ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ବନ୍ଦର ବ୍ୟାପକ ପ୍ରଭାବ; ହାଇ କୋର୍ଟ ବେଞ୍ଚ ପାଇଁ ତେଜିଲା ଆନ୍ଦୋଳନ

ଆଜି ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାରେ ଅନୁଭୂତ ହୋଇଛି ସେଠି ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆୟୋଜିତ ହୋଇଥିବା ୧୨ ଘଣ୍ଟିଆ ବନ୍ଦର ପ୍ରଭାବ । ସକାଳ ଠାରୁ ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ଚ଼ାଲିଥିଲା । ଟ୍ରେନ୍ ଓ ବସ୍ ଚ଼ଳାଚ଼ଳ ପ୍ରଭାବିତ ହୋଇଥିଲା ।

ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ବନ୍ଦର ବ୍ୟାପକ ପ୍ରଭାବ; ହାଇ କୋର୍ଟ ବେଞ୍ଚ ପାଇଁ ତେଜିଲା ଆନ୍ଦୋଳନ
ବଲାଙ୍ଗିରରେ ବିରୋଧ ପ୍ରଦର୍ଶନର ଏକ ଦୃଶ୍ୟ
  • News18 Odia
  • Last Updated: February 5, 2020, 7:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାରେ ଆରମ୍ଭ ହୋଇଛି ୧୨ ଘଣ୍ଟିଆ ବନ୍ଦ । ସକାଳ ଠାରୁ ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଓ ବସ୍‌ ଚ଼ଳାଚ଼ଳ ପ୍ରଭାବିତ ହେବା ସହ ଦୋକାନ ବଜାର ବନ୍ଦ ରହିଛି ।

ବରଗଡ଼ରେ ଓକିଲ ସଂଘ ପକ୍ଷରୁ ଆହୂତ ୧୨ ଘଣ୍ଡିଆ ବନ୍ଦ ଯୋଗୁଁ ଜିଲ୍ଲାରେ ଚକ, ଅଖ ସବୁ ବନ୍ଦ ହୋଇଯାଇଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି । ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି । ଶୋଭାଯାତ୍ରା ଓ ରାସ୍ତା ଅବରୋଧ ଯୋଗୁଁ ଜିଲ୍ଲାରେ ବନ୍ଦର ବହୁଳ ପ୍ରଭାବ ଅନୁଭୂତ ହୋଇଛି । ସରକାରୀ ଅଫିସ ଆଗରେ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି । ଓକିଲ ସଂଘର ଏହି ଆନ୍ଦୋଳନକୁ ବରଗଡ ଏକତା ମଞ୍ଚ ସହିତ  ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି ।

ସମ୍ବଲପୁର ରେଳ ଷ୍ଟେସନରେ ଓକିଲ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଳ ଲାଇନରେ ଧାରଣା ଓ ବିକ୍ଷୋଭ ଯୋଗୁଁ ସେ ରୁଟରେ ଟ୍ରେନ ସବୁ ଅଟକି ରହିଛି । ଏହି ଆନ୍ଦୋଳନ ଯୋଗୁ ଦୋକାନ ବଜାର ଓ ଗାଡ଼ି ଚ଼ଳାଚ଼ଳ ବନ୍ଦ ରହିଛି । ଓକିଲ ସଂଘର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଶୋଭାଯାତ୍ରା କରିଛନ୍ତି । ସ୍କୁଲ, କଲେଜ ଓ ବେସରକାରୀ ପ୍ରତିଷ୍ଠାନ ସବୁ ମଧ୍ୟ ବନ୍ଦ ରହିଛି ।

ସୁନ୍ଦରଗଡ଼ରେ ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ଠପ୍‌ ରହିଛି ଓ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ସବୁ ବନ୍ଦ ରହିଛି । ସହରର ଶଙ୍କରା ବାଇପାସ, କଲେଜ ବାଇପାସ ଓ ରାଣୀବଗିଚା ବାଇପାସ ରେ ଆଇନଜୀବୀମାନେ ରାସ୍ତା ଅବରୋଧ କରିବା ଫଳରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି । ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ ଦେଇଛନ୍ତି । ଆସନ୍ତା ଦିନରେ ସୁପ୍ରିମ କୋର୍ଟରେ ପୁଣି ଥରେ ନିଜର ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ଆଇନଜୀବୀମାନେ ।

ବରଗଡ଼ରେ ଦୋକାନ ବଜାର ସବୁ ବନ୍ଦ ରହିଛି ।


ନୂଆପଡାରେ ସିଭିଲ ବାର୍‌ ଓ ଜିଲ୍ଲା ବାର୍‌ ଏସୋସିଏସନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓକିଲମାନେ ନୂଆପଡାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି । ଏକତା ଛକ ଓ କଚେରୀ ଛକରେ ରୁଣ୍ଡ ହୋଇ ରାସ୍ତା ରୋକ କରିଛନ୍ତି । ଫଳରେ ନୂଆପଡ଼ା ଜାତୀୟ ରାଜପଥ ୩୫୩  ଉପରେ ଭାରି ଯାନବାହନ ବହୁ ସଂଖ୍ୟାରେ ଅଟକି ରହିଛି । ଖଡିଆଳ-ନୂଆପଡା, ନୂଆପଡା-ସମ୍ବଲପୁର, ନୂଆପଡା-ଛତିଶଗଡକୁ ସମସ୍ତ ଯାନ ବାହନ ବନ୍ଦ ରହିଛି ।

ଝାରସୁଗୁଡ଼ାରେ ବନ୍ଦର ପ୍ରଭାବ ସ୍ପଷ୍ଟ ଦିଶିଛି । ପଶ୍ଚିମ ଓଡିଶା ବନ୍ଦ ସଫଳ କରିବାକୁ ଜିଲ୍ଲାର ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼, ବନହରପାଲି, କୋଲାବିରା, ଲଇକେରା, କିର୍ମିରା, ଲଖନପୁର ଆଦି ଅଞ୍ଚଳରେ ପିକେଟିଂ କରାଯାଉଛି । ସକାଳ ଠାରୁ ଜିଲ୍ଲାରେ ସବୁ ଦୋକାନ ବଜାର ବନ୍ଦ ରହିଛି । ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଛି । ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏହି ଆନ୍ଦୋଳନକୁ ସବୁ ରାଜନୈତିକ ଦଳ ଓ ବିଭିନ୍ନ ଗଣ ସଂଗଠନ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ବୌଦ୍ଧ ଜିଲ୍ଲାରେ ସ୍ଥାନେ ସ୍ଥାନେ ବନ୍ଦ ସମର୍ଥନରେ ପୋଷ୍ଟର ଲାଗିଛି ।


ସୁବର୍ଣ୍ଣପୁରରେ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଆହୂତ ଏହି ବନ୍ଦ ଡାକରାର ପ୍ରଭାବ ପଡ଼ିଛି । ସଦର ମହକୁମାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନ ଥିବା ବେଳେ ଦୋକାନ ବଜାର ସ୍ୱାଭାବିକ ଖୋଲା ରହିଛି । ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ କୋଶଳ କ୍ରାନ୍ତି ଦଳ ବନ୍ଦକୁ ସମର୍ଥନ କରିଛି । ତେଣୁ ଲୋକେ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦ କରିଛନ୍ତି । ଗାଡି ମଟର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି ।

ସମ୍ବଲପୁରରେ ଏକ ଟ୍ରେନକୁ ରୋକୁଛନ୍ତି ବନ୍ଦ ସମର୍ଥନକାରୀମାନେ ।


ବୌଦ୍ଧ ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ଯେ କୌଣସି ଅଞ୍ଚଳରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସାଙ୍ଗକୁ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ ସାମିଲ କରିବାକୁ ଦାବି କରାଯାଇଛି । ଏହି ୧୨ ଘଣ୍ଟିଆ ବନ୍ଦ ଦ୍ଵାରା ଗାଡ଼ିଘୋଡ଼ା ସହ ସବୁ ସ୍କୁଲ କଲେଜ ଓ ଦୋକାନ ବଜାର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ସାଙ୍ଗକୁ ଶୋଭାଯାତ୍ରା କରିଛନ୍ତି ଆନ୍ଦୋଳନକାରୀମାନେ ।

ଦାବି ପ୍ରତି ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀମାନେ ।
First published: February 5, 2020, 7:59 PM IST
corona virus btn
corona virus btn
Loading