ବାଲେଶ୍ୱରରେ ୧୨ ବର୍ଷର ଛାତ୍ର ବନେଇଲେ ଏକା ସାଙ୍ଗରେ ୬ଟି କାମ କରିପାରୁଥିବା କୃଷି ଯନ୍ତ୍ର

ଏହି ମେସିନ ଦ୍ୱାରା ଏକା ସାଙ୍ଗରେ ଛଅଟି କାମ, ଯଥା ଲଙ୍ଗଳ କରିବା, ମଇ ଦେବା, ବିହନ ଓ ସାର ବୁଣିବା, ଔଷଧ ସିଞ୍ଚନ କରିବା ଓ ପାଣି ସ୍ପ୍ରେ କରିବା କରାଯାଇପାରେ । ଏହା ତିଆରି କରିବାକୁ ମାତ୍ର ୧୦ ହଜାର ଟଙ୍କା ଲାଗିଛି ।

ମା’ଙ୍କ ସହ କୁନି ବୈଜ୍ଞାନିକ ବିପ୍ଳବ ଘୋଷ

ମା’ଙ୍କ ସହ କୁନି ବୈଜ୍ଞାନିକ ବିପ୍ଳବ ଘୋଷ

  • Share this:
News18 Odia Digital

ବାଲେଶ୍ୱର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ଉଦ୍ୟମ ବଳରେ ଜାତୀୟ ସ୍ତ୍ରରରେ ପହଁଞ୍ଚି ପାରିଛନ୍ତି ସପ୍ତମ ଶ୍ରେଣୀର ଛାତ୍ର ବିପ୍ଳବ କୁମାର ଘୋଷ । ମାତ୍ର ୧୦ ହଜାର ଟଙ୍କାରେ ଛଅ ପ୍ରକାର କାମ କରିପାରୁଥିବା ଏକ କୃଷି ଯନ୍ତ୍ର ନିର୍ମାଣ କରି ଏହି ୧୨ ବର୍ଷର ବାଳକ ଏବେ ସବୁଠି ପ୍ରସଂଶାର ପାତ୍ର ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଉପେନ୍ଦ୍ରନାଥ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ବିପ୍ଳବ ସେ ଉଦ୍ଭାବନ କରିଥିବା କୃଷି ଯନ୍ତ୍ରର ନାଁ ଦେଇଛନ୍ତି  'ସିଡ୍ସ ଆଣ୍ଡ ଫର୍ଟିଲାଇଜର ଆପ୍ଲିକଣ୍ଟ ' (ମଞ୍ଜି ଓ ସାର ଯନ୍ତ୍ର)। ତାଙ୍କ ବାପା ସୁଶାନ୍ତ ଘୋଷ ଜଣେ ଚ଼ାଷୀ । ଚ଼ାଷ କାମ କରୁଥିବା ବେଳେ ବାପାଙ୍କ କଷ୍ଟ ଦେଖି ବିପ୍ଳବଙ୍କ ମନକୁ ଆସିଥିଲା ଏହି ଯନ୍ତ୍ରର ଆବଶ୍ୟକତା । କମ ପରିଶ୍ରମରେ କିଭଳି ଅଧିକ କାମ କରିହେବ ଏହି ଉଦେଶ୍ୟ ନେଇ ସେ ଏହି ଯନ୍ତ୍ର ତିଆରି କରିବାରେ ଲାଗି ଯାଇଥିଲେ ।

‘‘ଏହି ମେସିନ ଦ୍ୱାରା ଏକା ସାଙ୍ଗରେ ଛଅଟି କାମ, ଯଥା ଲଙ୍ଗଳ କରିବା, ମଇ ଦେବା, ବିହନ ଓ ସାର ବୁଣିବା, ଔଷଧ ସିଞ୍ଚନ କରିବା ଓ ପାଣି ସ୍ପ୍ରେ କରିବା କରାଯାଇପାରେ । ଏହା ଦ୍ୱାରା ଜଣେ ଲୋକ ଏକା ସାଙ୍ଗରେ ଛଅଟି କାମ କରିପାରିବ । ସବୁ ଠାରୁ ବଡ଼ କଥା ହେଲା ଏହି ମେସିନ ଚ଼ଳାଇବା ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ି ନଥାଏ । ସୌର ଶକ୍ତି ଦ୍ୱାରା ଏହି ମେସିନକୁ ଚ଼ଳାଇ ହେବ। ମାତ୍ର ୧୦ ହଜାର ଟଙ୍କାର ନିର୍ମିତ ଏ ମେସିନରୁ ମିଳିପାରିବ ଅନେକ ଲାଭ,’’ କହିଛନ୍ତି ବିପ୍ଳବ ।

ନିଜେ ବନେଇଥିବା ଯନ୍ତ୍ରର ଉପଯୋଗିତା ଦେଖାଉଛନ୍ତି ବିପ୍ଳବ ।


ତାଙ୍କର ଏହି ପ୍ରୟାସରେ ସାହାଯ୍ୟ କରିଛନ୍ତି ମଧୁପୁରା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚିନ୍ମୟ କୁମାର ନନ୍ଦ । ଶିକ୍ଷକଙ୍କ ସହାୟତା ଓ ନିଜ ଉଦ୍ୟମ ବଳରେ ଚାଷୀ ଘରର ଏହି ଛାତ୍ର ନିର୍ମାଣ କରିଥିବା ମେସିନକୁ ନେଇ ଏବେ ସବୁଠି ଚ଼ର୍ଚ୍ଚା ।

ନିଜ ବୈଜ୍ଞାନିକ କାର୍ଯ୍ୟ ପାଇଁ ବିପ୍ଳବ ବିଭିନ୍ନ ପୁରସ୍କାର ପାଇଛନ୍ତି ।


କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଇନ୍ସପାୟାର୍ଡ଼ ସ୍କିମ ମାନକରେ ଜିଲ୍ଲା ସ୍ତରରୁ ଉନ୍ନୀତ ହୋଇ ରାଜ୍ୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ବିପ୍ଳବ। ତେବେ ରାଜ୍ୟ ସ୍ତରରେ ଉନ୍ନୀତ ହେବା ପରେ ଆଗାମୀ ଏପ୍ରିଲରେ ବାଲେଶ୍ୱରରୁ ଏକ ମାତ୍ର ଛାତ୍ର ଭାବରେ ଦିଲ୍ଲୀରେ ନିଜର ଉଦ୍ଭାବନକୁ ପ୍ରଦର୍ଶନ କରିବେ ସେ ।

‘‘ଆମର ଗରିବ ଘର । କିନ୍ତୁ ବିପ୍ଳବ ଜଣେ ମେଧାବୀ ଛାତ୍ର । ସେ ବଡ଼ ହୋଇ ଜଣେ କୃଷି ବୈଜ୍ଞାନିକ ହେଉ ବୋଲି ଆମର ଇଚ୍ଛା । ପରିବାର ପୋଷଣ ରେ ଯେତେ କଷ୍ଟ ହେଲେ ବି ପୁଅକୁ ବଡ଼ ମଣିଷ କରିବି ବୋଲି ମୁଁ ମନସ୍ଥ କରିଛି,’’ କହିଛନ୍ତି ବିପ୍ଳବର ବାପା ସୁଶାନ୍ତ ଘୋଷ ।

ଦିଲ୍ଲୀରେ ସଫଳତା ମିଳିଲେ  ଆଗାମୀ ଦିନରେ ଜାପାନରେ ହେବାକୁ ଥିବା ଶିଶୁ ବୈଜ୍ଞାନିକ ମେଳାରେ ଯୋଗଦେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ବିପ୍ଳବ ।
Published by:Anand Shankar Thankur Das
First published: