News18 Odia Digital
କଟକ: ଦେଶର ୭୪ତମ ସ୍ୱାଧୀନତା ଦିବସ ପୂର୍ବରୁ କଟକ ରେଳ ଷ୍ଟେସନରେ ପ୍ରତିଷ୍ଠା ହୋଇଛି ଶହେ ଫୁଟ ଉଚ୍ଚ ଏକ ଖମ୍ବରେ ଲାଗିଥିବା ଏକ ବିଶାଳ ଜାତୀୟ ପତାକା । ତାକୁ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି ।
କଟକ ରେଳ ଷ୍ଟେସନର ପାର୍କିଂ ପ୍ଲେସରେ ନୀଳ ଆକାଶର ବକ୍ଷଭେଦ କରି ପବନରେ ଫରଫର ହୋଇ ଉଡୁଛି ତିରଙ୍ଗା । ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଖମ୍ବରେ ଉଡୁଥିବା ଏହି ଜାତୀୟ ପତାକାର ଦୈଘ୍ୟ ୩ ମିଟର ଥିବା ବେଳେ ପ୍ରସ୍ତ ରହିଛି ୨ ମିଟର । ଏମିତି ତ ଆମ ଜାତୀୟ ପତାକା ଭବ୍ୟ, କିନ୍ତୁ ଏହି ବିଶାଳ ଆକାରର ପତାକାକୁ ଦେଖି ଷ୍ଟେସନକୁ ଆସୁଥିବା ଯାତ୍ରୀମାନେ ବିମୋହିତ ହେଉଛନ୍ତି । ଲୋକେ ଏହାର ଫଟୋ ନେବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଅପଲକ ନୟନରେ ଚାହିଁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ବିଶାଳ ପତାକା ସେମାନଙ୍କ ହୃଦୟରେ ଥିବା ଦେଶ ପ୍ରେମର ଭାବନା ଜାଗ୍ରତ କରୁଥିବା କହିଛନ୍ତି ଯାତ୍ରୀମାନେ ।
‘‘ମୁଁ ଏହା ପୂର୍ବରୁ ଏତେ ବଡ଼ ପତାକା କେବେ ବି ଦେଖିନାହିଁ । ପ୍ରଥମ ଥର ଲାଗି କଟକ ଷ୍ଟେସନରେ ଏହାକୁ ଦେଖି ମୋତେ ଭାରି ଖୁସି ଲାଗିବା ସହ ଗର୍ବ ବି ଅନୁଭବ ହେଉଛି । ଏହି ପତାକାଟି ଲାଗିବା ପରେ ପୂରା ଷ୍ଟେସନର ଚିତ୍ର ବଦଳିବା ଭଳି ଲାଗୁଛି,’’ କହିଛନ୍ତି ଖଡ଼ଗପୁର ଯିବା ପାଇଁ କଟକ ରେଳ ଷ୍ଟେସନକୁ ଆସିଥିବା ଯାତ୍ରୀ ମନୋଜ ସାହୁ ।

ଏହି ପତାକାଟି କଟକ ସହରର ବିଭିନ୍ନ ସ୍ଥାନରୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ।
୩୩ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସୁଦୃଶ୍ୟ ପତାକାକୁ ପ୍ରତିଷ୍ଠା କରିବା ପାଇଁ ପ୍ରାୟ ଗୋଟିଏ ମାସର ସମୟ ଲାଗିଥିଲା । ଷ୍ଟେସନ ଦେଇ ଯିବା ଆସିବା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ସୃଷ୍ଟି କରିବା ସହ ଷ୍ଟେସନ ପରିସରକୁ ଆକର୍ଷଣୀୟ କରିବା ପାଇଁ ଏହି ପଦକ୍ଷେପ ନେଇଛି ରେଳବାଇ । ଆଗାମୀ ଦିନରେ ଭଦ୍ରକ, ଢେଙ୍କାନାଳ, ତାଳଚେର ଓ ଅନୁଗୁଳ ଭଳି ଅପେକ୍ଷାକୃତ ବଡ଼ ଷ୍ଟେସନଗୁଡ଼ିକରେ ଏହି ଭଳି ପତାକା ଲଗାଇବାର ବ୍ୟବସ୍ଥା କରୁଛି ରେଳବାଇ ।
‘‘ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଦେଶର ଥିବା ପ୍ରମୁଖ ଷ୍ଟେସନଗୁଡ଼ିକରେ ଏହି ଭଳି ଜାତୀୟ ସ୍ମାରକୀଗୁଡ଼ିକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି କ୍ରମରେ କଟକରେ ଏହି ପତାକାଟି ପ୍ରତିଷ୍ଠା କରାଯାଇଛି । ଆଗକୁ ମଧ୍ୟ ରାଜ୍ୟର ଅନ୍ୟ ଷ୍ଟେସନଗୁଡ଼ିକରେ ଏହି ଭଳି ପତାକା ଲାଗାଯିବାର ବ୍ୟବସ୍ଥା ରହିଛି । ଏଥି ପାଇଁ ରାତି ବେଳା ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଛି,’’ କହିଛନ୍ତି ରେଳବାଇର ସହକାରୀ ଡିଭିଜନାଲ ଇଞ୍ଜିନିୟର ଓମ୍ ପ୍ରକାଶ ମିନା ।
ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲାଏହି ପତାକାଟି ସହରର ବିଭିନ୍ନ ସ୍ଥାନରୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏପରିକି ଟ୍ରେନରେ କଟକ ଆସୁଥିବା ଯାତ୍ରୀମାନେ ଏହି ପତାକାକୁ ଷ୍ଟେସନ ଠାରୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଦେଖିପାରିବେ ।
ଏହି ପତାକାଟି ହେଉଛି କଟକ ସହରରେ ଥିବା ବିଶାଳ ଜାତୀୟ ପତାକାମାନଙ୍କ ମଧ୍ୟରେ ଚତୁର୍ଥ । ଏହା ପୂର୍ବରୁ କଟକରେ ଥିବା ଜୁଡିସିଆଲ ଏକାଡେମୀ, ହାଇ କୋର୍ଟ ଏବଂ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିସରରେ ଏହି ଭଳି ବିଶାଳ ପତାକା ଶୋଭା ପାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।