ସରସ୍ବତୀଙ୍କ ସ୍ବର୍ଣ୍ଣିମ ସଫଳତା: ପେଶା ଓ ନିଶାର ସୁନ୍ଦର ସମନ୍ବୟ, ସବୁଠି ଚମକ

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

ନିଜ କର୍ତ୍ତବ୍ୟ ଓ ଦାୟିତ୍ବ ମଧ୍ୟରେ ସୁନ୍ଦର ସମନ୍ବୟ । ଜୀବନକୁ ଜୀଇଁବାର ସୁନ୍ଦର କଳା । ପେଶା ଓ ନିଶା ମଧ୍ୟରେ ଭାରସାମ୍ୟ । ଏସବୁ ପରେ ଉଲ୍ଲେଖନୀୟ ସଫଳତା । ଉଚ୍ଚପଦସ୍ଥ କର୍ପୋରେଟ ଦାୟିତ୍ବ, ଦୁଇ ଦୁଇ ଛୋଟ ଜାଆଁଳା ଝିଅଙ୍କ ମାତୃତ୍ବ, ଆଉ ଘର ପରିବାର, ଏହା ସତ୍ତ୍ବେ ବିଶ୍ବ ପାୱାରଲିଫ୍‌ଟିଂରେ ବଡ଼ ସଫଳତା । ଏମିତି ବିରଳ ସଫଳତା ପାଇଛନ୍ତି ସରସ୍ବତୀ ଆନନ୍ଦ । ନେଟ୍‌ୱର୍କ 18  ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ, ବିଶ୍ବ ପାୱାରଲିଫ୍‌ଟିଂ (World Powerlifting)ରେ ଗୋଲ୍‌ଡ ମେଡାଲିଷ୍ଟ (Gold Medalist) ସରସ୍ବତୀ ଆନନ୍ଦ ।

କାହା ପାଇଁ କ୍ରୀଡ଼ା ଏକ ସମୟ କାଟିବାର ଅବସର, କିନ୍ତୁ ଆଉ କାହା ପାଇଁ ଏହା ଜୀବନ । ବରଂ ଜୀବନଠାରୁ ବି ଅଧିକ । ଜୀବନ ଜୀଇଁବାର ଶୈଳୀ, ଆଗକୁ ବଢ଼ିବାର ପ୍ରେରଣା, ଉତ୍ସାହ ଓ ଆନନ୍ଦ । ଠିକ୍‌ ଯେମିତି ସରସ୍ବତୀଙ୍କ ପାଇଁ । ବେଙ୍ଗଳୁରୁର ୪୨ ବର୍ଷୀୟ ସରସ୍ବତୀ ଆନନ୍ଦ ପେଶାରେ ଜଣେ ମାର୍କେଟିଂ ପ୍ରଫେସନାଲ । ନେଟୱର୍କ 18ରେ ଆସିଷ୍ଟାଣ୍ଟ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଉଚ୍ଚ ପଦରେ କାମ କରୁଥିଲେ ବି ତାଙ୍କ ପାଇଁ ଜୀବନ ହେଉଛି ଭାରୋତ୍ତୋଳନ । ଏବେ ସରସ୍ବତୀ ଆନନ୍ଦଙ୍କୁ ମିଳିଛି ଉଲ୍ଲେଖନୀୟ ସଫଳତା । ୧୦୦ କିଲୋଗ୍ରାମ ଭାରୋତ୍ତଳନରେ ସେ ପାଇଛନ୍ତି ସ୍ବର୍ଣ୍ଣିମ ସଫଳତା । ଫାରୋଙ୍କ ସହରରେ ସରସ୍ବତୀ ଭାରତ ପାଇଁ ସାଉଁଟିଛନ୍ତି ଏହି ନିଆରା ସଫଳତା। ଇଜିପ୍ଟରେ ମିଳିଥିବା ଏହି ସଫଳତା ଆହୁରି ଉଲ୍ଲେଖନୀୟ କାରଣ ଏହା ତାଙ୍କୁ ମିଳିଛି ଅନ୍ତର୍ଜାତୀୟ ମହିଳା ଦିବସରେ । ଏଥିଲାଗି ନିଜ ଖୁସି ବ୍ୟକ୍ତ କରିଛନ୍ତି ସରସ୍ବତୀ ।

ଏହି ପ୍ରତିଯୋଗିତାକୁ ନେଇ ବେଶ୍‌ ଉତ୍ସାହିତ ସରସ୍ବତୀ । ସେ କହିଛନ୍ତି, ଏହି ପ୍ରତିଯୋଗିତା ବିବିଧତାରେ ଭରା ଥିଲା । ଏଥିରେ ୧୦ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ବଡ଼ କଥା ହେଉଛି ଏଥିରେ ୬୦ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀ ବି ଥିଲେ ଯେଉଁମାନଙ୍କୁ ସେମାନଙ୍କ ନାତି ନାତୁଣୀ ମାନେ ଉତ୍ସାହିତ କରିବାକୁ ଆସିଥିଲେ । କିନ୍ତୁ ଆମ ଦେଶରେ ଏ ପ୍ରକାର କ୍ରୀଡ଼ା ସଂସ୍କୃତି ନଥିବା ସେ କହିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ନେଇ କେତେକ କ୍ଷୋଭ ପ୍ରକାଶ କରିଛନ୍ତି ସରସ୍ବତୀ । ସେ କହିଛନ୍ତି, ଆମ ଦେଶରେ କ୍ରୀଡ଼ା କ୍ଷେତ୍ରରେ ମହିଳା ଭାଗ ନେବା ଓ ତିଷ୍ଠି ରହିବା ଏବେ ବି ନଗଣ୍ୟ । ଅନେକ ନିଜ କ୍ୟାରିୟର ଆରମ୍ଭରୁ ହିଁ ଛାଡ଼ି ଦେଇଥାନ୍ତି ।

ନିଜ ସଂପର୍କରେ ସେ କହିଛନ୍ତି, କ୍ରୀଡ଼ା ତାଙ୍କର କ୍ୟାରିୟର ନୁହେଁ । କିନ୍ତୁ ଗତ 2 ବର୍ଷ ହେବ ନିଜକୁ ଫିଟ୍‌ ରଖିବା ଲାଗି ଜିମ୍‌ ଯିବା, ଦୌଡ଼ିବା, ସାଇକେଲିଂ କରିବା ଭଳି କାମ କରୁଥିଲେ । ସେଥିଲାଗି ଭାରୋତ୍ତଳନ ସହଜ ହେଲା । ତାଛଡ଼ା ନିଜ କୋଚ୍‌ ଓସହଯୋଗୀମାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ଦେଇଛନ୍ତି । ଦୁଇ ଯାଆଁଳା ଝିଅଙ୍କ ମାଆ ସରସ୍ବତୀଙ୍କ ମତରେ ପ୍ରତିଯୋଗିତା ଫଳରେ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସକରାତ୍ମକ ପ୍ରଭାବ ପକାଇଛି । ସେ କହିଛନ୍ତି, କ୍ରୀଡ଼ା, ଶାରୀରିକ ଓମାନସିକ ସୁସ୍ଥତା ତାଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ସବୁ ଅଭିଭାବକ ନିଜ ପିଲାମାନଙ୍କୁ କ୍ରୀଡ଼ା ଲାଗି ପ୍ରୋତ୍ସାହିତ କରିବା ଉପରେ ସେ ଜୋର ଦେଇଛନ୍ତି ।
Published by:nihar panda
First published: