହିଯାଇଥିବାରୁ ଦୁଇ ଦିନ ଧରି ବାଲିରେ ଶବ ପଡ଼ିରହିଥିଲା । ଏଭଳି ଅନେକ ଘଟଣାରେ ଖବର ପାଇ ପୋଲିସ ଶବ ଜବତ କରୁ ନ ଥିବାରୁ ତାହା ପୁଣି ସମୁଦ୍ର ଜୁଆର ଆସିଲେ ଭାସିଯାଇଥାଏ  । ପୋଲିସ ବାବୁ ପଙ୍କରେ ପଶିବେନି କି ଗୋଡ଼ ଧୋଇବେନି ନ୍ୟାୟରେ ଶବକୁ ଜବତ କରୁନାହାନ୍ତି,’’ କହିଛନ୍ତି ସ୍ଥାନୀୟ ନାସିନ୍ଦା ୩୮ ବର୍ଷୀୟ ଅକ୍ଷୟ ପ୍ରଧାନ ।

ପୁରୀ ଏସ୍.ପି. ଅଖିଳେଶ୍ୱର ସିଂ (ଫାଇଲ୍‌ ଫଟୋ)


‘‘ପୋଲିସର ଅବହେଳାରୁ ଏ ଭଳି ଅନେକ ଶବ ପଡ଼ିପଡ଼ି ଶଢ଼ି ଯାଉଛି ତ ଆଉ କେତେକକୁ ବିଲୁଆ କୁକୁର ଖାଇ ଦେବାରୁ ସେଗୁଡ଼ିକର କଙ୍କାଳ ପଡ଼ିରହୁଛି । ଏହା ଦ୍ୱାରା ମୃତ ଦେହର ମାନବାଧିକାର କ୍ଷୁର୍ଣ୍ଣ ହେଉଛି । ୨୦୧୮ ସେପ୍ଟେମ୍ବର ୧୪ରେ ସେହି ସମାନ ସ୍ଥାନରେ ଜଣେ ଯୁବକଙ୍କ ଗଳିତ ଶବ ପଡ଼ିଥିବା ଖବର ପ୍ରକାଶ ପାଇଥିଲା । ତାହା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ୩୬ ବର୍ଷୀୟ ମାନସ ଦାସଙ୍କର ବୋଲି ପରିବାର ଲୋକେ ଦାବି କରିଥିଲେ  । ହେଲେ ଶବ ପଡ଼ିପଡ଼ି କଙ୍କାଳ ହୋଇଗଲା ପଛେ ପୁରୀ ପୋଲିସ ଶବକୁ ଜବତ କରି ନ ଥିଲା । ପରେ ଭୁବନେଶ୍ୱର ପୋଲିସ ଆସି ଶବକୁ ଜବତ କରିଥିଲା । ୨୦୧୯ ମସିହା ଅଗଷ୍ଟ ୨୮ରେ ନୂଆନଇ ମୁହାଣରେ ଏକ ଗଳିତ ଶବ ପଡ଼ିଥିବା ବେଳେ ପୋଲିସର ଅବହେଳାରୁ ତାହା ଆବର୍ଜନା ଭିତରେ କଙ୍କାଳ ହୋଇଗଲା । ତେଣୁ ଶବଟି ଭାସିଗଲେ କି କଙ୍କାଳ ହୋଇଗଲେ ଥାନାବାବୁମାନଙ୍କର ଚିନ୍ତା ଦୂର ହୋଇଯାଉଛି । ଶବର ମାନବାଧିକାର ବିଷୟରେ ସେମାନେ ସମ୍ପୂର୍ଣ୍ଣ ଉଦାସୀନ,’’ କହିଛନ୍ତି ମାନବାଧିକାର କର୍ମୀ ପ୍ରସନ୍ନ ଦାସ  ।

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

ଏହା ବି ପଢ଼ନ୍ତୁ | AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ

ନାବାଳକର ଶବ ମିଳିବା ମାମଲା ବଷୟରେ ଅତିରିକ୍ତ ଏସପି ଅରୁଣ ଜେନାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ‘‘ପୁରୀ ଜିଲ୍ଲାରେ କେଉଁ ଥାନାରେ ନିଖୋଜ ମାମଲା ହୋଇଛି ତାକୁ ନେଇ ପୋଲିସ ଶବକୁ ଜବତ କରିବା ପରେ ତଦନ୍ତ କରିବା ଦରକାର । ଶବକୁ ଜବତ ନ କରି ହେଳା କରିବା ଉତ୍ତମ ଅଫିସରର କର୍ତ୍ତବ୍ୟ ନୁହେଁ ।’’



‘‘ଅନେକ ସମୟରେ ପୁରୀ ବେଳାଭୂମିରେ ପଡ଼ିଥିବା ଶବ ଜବତ ନ ହୋଇ କଙ୍କାଳ ହୋଇଯାଏ ଓ ନଷ୍ଟ ହୋଇଯାଏ କିମ୍ବା ଜୁଆରରେ ଭାସି ଅନ୍ୟତ୍ର ଚାଲିଯାଏ । ଥାନା ପୋଲିସ ନିଜ ବୋଝ ଖସାଇବାକୁ ଶବ ଜବତ କରୁ ନ ଥିବା ସମ୍ବନ୍ଧୀୟ ଅଭିଯୋଗ ଆସୁଛି । ତା’ ସହିତ ଶବକୁ ସୀମା ପାର କରି ବୋଝ ଖସାଇବାକୁ ବି ଥାନା ଅଧିକାରୀମାନେ ଏ ଭଳି କରୁଥିବା ଅଭିଯୋଗ ରହିଛି । ଏ ଦିଗରେ ଦୃଷ୍ଟି ଦିଆଯିବ,’’ କହିଛନ୍ତି ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂ ।
Published by: Anand Shankar Thankur Das
First published: September 29, 2020, 1:35 AM IST
corona virus btn
corona virus btn
Loading