News18 Odia Digital
ଭୁବନେଶ୍ୱର: ରାଜ୍ୟର ସବୁ ସହରରାଞ୍ଚଳ ହେବ ଚାଳ ଘର ମୁକ୍ତ । ଚାଳଘରର ସ୍ଥାନ ନେବ ପକ୍କା ଘର । ବିଭିନ୍ନ ଯୋଜନାରେ ଲୋକଙ୍କୁ ଯୋଗାଇ ଦିଆଯିବ ପକ୍କା ବାସଗୃହ । ସେପଟେ ଜବରଦଖଲ ଯୋଗୁଁ ରାସ୍ତାଘାଟ ହେଉଛି ସଂଙ୍କୁଚିତ । ବିକାଶରେ ସୃଷ୍ଟି ହେଉଛି ବାଧା। ଗୃହ ଓ ନଗର ଉନ୍ନୟନ ବିଭାଗର ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ। କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇବାରେ ଜାଲିଆତି ହେଉଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ଜାରି ରହିଛି ବିକାଶର ଧାରା । ତେବେ ଜବରଦଖଲ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ସୃଷ୍ଟି ହେଉଛି ବାଧା। ରାଜ୍ୟର ସମସ୍ତ ସହରାଞ୍ଚଳ ହେବ ଚାଳ ଘର ମୁକ୍ତ । ଚାଳ ଘରର ସ୍ଥାନ ନେବ ପକ୍କା ଘର । ସରକାରଙ୍କ ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ କରି ଯୋଗାଇ ଦିଆଯାଉଛି। ଭୁବନେଶ୍ବରରେ ସରକାରୀ ଜମି ଚିହ୍ନଟ କରି ପ୍ରାୟ ୧୦ ହଜାର ପରିବାର ପାଇଁ ପକ୍କା ଘର ନିର୍ମାଣ କରାଯାଉଥିବା ବେଳେ ଅନେକ ପରିବାରଙ୍କୁ ବିଭିନ୍ନ ସ୍ଥାନରେ ପକ୍କା ଘରେ ଥଇଥାନ କରାଯାଇଛି । ବସ୍ତିଗୁଡିକରେ ଲୋକଙ୍କୁ ବିଭିନ୍ନ ମୌଳିକ ସୁବିଧା ଯୋଗାଇ ସେଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୁପାନ୍ତରିତ କରାଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ।
"ମୁଖ୍ୟମନ୍ତ୍ରୀ ଚାଳ ଘର ଦେଖି ଦେଖି ବ୍ୟସ୍ତ ହେଲେଣି। ପକ୍କା ଘର ଯୋଗାଇ ଦେବାକୁ ଯୋଜନା ଅନେକ ଦିନର ରହିଛି। ସବୁ ସହରରୁ ବସ୍ତି ଉଠାଇ ପକା ଘର କରିବା ଓ ଏହାକୁ ବିଜୁ ଆଦର୍ଶ କଲୋନୀ କରିବା ସ୍ୱପ୍ନ ତାଙ୍କର। ଏହି ସ୍ୱପ୍ନକୁ ଆମେ ପୁରା କରିବୁ ବୋଲି ପ୍ରତିଜ୍ଞା କରିଛୁ," କହିଛନ୍ତି ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ।
ସେପଟେ ସ୍ମାର୍ଟ ସିଟି ଭୁବନେଶ୍ବରରେ ଚିହ୍ନଟ ୪୫୦ରୁ ଅଧିକ ବସ୍ତିର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ବସ୍ତି ଲୋକଙ୍କ ସହଭାଗିତାରେ ନିର୍ମାଣ ହେଉଛି ବହୁତଳ ବିଶିଷ୍ଟ କୋଠା । ପର୍ଯ୍ୟାୟ କ୍ରମେ କ୍ଷତିଗ୍ରସ୍ତ ଲୋକଙ୍କୁ ଥଇଥାନ କରାଯାଉଛି ବୋଲି କହିଛନ୍ତି ବିଏମ୍ସି ସ୍ଲମ୍ ଡେଭଲପମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ।
"ବିଏମ୍ସିରେ ୪୫୮ ବସ୍ତି ଚିହ୍ନଟ ହୋଇଛି। ୪ଟି ସ୍ଥାନରେ ଘର କାମ ସାରି ଲୋକେ ରହିଲେଣି। ଆଉରି ୧୦ହଜାର ଘର ନିର୍ମାଣ ହେଉଛି। ଭୁବନେଶ୍ୱର ଖୁବ ଶୀଘ୍ର ସୁନ୍ଦର ହୋଇ ଗଢି ଉଠିବ,"କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମହାମାୟା ସ୍ବାଇଁ।
"ବସ୍ତି ବାସିନ୍ଦାକୁ ଘର ମିଳିବା ନେଇ ଅନେକ ଦିନରୁ ଯୋଜନା ଆମେ ଶୁଣୁଛୁ। ଅନେକ ଲୋକ ଘର ପାଇଲେଣି। କିନ୍ତୁ ଅନେକ ଲୋକଙ୍କ ଘର ଦେବାକୁ କହି ଆଜି ବି ସେମାନେ ହୀନସ୍ଥା ହେଉଛନ୍ତି। ସଠିକ ସମୟରେ ବିଏମ୍ସି ର କଳାବଜାରୀ ଓ ହେରଫେର ପାଇଁ ତାଙ୍କୁ ଘର ମିଳିନି। ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ବିଶେଷ ଭଲ ହେବ,"କହିଛନ୍ତି ବସ୍ତି ବାସିନ୍ଦା ମଞ୍ଚର ସମ୍ପାଦିକା ସ୍ବୟଂପ୍ରଭା ସାହୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।